ପ୍ରବନ୍ଧ · ନଭେମ୍ବର ୧୧, ୨୦୨୬ · ୫ ମିନିଟ୍ ପଢ଼ା
ଟ୍ରେନ୍ରେ ଚା' ଅନୁଭୂତି... (ଭାଗ-୧)
ଜୀବନର ପ୍ରତିଟି ଅନୁଭୂତି କିଛି ନା କିଛି ନୂଆ ଶିକ୍ଷା ଦେଇଯାଏ। ଆଉ ସେ ଅନୁଭୂତି ଯଦି ଦୂର ଯାତ୍ରାର ହୋଇଥାଏ, ତେବେ ତାର ମଜା ସମ୍ପୂର୍ଣ୍ଣ ନିଆରା। ଯାତ୍ରା ପାଇଁ କେବେ ଫ୍ଲାଇଟ୍, କେବେ ବସ୍ ତ ପୁଣି କେବେ ନିଜ କାର୍ ଉପଲବ୍ଧ ଥାଏ; କିନ୍ତୁ ଟ୍ରେନ୍ ଯାତ୍ରାର ରୋମାଞ୍ଚ ସବୁଠୁ ସ୍ୱତନ୍ତ୍ର। ସହର, ପାହାଡ଼ ଆଉ ଘଞ୍ଚ ଜଙ୍ଗଲ ଦେଇ ଲମ୍ବିଯାଇଥିବା ଅଙ୍କାବଙ୍କା ରେଳଧାରଣା ଉପରେ 'ଛୁକ୍-ଛୁକ୍' ଶବ୍ଦ କରି ଧାଉଁଥିବା ଟ୍ରେନ୍ ସତେ ଯେମିତି ଗୋଟିଏ ଭିନ୍ନ ସଂସାର। ଜେନେରାଲ୍ ଓ ସ୍ଲିପର୍ ବଗିର ଭିଡ଼ ଗହଳି ଭିତରେ ଜୀବନର ସଂଘର୍ଷ ଦିଶୁଥିବା ବେଳେ, ଏସି ବଗିର ପରିବେଶ ଟିକେ ଶାନ୍ତ ଓ ଆରାମଦାୟକ।
ସୁବ୍ରତ ବାବୁ ଜଣେ ପ୍ରତିଷ୍ଠିତ ସରକାରୀ ଚାକିରିଆ। ତାଙ୍କର ଦୁଇ ପୁଅ ସଫ୍ଟୱେର୍ ଇଞ୍ଜିନିୟର ରହନ୍ତି ସୁଦୂର ବାଙ୍ଗାଲୋରରେ। କେବେ ପିଲାମାନେ ଛୁଟିରେ ଘରକୁ ଆସନ୍ତି ତ କେବେ ସୁବ୍ରତ ବାବୁ ସସ୍ତ୍ରୀକ ପିଲାଙ୍କ ପାଖକୁ ବୁଲି ଯାଆନ୍ତି। ଯିବା ଆସିବା ପ୍ରାୟତଃ ଫ୍ଲାଇଟ୍ରେ ହିଁ ହୁଏ। ପୁଅମାନେ ଟିକେଟ୍ କରିଦିଅନ୍ତି, ଦୁଇ ପ୍ରାଣୀ ଖୁସିରେ ଯାଇ କିଛି ଦିନ ବିତାଇ ଫେରିଆସନ୍ତି।
ସୁବ୍ରତ ବାବୁଙ୍କ ସ୍ତ୍ରୀ ସୁପ୍ରଭା ଦେବୀ ଜଣେ ଧର୍ମପରାୟଣା, ସ୍ନେହମୟୀ ନାରୀ। ନିଜ ଛୋଟ ସଂସାର ଭିତରେ ସେ ଜଣେ ନିମଗ୍ନ ଯୋଗିନୀ ପରି। ସ୍ୱାମୀ ଓ ପିଲାଙ୍କ ସୁଖରେ ହିଁ ତାଙ୍କର ପୂର୍ଣ୍ଣ ସନ୍ତୋଷ। ଘରର ସବୁ ଦାୟିତ୍ୱ ସେ ନିଜ ହାତରେ ସମ୍ଭାଳନ୍ତି ସେ ଯେଉଁ ନିୟମ କରିବେ ଘର ସେଇ ଅନୁସାରେ ହିଁ ଚାଲେ। ତଥାପି ମାଆ ମନ ତ, ସବୁବେଳେ ପିଲାମାନଙ୍କ ପାଇଁ ମନରେ ଅସରନ୍ତି ଚିନ୍ତା।
ଦିନେ ହଠାତ୍ ସୁପ୍ରଭା ଦେବୀ ସ୍ୱାମୀଙ୍କୁ କହିଲେ— "ପିଲାଙ୍କ କଥା ଭାରି ମନେ ପଡୁଛି ମୁଁ ବାଙ୍ଗାଲୋର ଯିବି।
ସ୍ୱାମୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ"ହଠାତ୍? କ’ଣ ଏତେ ଶୀଘ୍ର?"
ସୁପ୍ରଭା ଜିଦ୍ ଧରିଲେ— "ହଁ, ଏବେ ହିଁ ଯିବା।"
ସୁବ୍ରତ ବାବୁ ମଧ୍ୟ ହସିଦେଇ ରାଜି ହୋଇଗଲେ। କିନ୍ତୁ ସୁପ୍ରଭା ଆଉ ଗୋଟିଏ ସର୍ତ୍ତ ରଖିଲେ— "ଏଥର ଫ୍ଲାଇଟ୍ରେ ନୁହେଁ, ଟ୍ରେନ୍ରେ ଯିବା। ପିଲାଙ୍କ ପାଇଁ ଘରର କିଛି ଜିନିଷପତ୍ର ଓ ହାତରନ୍ଧା ଆଚାର-ବଡ଼ି ନେବାର ଅଛି।"
ବହୁ ଖୋଜାଖୋଜି ପରେ ଶେଷରେ ଏସି ବଗିରେ ଟିକେଟ୍ ଖଣ୍ଡେ ଯୋଗାଡ଼ ହୋଇଗଲା। ଯିବା ଦିନ ସୁପ୍ରଭାଙ୍କ ଗୋଡ଼ ତଳେ ଲାଗୁ ନଥାଏ। ପିଲାମାନଙ୍କୁ ଦେଖିବା ପାଇଁ ମନ ବ୍ୟାକୁଳ। ସତରେ, ଏଇ ତ ମାଆର ମମତା! ଯିଏ ସଂସାରର ସବୁ ସୁଖ-ଦୁଃଖକୁ ପଛରେ ପକାଇ ନିଜ ସନ୍ତାନ ପାଇଁ ସବୁବେଳେ ଉତ୍ସର୍ଗୀକୃତ।
ଶେଷରେ ଆରମ୍ଭ ହେଲା ଟ୍ରେନ୍ ଯାତ୍ରା। ଗାଡ଼ିଟି ସୁପରଫାଷ୍ଟ ହେଲେ ମଧ୍ୟ ସାପ୍ତାହିକ ଟ୍ରେନ୍ ଥିବାରୁ ବାଟରେ ଅନେକ ଛୋଟବଡ଼ ଷ୍ଟେସନରେ ଅଟକି ଅଟକି ଚାଲିଥାଏ।
ଏପଟେ ସୁବ୍ରତ ବାବୁଙ୍କର ଚା' ପିଇବାର ନିଶା ବହୁତ ପୁରୁଣା। ଅଫିସ୍ରେ କାମ କରି କରି ଏଇ ଅଭ୍ୟାସଟି ଏମିତି ହୋଇଯାଇଛି ଯେ, ଚା' ବିନା ତାଙ୍କର ଗୋଟିଏ ପାଦ ବି ଆଗକୁ ବଢ଼େନି। ସକାଳେ ବିଛଣାରୁ ଉଠିବା ପୂର୍ବରୁ ସୁପ୍ରଭା ତାଙ୍କ ହାତକୁ ସ୍ପେଶାଲ 'ବେଡ୍ ଟି' ବଢ଼ାଇ ଦିଅନ୍ତି। ଦିନସାରା ଖାଇବାକୁ ଯାହା ମିଳୁ ବା ନ ମିଳୁ, ଠିକ୍ ସମୟରେ ମନପସନ୍ଦର ଚା' କପେ ମିଳିଗଲେ ସେ ଦୁନିଆର ସବୁଠୁ ଖୁସି ମଣିଷ। ପୁଣି ସ୍ତ୍ରୀମାନେ ତ ଘରକରଣାରେ ବେଶ୍ ଚତୁର; ସ୍ୱାମୀଙ୍କୁ କେମିତି ଖୁସି ରଖିବାକୁ ହୁଏ ସୁପ୍ରଭାଙ୍କୁ ଭଲ ଭାବେ ଜଣା। ତେଣୁ ସେ ସ୍ପେଶାଲ ଚା' କପେ ଧରାଇ ସ୍ୱାମୀଙ୍କଠାରୁ ଅତି ସହଜରେ ସବୁ କାମ ହାସଲ କରିନିଅନ୍ତି।
ଦିନ ପ୍ରାୟ ୨ଟା ୪୫ ମିନିଟ୍ରେ ଟ୍ରେନ୍ ଷ୍ଟେସନ ଛାଡ଼ିଲା। ଖୁସି ଗପସପ ଭିତରେ ବେଶ୍ କିଛି ସମୟ ବିତିଗଲା। ଧୀରେ ଧୀରେ ସନ୍ଧ୍ୟା ନଇଁ ଆସିଲା। ଏବେ ସୁବ୍ରତ ବାବୁଙ୍କର ସନ୍ଧ୍ୟାବେଳର ଚା' ପିଇବା ସମୟ। କିନ୍ତୁ ବଗି ଭିତରକୁ ନା କୌଣସି ଚା'ବାଲା ଆସୁଛି, ନା କଫିବାଲା। ସୁପ୍ରଭା ସାନ୍ତ୍ୱନା ଦେଇ କହିଲେ— "ବ୍ୟସ୍ତ ହୁଅନି, ଆସିଯିବ ଏବେ।"
ଏମିତି କହୁ କହୁ ରାତି ହୋଇଗଲା, ହେଲେ ଟୋପାଏ ଚା'ର ଦେଖା ମିଳିଲାନି। ସ୍ୱାମୀ ସନ୍ଧ୍ୟାବେଳୁ ଚା' ଟିକେ ପିଇପାରିଲେ ନାହିଁ ବୋଲି ସୁପ୍ରଭାଙ୍କ ମନ ଭାରି ଛଟପଟ ହେଲା। ଚା' ନ ପାଇ ସୁବ୍ରତ ବାବୁଙ୍କ ମୁହଁ ଶୁଖି ଯାଇଥିଲା। ଶେଷରେ ଯାହାହେଉ, ରାତ୍ରିଭୋଜନ ସାରି ଦୁହେଁ ଶୋଇପଡ଼ିଲେ।
ସୁଖରେ ହେଉ କି ଦୁଃଖରେ, ରାତି ପାହି ସକାଳ ହେଲା। ହେଲେ ମନ ଭିତରେ ସେଇ ଗୋଟିଏ ଚିନ୍ତା— "ଚା' କାହିଁକି ଆସୁନି?" ଟ୍ରେନ୍ ଭିତରକୁ ଜଳଖିଆ, ପାଣି ବିକାଳୀ ସବୁ ଆସୁଛନ୍ତି, କିନ୍ତୁ ଚା'ର ଦେଖା ନାହିଁ। ଯେଉଁ ଫେରିବାଲା ଆସୁଛି, ସୁବ୍ରତ ବାବୁ ତାକୁ ଅନୁରୋଧ କରୁଛନ୍ତି— "ଭାଇ, ସେ ଚା'ବାଲାକୁ ଟିକେ ଏ ବଗିକୁ ପଠାଇଦେବ।" ସମସ୍ତେ "ହଁ ଆଜ୍ଞା" କହି ଯାଉଛନ୍ତି ସିନା, ହେଲେ କେହି ଆସୁନାହାନ୍ତି।
ଅପେକ୍ଷାର ଅନ୍ତ ଘଟାଇ ଶେଷରେ ଗାଡ଼ି ଯାଇ ପହଞ୍ଚିଲା ଆନ୍ଧ୍ରପ୍ରଦେଶର 'ରାଜମୁଣ୍ଡ୍ରି' ଷ୍ଟେସନରେ। ସେଠାରେ ଟ୍ରେନ୍ର ଏକ ବଡ଼ ଷ୍ଟପେଜ୍ ଥିଲା। ଗାଡ଼ି ଛିଡ଼ା ହେଉ ହେଉ ପ୍ଲାଟଫର୍ମରୁ ସବୁ ବେପାରୀ ଡବାରେ ଚଢ଼ିଲେ। ହଠାତ୍ ସେଇ ବହୁପ୍ରତୀକ୍ଷିତ ଡାକ କାନରେ ପଡ଼ିଲା— "ଚାଏ... ଚାଏ ଚାହିଏ... କଫି...!"
ସତେ ଯେମିତି କୌଣସି ପ୍ରିୟଜନ ବହୁ ଦିନ ପରେ ସାମ୍ନାକୁ ଆସିଗଲେ ଯେଉଁ ଖୁସି ମିଳେ, ସୁବ୍ରତ ବାବୁ ଓ ସୁପ୍ରଭା ଦେବୀଙ୍କ ମୁହଁରେ ଠିକ୍ ସେମିତି ଏକ ଆଶ୍ୱସ୍ତିର ଚମକ ଖେଳିଗଲା। ଦୁହେଁ ହସିପକାଇଲେ। ମନର ଆନନ୍ଦରେ ସେମାନେ ଏକାଥରକେ ୬ କପ୍ କଫି କିଣିନେଲେ!
ସତେ ଯେମିତି ଚାତକ ପକ୍ଷୀ ସ୍ୱାତୀ ନକ୍ଷତ୍ରର ପ୍ରଥମ ବର୍ଷା ବିନ୍ଦୁକୁ ଅପେକ୍ଷା କରି ନିଜର ଆଜୀବନ ତୃଷ୍ଣା ମେଣ୍ଟାଏ, ଠିକ୍ ସେମିତି ଗୋଟିଏ ପୂରା ଦିନର ଚା' ଅଭାବ ଓ ତୃଷ୍ଣାକୁ ସେମାନେ ସେହି କଫି ପିଇ ଦୂର କଲେ। ପରବର୍ତ୍ତୀ ଯାତ୍ରାରେ ଅନେକ ଥର ଚା' ଓ କଫି ଆସିଥିଲା, କିନ୍ତୁ ସେଦିନ ରାଜମୁଣ୍ଡ୍ରି ଷ୍ଟେସନରେ ମିଳିଥିବା ସେହି ପ୍ରଥମ କଫିର ସ୍ୱାଦ ଓ ଅନୁଭୂତି ସାରା ଜୀବନ ପାଇଁ ଅଭୁଲା ହୋଇ ରହିଗଲା।
ବିଶେଷ ଦ୍ରଷ୍ଟବ୍ୟ:
ଯେକୌଣସି ଅଭ୍ୟାସ ଯଦି ମଣିଷକୁ ଜାବୋଡି ନିଏ ତେବେ ତାହା ଅସୁବିଧାର କାରଣ ପାଲଟେ। କୌଣସି ଜିନିଷ ପ୍ରତି ଅତ୍ୟଧିକ ଆସକ୍ତି ବା କୁଅଭ୍ୟାସଠାରୁ ସବୁବେଳେ ଦୂରେଇ ରହିବା ଉଚିତ ,ଏହା ହିଁ ସମାଜ ପ୍ରତି ଏକ ନମ୍ର ସନ୍ଦେଶ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ