ପ୍ରବନ୍ଧ · ନଭେମ୍ବର ୨, ୨୦୨୬ · ୬ ମିନିଟ୍ ପଢ଼ା
ଭାବନା ରାଇଜରେ ବୁଡିଯାଇଛନ୍ତି ଅନ୍ନପୁର୍ଣ୍ଣା ଦେବୀ।
ଚାହିଁଛନ୍ତି ଏକ ଲୟରେ ବାହାରକୁ ଆଉ ଭାବନା ଭିତରେ ତର୍ଜମା କରୁଛନ୍ତି ନିଜକୁ ଆଉ ମଣିଷ ମାନଙ୍କୁ। ଖୋଜୁଛନ୍ତି ଅନେକ କିଛି ଏଇ ଭାବନା ଭିତରେ।ମନେ ମନେ କହୁଛନ୍ତି
ଏଇ ସମୟଟା ଧୋକାଵାଜ ନା ଏଠି ମଣିଷ ମାନେ ଏ ସୃଷ୍ଟିରେ ଏମିତି।
କାହିଁ ଅଲଗା ଜୀବତ ବୋଧେ ସ୍ୱାର୍ଥପର ନୁହେଁ।କିନ୍ତୁ ମଣିଷଠାରେ ବେଶୀ ଏହି ଧୋକା ଆଉ ସ୍ୱାର୍ଥପରତା ଦେଖାଯାଏ କାହିଁକି?
ରୁଟି ଦେଲେ ସକାଳୁ ସଞ୍ଜ ଯାଏ ଦ୍ୱାର ମୁହଁ ରେ କୁକୁରଟି ଶୋଇ ଯାଏ। ବିଲେଇକୁ ଖୁସିରେ କ୍ଷୀର ଟୋପେ ଦେଲେ ସେ ଘରେ ଏପଟ ସେପଟ ହୁଏ। ନେଉଳଟିଏ ପୋଷିବ ସେ
ଘରକୁ ବିଷାକ୍ତ ଜୀବକୁ ଛାଡ଼ି ଦିଏନା। ଗାଇଟିଏ ରଖିଲେ ସେ କ୍ଷୀର ଆମକୁ ଦିଏ।ହେଲେ ଏଠି ମଣିଷ ମାନେ ଏମିତି କାହିଁକି। ସ୍ୱାର୍ଥ ଥିବା ଯାଏ ଗୋଡାଇଥିବେ ଆଉ ସରିଗଲେ ମୁହଁ ବୁଲାଇ ଦିଅନ୍ତି।
ଅନ୍ନପୂର୍ଣ୍ଣା ଦେବୀ ବୟସର ଅପରାହ୍ନରେ ବହୁତ ପାଖରୁ ଦେଖିଛନ୍ତି ଜୀବନକୁ। ନିଜର ସରଳତା ପାଇଁ ଶିକାର ହୋଇଛନ୍ତି ସ୍ୱର୍ଥାନ୍ଧ ମଣିଷ ପାଖରେ। ମା ଦେଵୀ ସିନା ବଳୀ ପାଆନ୍ତି ବର୍ଷକୁ ଥରେ ହେଲେ ସେ ବଳି ପଡ଼ନ୍ତି ବାରମ୍ବାର ସମାଜ ପାଖରେ। କେତେବେଳେ କିଏ ଧସେଇ ପଶି ଆସନ୍ତି ହୃଦୟ ଦୁଆରକୁ। ସ୍ନେହକାଙ୍ଗାଳ ମଣିଷ ଟିଏ ତ ଫସିଯାଏ
ଅଭିମନ୍ୟୁ ପରି ଚକ୍ରବ୍ୟୁହ ରେ।
କେତେ ମଣିଷ ପସି ଆସିଛନ୍ତି ସ୍ୱାର୍ଥର ପିଆଲା ଧରି ବାସ୍ ସ୍ୱାର୍ଥ ସରିଲେ ତୃପ୍ତି ପାଇଁ ଫେରିଛନ୍ତି।
ଜୀବନର ଆରମ୍ଭରୁ ଶେଷ ଯାଏଁ ସେ କେବଳ ଭେଟିଛନ୍ତି ସ୍ୱାର୍ଥୀ ମଣିଷ ମାନଙ୍କୁ। ସରଳ ମନରେ ସେ କିନ୍ତୁ ଗରଳ ଭରି ପାରନ୍ତି ନାହିଁ ।
ଯେମିତି ଅନେକ ଝଡ଼ ତୋଫାନ ଆସେ ପୁଣି ଫେରି ଯାଏ ହେଲେ ପୁଣି ପ୍ରକୃତି ଅଣ୍ଟା ଭିଡ଼ି ଠିଆ ହୁଏ। ପୁଣି ଲଣ୍ଡା ଗଛରେ ପତ୍ର କଅଁଳେ। ଭଙ୍ଗା ଗଛ ପୁଣି ଛିଡ଼ା ହୁଏ। ପୁଣି ସବୁଜିମାରେ ଭରିଯାଏ। ନଦୀ ପୁଣି ନିର୍ମଳ ହୁଏ ସାଗର ପୁଣି ଶାନ୍ତ ହୁଏ ଠିକ୍ ସେମିତି ଅନ୍ନପୂର୍ଣ୍ଣା ଦେବୀ।
ସବୁ ହଜମ କରିବାର ସତସାହସ ତାଙ୍କ ପାଖରେ ଅଛି।
ଜୀବନକୁ ପାଖରୁ ଖୁବ୍ ପାଖରୁ ଦେଖିଛନ୍ତି ସିଏ ଅନୁଭଵ କରିଛନ୍ତି ଛଦ୍ମବେଶୀ ମଣିଷ ମାନଙ୍କୁ। ମନେ ମନେ ହସନ୍ତି ସିଏ ଭାବନ୍ତି ସେ ବୋକି ନୁହେଁ ସରଳ ହୃଦୟର ମଣିଷ।
ସେ ପଢ଼ିଛନ୍ତି ବହିରେ ଅଲଗା ପାଠ ଏବେ କିନ୍ତୁ ଓଲଟା ଜୀଵନ ବହିରେ ପ୍ରତିଦିନ ଭେଟନ୍ତି ଅନେକଙ୍କୁ। ଦେଖନ୍ତି ସବୁ ମତଲଵୀମଣିଷ ମାନଙ୍କୁ।
ହେଇ ପରା ଅତିତଟା ମନେ ପଡୁଛି ନଖାଇ ନପିନ୍ଧି ଅନେକ ତ୍ୟାଗ କରିଥିଲେ ସେମାନେ ଏବେ ପର।
ପୁଣି ତାଙ୍କ ଜୀବନରେ ନୂଆ ପସି ଆସିଥିବା ମଣିଷ ମାନେ
ସବୁ ଗୋଟି ଗୋଟି ହୋଇ ଫେରିଲେଣି ସ୍ୱାର୍ଥ ସରିଗଲା ପରେ।
ଏବେ ଅନ୍ନପୂର୍ଣ୍ଣା ଦେବୀ ମୁକ୍ତ ଜଞ୍ଜାଳ ଜୀବନରୁ ।ପିଲାମାନେ ବଡ଼ ହୋଇ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ।
ଏବେ ପାଖରେ ଅଛି ପ୍ରକୃତ ବନ୍ଧୁ ସମ୍ପକୀୟ ଅତି ପ୍ରିୟ ଅତି ଆପଣାର ଜଣେ ସିଏ ଲେଖନୀ । ଯିଏ ସକାଳୁ ସଞ୍ଜ ଯାଏ ବୁଝେ ହୃଦୟର କଥା। ଯାହା ସହ କଥା ହୋଇ ସମୟ କଟିଯାଏ।
ଧୋକାଵାଜ ବହିର ପୃଷ୍ଠା ଲେଉଟାଇ ଲେଉଟାଇ ଦେଖାଯାଏ କେତେ ଆପଣାର ମଣିଷ ମୁହଁ ସବୁ। ଶୁଣାଯାଏ କେତେ ମିଠା ମିଠା ସ୍ୱର। କିନ୍ତୁ ଅତିଷ୍ଠ ହୋଇଯାଆନ୍ତି ଅନ୍ନପୂର୍ଣ୍ଣା ଦେଵୀ।
କାହିଁକି କେଜାଣି ତାଙ୍କୁ ଭଲ ଲାଗେନା ସେ ମିଠା କଥା। ସେଥିରେ ଭରିଛି ଜହର। ପିଇ ପିଇ ବିଷାକ୍ତ ଏଇ ମନ ତାଙ୍କର।ସେ ଭଲ ପାଆନ୍ତି ନିଜକୁ ନିଜ ଭିତରେ ହଜିଯିବାକୁ ଭଲ ପାଆନ୍ତି ଖୁବ୍ ନିବିଡ ଭାବରେ।
ସେ କିନ୍ତୁ ଧୋକାବାଜ ନୁହନ୍ତି ସେଥିପାଇଁ ତ ସେ କ୍ଷମା କରିଦିଅନ୍ତି ଧୋକାବାଜ ମଣିଷ ମାନଙ୍କୁ।
ସେଦିନ ସୁବ୍ରତ ଆସିଥିଲେ ଛଳନାର ଚାଦର ଢାଙ୍କି ଏଇ ଶୀତ ଶୀତ ସନ୍ଧ୍ୟାରେ କିଛି ଉଦ୍ଦେଶ୍ୟ ନେଇ।ସାହାଯ୍ୟ ପାଇଁ କେମିତି ମନା କରିଥାନ୍ତେ ଅନ୍ନପୂର୍ଣ୍ଣା ଦେଵୀ। ପତ୍ନୀ ର ଅକାଳ ବିୟୋଗ ପିଲାଟିକୁ ପାଳି ନ ପାରି ସାହାଯ୍ୟ ମାଗିଥିଲେ ତାଙ୍କୁ ।
ଠିକ୍ ମନେ ଅଛି ସେଦିନ କିଟିମିଟି ଅନ୍ଧାର ଝିପ୍ ଝିପ୍ ବର୍ଷାରେ କବାଟ ଠକ୍ ଠକ୍ ଆବାଜ।
ଅନ୍ନପୂର୍ଣ୍ଣା ଦେଵୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏତେ ବର୍ଷା ରେ କିଏ। କବାଟ ଖୋଲି ଦେଖନ୍ତି ସୁବ୍ରତ ଛୋଟ ପିଲାଟିକୁ କୋଳରେ ଧରି ଓଦା ସରସର ଦେହରେ ଠିଆ ହୋଇଛନ୍ତି ପିଲାଟି ଜ୍ବରରେ ଥରୁଛି।ଏଇ ଏବେ ଏବେ ତାଙ୍କ ପତ୍ନୀ ଙ୍କ ବିୟୋଗ ହୋଇଛି।
ସୁବ୍ରତ ତାଙ୍କ ଅଫିସିରେ ସହକର୍ମୀ ମେଳାପୀ ଭଲ ସମ୍ପର୍କ ତାଙ୍କ ସହ। ପଡୋଶୀ ମଧ୍ୟ ସ୍ତ୍ରୀ କ୍ୟାନ୍ସର ରେ ପିଡିତ ଥିଲେ ବହୁତ ଚେଷ୍ଟା କରିବି ବଞ୍ଚାଇ ପାରିଲେନି ସୁବ୍ରତ ଏଇ ଛୋଟ ପିଲାକୁ ଛାଡ଼ି ସ୍ତ୍ରୀ ଆରପାରି ରେ।
ସେ ପିଲାଟିକୁ ସମ୍ଭାଳି ପାରୁନାହାନ୍ତି ତେଣୁ ଅନୁରୋଧ କରୁଛନ୍ତି ପିଲାଟିକୁ ପାଳିବା ପାଇଁ ସବୁ ଭରଣପୋଷଣ ଦେବେ ହେଲେ ଟିକେ ଯତ୍ନ ନେବାପାଇଁ ଅନୁରୋଧ।
ତାଙ୍କ ଝିଅ ବୟସର ପୁଅଟି । ସମ୍ପର୍କ ଦୃଷ୍ଟିରୁ ଏତିକି ସାହାଯ୍ୟ କଲେ ବଂଶ ରକ୍ଷା ହୋଇ ଯାଆନ୍ତା।
ଅନ୍ନପୂର୍ଣ୍ଣା ଦେଵୀ !
ନାମ ଯେମିତି କାମ ବି ସେମିତି ଦୁଃଖ ପିଇ ପାରନ୍ତି ହେଲେ ଦେଇ ପାରନ୍ତି ନାହିଁ କାହାର ମନରେ ତେଣୁ ସ୍ୱାମୀଙ୍କୁ ଚାହିଁଲେ ସ୍ୱାମୀ ଚିତ୍ତରଞ୍ଜନ ନାମଟି ସାର୍ଥକ ତାଙ୍କର
ଚିତ୍ତଟି କୋମଳ ସାଧା ସିଧା ସ୍ୱଭାବ ତେଣୁ ସେ କହିଲେ ଅନୁ! ଯଦି ସୁବ୍ରତ ସାହାଯ୍ୟ ମାଗୁଛନ୍ତି ତୁମେ ମନା କରିବ କାହିଁକି ଆମ ଝିଅ ସହ ପିଲାଟି ବଡ଼ ହୋଇଯିବ ପାଠ ପଢି ଭଲ ମଣିଷ ହେଵ । ସୁବ୍ରତ ପିଲାକୁ ନେଇଯିବ ତୁମେ ଖାଲି ମାଆର ଭୂମିକା ନେବ।
ବାସ୍ ଏତିକିରେ ପିଲାଟିକୁ କୋଳେଇ ନେଲେ ଅନ୍ନପୂର୍ଣ୍ଣା ଦେଵୀ। ପଛକୁ ଫେରି ଚାହିଁ ନାହାନ୍ତି ସ୍ୱାମୀ ସୁବ୍ରତ ସମସ୍ତେ ଫେରିଗଲେଣି । ଅନ୍ନପୂର୍ଣ୍ଣା ଦେଵୀ ବାର୍ଦ୍ଧକ୍ୟ ରେ ଉପନିତ। ଝିଅ ଵେଵୀ ଚାକିରି କରିଛି ସୁଦୂର ଆମେରିକାରେ ସେଠାରେ ସେ ବିବାହ କରି ରହିଛି। ପୁଅ ସତ୍ୟମ ଓଏସ୍ଏ ଅଛି । ଏବେ ତାଙ୍କ ସବୁ ସମ୍ପତ୍ତିର ମାଲିକ୍ ସତ୍ୟମ୍ ତା,ର ସ୍ତ୍ରୀ ସୀମା। ସତ୍ୟମ୍ ବହୁତ ସମ୍ମାନ ଦେଉଥିଲା ତାର ଆସନରେ ବସାଇଥିଲା ହେଲେ କଣ ହେଲା କେଜାଣି ସୀମା ଆସିଲା ପରେ ତା,ର ବ୍ୟବହାର ବଦଳି ଯାଉଛି।
ସୀମା ତ କେବେ ସ୍ୱୀକାର କରେନି ଅନ୍ନପୂର୍ଣ୍ଣା ଦେଵୀଙ୍କୁ ଶାଶୁ ବୋଲି। ସବୁବେଳେ ସତ୍ୟମ୍ କୁ ଶିଖାଇଲା ସବୁ ଧନ ସମ୍ପତ୍ତି ଘର ନିଜ ଅଧୀନକୁ ନେଇ ଯିବାକୁ ନେଇଗଲା ମଧ୍ୟ ମିଠା ମିଠା କଥା କହି ଅଭିନୟ କରି। ସବୁ ନେଲା ପରେ ଅସଲ ରୂପ ଦେଖାଇଲା ଯେ ତୁମକୁ ଆମେ ରଖି ପାରିବୁନି ତୁମେ ତୁମ କଥା ବୁଝ ଆଶ୍ଚର୍ଯ୍ୟ ହେଲେ ଅନ୍ନପୂର୍ଣ୍ଣା ଦେଵୀ।
ସୀମା ମୁହଁକୁ ଥରେ ଆଉ ସତ୍ୟମ୍ ମୁହଁକୁ ଥରେ ପୁଣି ଥରେ କାନ୍ଥରେ ଟଙ୍ଗା ଯାଇଥିବା ଦୁଇ ବନ୍ଧୁଙ୍କର ଫଟୋକୁ ଦେଖି ପ୍ରଶ୍ନ କଲେ ସତରେ କଣ ଏ ମଣିଷ ଧୋକାଵାଜ!
ତୁମେ ମାନେ ଥରେ ତ ମୋତେ କୁହ କଣ ମଣିଷ କୁ କେବେ ବି ମଣିଷ କରିବନି। ବିଶ୍ୱାସ ଭରସାରେ ଗଛଟି କଣ ଏତେ ଶିଘ୍ର ମରିଯାଏ। ଆଉ ଏ ମଣିଷ ବିଶ୍ୱାସ ଘାତକ ସାଜି ପ୍ରତି ମୁହୂର୍ତ୍ତରେ ବିଶ୍ୱାସ କୁ ହତ୍ୟା କରୁଥାଏ...
ଲୁହ ଛଳଛଳ ଆଖିରେ ବାରମ୍ବାର ପ୍ରଶ୍ନ କରୁଥାନ୍ତି ଆରେ ଥରେତ କିଏ କୁହ ମୋତେ ମୁଁ ଭୂଲ କରିଛି ମଣିଷ ଗଛ ଲଗାଇ ଦେଇଛି।....
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ