କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଶୀର୍ଷକ "ଅବ୍ୟକ୍ତ ସମ୍ପର୍କ"
ଭାରି ମନେ ପଡ଼ ତୁମେ,
ଗୋଧୂଳିର ନିରବ ସଞ୍ଜରେ,
ଝିପ୍ଝିପ୍ ବର୍ଷାର ଭିଜା ପାଗରେ,
ବତୁରା ହୃଦୟର ଉଦାସ ବେଳାରେ।
କଳା କଟିମିଟି ଶୂନଶାନ ରାତିରେ,
ପୁଣି ପାହାନ୍ତିର ସିନ୍ଦୂରା ଫାଟିବା କ୍ଷଣରେ,
ଓଁକାର ଧ୍ୱନିରେ ଜାଗିଉଠୁଥିବା ସକାଳ ସହ,
ଅତୀତର ପୃଷ୍ଠା ଆପେଆପେ ଖୋଲିଯାଏ।
ମନର କାନଭାସରେ ଅଙ୍କା ଅସଂଖ୍ୟ ଚିତ୍ର,
ଜୀବନ ପୃଷ୍ଠାରେ ଅଗଣିତ ଚରିତ୍ର,
ଆଖିର ଆଇନାରେ ଭାସୁଥିବା ପ୍ରତିଛବି,
ଅନୁଭବ, ଅନୁଭୂତି ଓ ସ୍ମୃତିର ଦୀର୍ଘ କାହାଣୀ।
ତଥାପି ସବୁ ଛବି ମଧ୍ୟରେ,
ରହିଯାଏ ଗୋଟିଏ ନିଆରା ମୁହଁ।
ଅଙ୍କାବଙ୍କା ଜୀବନପଥର ସେହି ମୋଡ଼ରେ,
କେବେ ତୁମେ ଧରିଥିଲ ମୋ ହାତ—
ଆଜିଯାଏ ତାହାର ଉତ୍ତର ମିଳିନାହିଁ।
କେହି ଜଣେ ନିତି ଛୁଇଁଯାଏ ହୃଦୟକୁ,
ଅନୁଭବ ହୁଏ, ତଥାପି ଚିହ୍ନି ହୁଏନାହିଁ
ବୋଧହୁଏ ତୁମେ ହିଁ ଆସ,
ନିର୍ଜନ ବେଳାର ନିରବତାରେ।
ତୁମେ ଗଭିର ସାଗର,
ମୁଁ ଛଳଛଳ ନଈ।
ପ୍ରତିଦିନ ଇଚ୍ଛା ହୁଏ
ତୁମ ସଙ୍ଗମରେ ନିଜକୁ ସମର୍ପି ଦେବାକୁ।
ନଦୀ ସାଗରରେ ମିଶି
ନିଜର ସତ୍ତା ହରାଏ—
କିନ୍ତୁ ସେ ହରାଇବାରେ କେତେ ଆନନ୍ଦ ଲୁଚିଥାଏ,
ତାହା କେବଳ ନଦୀ ହିଁ ଜାଣେ।
ତୁମେ ଦୂର ଆକାଶର ଚାନ୍ଦ,
ମୁଁ ପଙ୍କିଳ ପୋଖରୀର କଇଁ
ତଥାପି ଜ୍ୟୋତ୍ସ୍ନାରେ ଭିଜିବାର
ଅଦମ୍ୟ ତୃଷ୍ଣା ମୋର।
ରାତି ପାହେ, ସ୍ୱପ୍ନ ସରେନି,
ଅପେକ୍ଷା ମଧ୍ୟ ଶେଷ ହୁଏନାହିଁ।
ଚାନ୍ଦ ସାରାରାତି ସାଗର ବୁକୁରେ ହଜିଯାଏ,
କୁମୁଦିନୀର ହସର ରହସ୍ୟ
ସେ ନିଜେ ହିଁ ଜାଣେ।
ତୁମେ ଭାସମାନ ବାଦଲ,
କେବେ ବରଷିବ—ତାହା ତୁମ ଇଚ୍ଛା।
ମୁଁ ଇନ୍ଦ୍ରଧନୁ,
ତୁମ ଆଗମନରେ ରଙ୍ଗର ଉତ୍ସବ ସଜାଏ।
ସାଧବ ବୋହୂ ପରି
ସିନ୍ଦୂରରେ ସଜି
ତୁମକୁ ସ୍ୱାଗତ କରିବାକୁ ମନ ଚାହେ।
କିନ୍ତୁ ସମ୍ପର୍କର ନାଁ ମାତ୍ର ଥିଲେ,
ବୁଝି ନଥିଲେ,
ସେ ସମ୍ପର୍କର କୌଣସି ଅର୍ଥ ରହେନାହିଁ।
ସୂର୍ଯ୍ୟମୁଖୀ ଫୁଲ ପରି
ସୂର୍ଯ୍ୟ ପଛେ ପଛେ ଘୁରିବାରେ
ଶେଷରେ ସମୟ ହିଁ ସରିଯାଏ।
ଫୁଲ ଝଡ଼ିଯାଏ,
ସୂର୍ଯ୍ୟ କିନ୍ତୁ ସେହିପରି ଆକାଶରେ ରହିଯାଏ।
ବିଚରା ଫୁଲ!
ଝାଉଁଳିଯାଇ ମଧ୍ୟ ପ୍ରେମ ଖୋଜି ଫେରେ।
ହାୟ!
ହୃଦୟହୀନ ପ୍ରେମର ମୂଲ୍ୟ
ସେ କେବେ ବୁଝିପାରେ ନାହିଁ।
— ଡ଼. ସ୍ୱର୍ଣ୍ଣଲତା ଲେଙ୍କା
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ