କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସମର୍ପଣ - ୫୦
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ।।
ମଙ୍ଗଳମୟ ହେ ମଙ୍ଗଳ ମୁରତି
ଅରକ୍ଷ ରକ୍ଷକ ହରି।
ପତିତପାବନ ଆରତ ନାଶନ
ଦୀନବନ୍ଧୁ ଦଇତାରୀ।।
ଅତ୍ୟନ୍ତ ଆତୁରେ ଡାକୁଛି ଠାକୁରେ
ଟିକେ ତ କରୁଣା ହେଉ।
ତୁମେ ନ ଚାହିଁଲେ ଆଉ କହ କିଏ
ଚାହିଁବ ହେ ମହାବାହୁ।।
ଜୀବନ ଧାରାରେ ତୁମେ ଏକା ସାହା
ଏ କଥା ବୁଝିଲା ପରେ।
ସମର୍ପି ଦେଇଛି ନିଜେ ମୁଁ ନିଜକୁ
ଅଦେଖା ପଦ୍ମ ପୟରେ।।
ସକାଳ ବିଛଣା ଛାଡ଼ିବା ପରଠୁ
ପୁନଶ୍ଚ ବିଶ୍ରାମ ଯାଏ।
ଜୀବନ ଜଞ୍ଜାଳ ଭିତରେ ମୋ ମନ
ତୁମ ନାମ ଜପୁଥାଏ।।
ଆହେ ଅନ୍ତର୍ଯ୍ୟାମୀ ମୋ ଜୀବନ ସ୍ବାମୀ
ତମେ କି ନ ଜାଣ ଏହା ?
ତୁମେ ମୋ ଆଶ୍ବାସ ତୁମେ ମୋ ବିଶ୍ୱାସ
ମହାଲକ୍ଷ୍ମୀ ପ୍ରାଣନାହା।।
ତୁମେ ମୋର ଆଶା ତୁମେ ମୋ ଭରସା
ତୁମେ ମୋ ଗତି ମୁକତି।
ତୁମେ ମୋ ଆବେଗ ତୁମେ ମୋ ସମ୍ବେଗ
ତୁମେ ହିଁ ମୋର ସମ୍ପତ୍ତି।।
ତୁମ ବିନୁ ଆନ ଜାଣେନା ମୋହନ
ଚିହ୍ନେନା କାହାକୁ ଆଉ।
ତୁମକୁ ବୁଝିଛି ଜୀବନ ନୌକାରେ
ନାଉରି ମୋ ମହାବାହୁ।।
ସକଳ ଭକ୍ତଙ୍କ ଦୁଃଖ ଦୂର ପାଇଁ
ପ୍ରସାରି ବିଶାଳ ଭୁଜ।
ନୀଳ ସିଂହାସନେ ବିଜେ କରିଅଛ
ମଣିମା ଦେବାଧିରାଜ।।
ପତିତପାବନ ବାନାକୁ ମନ୍ଦିର
ଶିଖରେ ଉଡାଇ ହରି।
ପ୍ରତି ମୂହୁର୍ତ୍ତରେ ଡାକିଛ ଭକତେ
ଆସ ଥରେ ନିଳଗିରି।।
ଘୋଷଣା କରିଛ ଥରେ ତୁମ ପାଦେ
ମାଗିଲେ ଶରଣ ଭିକ୍ଷା।
ସମସ୍ତ ସଙ୍କଟୁ ନିମିଷେ ସହାସେ
ନିଶ୍ଚୟ କରିବ ରକ୍ଷା।।
ଏପରି ଘୋଷଣା ଶୁଣି ଦୂର ଦେଶୁ
ଭକତେ ଆସନ୍ତି ଧାଇଁ।
କ୍ଷମିବ ସାଆନ୍ତେ ମୁଁ କିନ୍ତୁ ସର୍ବଦା
ପାସେ ଯାଇପାରି ନାହିଁ।।
ତଥାପି ବିଶ୍ବାସ ରଖିଛି ହୃଦରେ
ଦୂରରେ ରହି ବି ଗଜ।
ଡାକିଲା ତୁମକୁ ଗ୍ରାହ କବଳରୁ
ମୁକ୍ତି ପାଇଁ ଦେବରାଜ।।
ମୁଁ କି ଗଜଠାରୁ ଦୂରରେ ରହିଛି
ମୋ ଡାକ ଶୁଭିଲା ନାହିଁ।
ଅବା କିଛି ଦୋଷ ଲାଗି ଏତେ ଦଣ୍ଡ
କପାଳେ ଲେଖିଲା ବିହି।।
ହେ ଅଖିଳପତି ଅଗତିର ଗତି
କଠୋର ନୋହି ଠାକୁରେ।
ଉଦ୍ଧାର କର ହେ କମଳା ରମଣ
ଡାକୁଛି ଘୋର ଅତୁରେ।।
ମୋ ପାଇଁ ସହାୟ ହୁଅ ଦୟାମୟ
ଦୂର ହେଉ ହେଉ ଦୁଃଖ।
ନିରାସ ନ କର ନୀଳାଦ୍ରି ସୁନ୍ଦର
ଚିକ୍କଣ କଳା ଶ୍ରୀ ମୁଖ।
----------------------------------
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ