କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏻
କୋଟିପ୍ରଣତି ଘେନହେ ପରମାତ୍ମା
ଆତ୍ମା ହେଲା ସମର୍ପିତ
ସକଳ ଜନର ଦିନ ଶୁଭ କର
ହେ ପ୍ରଭୂ ଜଗନ୍ନାଥ।
ରାତି ପାହିଲେ ତୁମେ ଆସ ନାଥ
ଜ୍ୟୋତି ପ୍ରକଟିତ କରି
ତୁମକୁ ଦେଖିଲେ ହୃଦୟେ ଉଠେ
ଭକତି ପ୍ରଦୀପ ଜଳି।
ନାଥ ହେ ତୁମ ନାମରେ ଜଳୁଥାଉ
ମୋର ଆତ୍ମା ସଳିତା
ପରମାତ୍ମା ହେ ଶରୀର ଛାଡ଼ିଲେ
ହେବ ତୁମ ସାଥେ ଦେଖା।
ମଧୁର ମଧୁର ସବୁତ ମଧୁର
ମଧୁମୟ କର ଜୀଵନ
ଭିଜୁ ହୃଦୟ ତୁମରି ଭାବନାରେ
କଳୁଷତା ହେଉ ଦୂର।
ଘେନ ଭକତି ଫୁଲ ଆଞ୍ଜୁଳାଏ
ଦେଲି ତୁମ ପଦ୍ମ ପାଦେ
ଦିନ ଶୁଭମୟ ହେଉ ଶୁଭଙ୍କର
ଏତିକି ମାଗୁଣି ପାଶେ।
ଅନେକ ଯାତନା ଲେଖିଛ ମଣିଷ
ଜୀବନ ଖାତାରେ ତୁମେ
ଭାଗ୍ୟ ଭଗଵାନ ତୁମେ ଏକା ନାଥ
ଜୀଵନ ଛନ୍ଦା ଚରଣେ।
ତେଣୁ ପ୍ରଭାତରେ ତୁମରି ବନ୍ଦନା
ଏଇ ତୁଣ୍ଡ ଗାଉଥାଏ
ତୁମ ନାମ ରସରେ ଜୀବନର ସବୁ
ଶୋଷ ମେଣ୍ଟି ଯାଏ।
କାମନା ବାସନା ହରି ଯାଇ ମନୁ
ତୁଳସୀ ତୁଳସୀ ବାସେ
ପଦ୍ମଲୋଚନ ହେ କଳା ଵଦନରେ
ଚକା ଚକା ଆଖି ଦିଶେ।
ସେ ଆଖି ଚାହିଁଲେ ଵହୁତ ଭାବନା
ମନରେ ଯେ ଆସୁଥାଏ
କାହିଁକି ସବୁ ଦେଖି ଏ ଆଖି ନୀରବେ
ଜଗତକୁ ଚାହିଁ ଥାଏ।
ସେଇ ଚାପା ହସରେ ବହୁତ ଦୁଃଖ
ଲୁଚି ଥାଏ କିଏ ଜାଣେ।
ଲୀଳାମୟଙ୍କର କେତେ ଯେ ଲୀଳା
ତାଙ୍କୁ ସଢୁ ଜଣା ଥାଏ
ମୁଁ ଛାର ନାରୀ ଭଲ ପାଏ ବୋଲି
ତାଙ୍କ ନାମ ଲେଖୁଥାଏ।
ପାରି ହେବି ବୋଲି ଏ ଭବ ସାଗରୁ
ବସେ ଭରସା ନାବରେ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ