କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ନାରୀ..!
କିଏ ଵୁଝିନି ଆଜିଯାଏ ତାକୁ
କେବେ ପ୍ରେମ ପୂଜାରିଣୀ
କେବେ ମମତାର ନିଝରିଣୀ
କେବେ ପୁଣି ଅଭିମାନୀ
କେତେ ବେଳେ ମତୁଆଲି
କେତେବେଳେ ମାୟାବିନୀ।
କେବେ ଫୁଲେଇ ଫଗୁଣ ପରି
କେବେ କୃଷ୍ଣ ଚୂଡା ପରି ନାଲି
ଓଢ଼ଣୀ ଦେଇ ଚାଲୁଥାଏ
ସଂସାର ପଥରେ ..।
କେବେ ରଙ୍ଗିନ୍ ମନଟିଏ ନେଇ
ଉଡ଼ିଯାଏ ପ୍ରେମ ଚଢେଇ ପରି
ସଂସାର ରଙ୍ଗ ମଞ୍ଚରେ ଅଭିନୟ
କରୁଥାଏ କେତେ ରୂପରେ
ନାରୀ ତୋର କେତେ ରୂପ
କିଏ ପାରିବ ଜାଣି..
ଛଳନାମୟୀ କେହି ପାରେନି
ଛଳନା କୁ ବୁଝି।
କାହା ପାଇଁ କେମିତି
ସନ୍ତାନ ପାଇଁ ସ୍ନେହ ର ନିଝରିଣୀ
ପ୍ରେମମୟୀ ଛଳନା ମୟୀ
କେତେ ଆଖିରୁ ନିଦ ହଜାଇ ଦିଏ
ସ୍ମିତ ହାସ୍ୟ ରେ
କେତେ ମନ କୁ କିଣିନିଏ ମିଠା ମିଠା
ତା କଥା ରେ।
ଝୁମ୍ ଝୁମ୍ ପାଉଁଜି ରେ ଛମ୍ ଛମ୍ ନାଚୁ
ଥାଏ ବରଷା ପରି
ପ୍ରୀତି ର ଫୁଲ ଫୁଟାଇ ଦିଏ ରୁଣୁଝୁଣୁ
ଚୁଡ଼ି ବଜାଇ।
କେତେ ମନକୁ ମମତାର ଶିକୁଳି ରେ
ବାନ୍ଧିଦିଏ।
କେତେ ପାଗଳ ଭ୍ରମର ତା ଚାରିପାଖେ
ତା'ର ମତୁଆଲି ଇସାରାରେ..
ପ୍ରେମର ରଙ୍ଗୋଲି ଟାଣେ ହୃଦୟରେ
ସେ ଆଉ କିଏ ନୁହେଁ
ନାରୀ ଟିଏ..।
ଫଗୁଣ କୁ ପାଖେ ଡାକିଆଣି ରଙ୍ଗରେ
ହଜିଯାଏ
ପ୍ରେମ ରେ ହଜିଯାଜ ସେ ନାରୀ ଟିଏ
ଲାଜୁଆ ଆଖିରେ ଇନ୍ଦ୍ର ଧନୁ ର
ସପ୍ତ ରଙ୍ଗ ଟାଣି ପ୍ରେମର ଇସାରା ଦିଏ
କେତେବେଳେ ସେ..
ଅଭିମାନ ର ନଈ ଟିଏ ହୋଇ ହୃଦୟର
କୂଳ ଖାଇ ଯାଏ।
କେତେବେଳେ ଛଳଛଳ କଳକଳ ଝରଣା
ଟିଏ ହୋଇ ଗୁଣୁଗୁଣୁ ଗୀତ ଗାଏ
ଯା ଓଠରୁ ଝରୁଥାଏ ଅନଵରତ ମହୁ
ହସି ଦିଏ ଫି କରି କଥା କହୁ କହୁ..
ସପନ ମେଞ୍ଚାଏ ଆଖିରେ ବୁଣି ଦିଏ
ସେ କିନ୍ତୁ ଲୁହର ଶ୍ରାଵଣୀ ଟିଏ।
ଶୀତ ଥରଥର ଦେହେ ଉଷ୍ମତା ଭରିଦିଏ
ସେ ନାରୀ ଟିଏ
କେତେ ସୀହରଣ ଭରି ଦିଏ ଦେହେ
ମାଦକତା ଭରି ଦିଏ ମନେ ।
ଲାଜକୁଳୀ ଲତା ସେ
ଛୁଇଁ ଦେଲେ ଲାଜେଇ ଯାଏ
ଟିକିଏ ଦେଖି ଦେଇ ଟିକେ ଲୁଚକାଳି
ଖେଳୁଥାଏ
ସତେ ସ୍ୱର୍ଗ ର ପାରିଜାତ ଟିଏ
ତା'ର ମହମ ବାସରେ ଚଉଦିଗ
ମହକୁ ଥାଏ
ସେ ନାରୀ ଟିଏ..
କେତେବେଳେ ସଜ ଗୋଲାପ ଟିଏ
କେତେବେଳେ ଝରା ଶେଫାଳୀ ଟିଏ।
ସେ ନାରୀ ଟିଏ.. ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ