ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଝିପିଝିପି ବର୍ଷା ଵରଷି ଯାଉଛି ଆକାଶରୁ। କାହିଁକି କେଜାଣି ଜମା ବର୍ଷା ଛାଡିବାର ନାଁ ଧରୁନି।ପାଗଟା ବହୁତ ମାନ୍ଦା କରୁଛି ମନକୁ।ଛମ୍ ଛମ୍ ନାଚୁଛି ବର୍ଷା ଅଗଣାରେ ଓଳିରୁ ଟପ୍ ଟପ୍ ବର୍ଷା ଟୋପା ପଡି ସୁଅ ହୋଇ
ଚାଲିଯାଉଛି।ଏମିତି ବର୍ଷାଭିଜା ପାଗରେ
ସୁନିତା ଦେବୀ ଚାହିଁଛନ୍ତି ଦୂର ଦିଗନ୍ତକୁ ଏକଲୟରେ।
ଚାରିକାନ୍ଥ ରେ ଆବଦ୍ଧ କରି ନିଜ ମନକୁ। ଚାହିଁଛନ୍ତି
ବାତାୟନ ଦେଇ ବର୍ଷା ଭିଜା ସର୍ପିଳ ରାସ୍ତା କୁ। ସ୍ମୃତି ରେ ବତୁରି ଯାଉଛି ମନ।
ଏଇ ବର୍ଷା ଭିଜା ରାସ୍ତା ରେ ସେ ପିଲାଙ୍କୁ ନେବା ଆଣିବା କରନ୍ତି ବିଦ୍ୟାଳୟରୁ।କାଖେଇ କୋଳେଇ ବଡ଼ କରିଛନ୍ତି
ପିଲାଙ୍କୁ।ଭଲ ମା'ର ପରିଚୟ ପାଇଛନ୍ତି।ଆଜି କାହିଁକି ଭାରି ମନେ ପଡେ ସେ ଦିନର କଥା।
ପିଲାଙ୍କର ଅଳିଅଝଟ କଥା ସବୁ। କେତେ ସ୍ୱପ୍ନଦେଖିଥିଲେ ସେ ! ସେ ଦେଖୁଛନ୍ତି ସତେ ଯେମିତି ସ୍ୱପ୍ନ ସବୁ ତାଙ୍କର ଭାସିଯାଇଛି ବର୍ଷା ପାଣିରେ।ଗଛ ପତ୍ର ମାଟି ପରିଭିଜି ଯାଉଛି ମନଟା।ନୀରଵତା ସତେ ଯେମିତି ମନରେନିଆଁ ଲଗାଇ ଦେଉଛି।ଭାବନାରେ ବୁଡି ଯାଇଛନ୍ତି ସୁନୀତା ଦେବୀ।କେଉଁଠୁ ଆସି କେଉଁଠି ପହଞ୍ଚିଲେ ସେ।
ଫେରିଯାଇଛନ୍ତି ଅତିତକୁ। ସୁନାର ସଂସାର ନିଜ ହାତରେ ଗଢିଥିଲେ ସେ। ହସଖୁସିର ସଂସାର ରେ ଫାଟି ପଡୁଥିଲା ଘର।ପିଲା ମାନେ ଶଶିକଳା ପରି ବଢ଼ିବାକୁ ଲାଗିଲେ।ଧିରେ ଧିରେ ବଡ଼ ହେଲେ।
ସତରେ ସମୟଟା ବଦଳିଯାଏ ନା। କେବେ କାହାକୁ ଅପେକ୍ଷା କରେନା। ତା ଇଛାରେ ବନ୍ଧା ଏ ଜୀବନ ରଥ।
ଯୁଆଡ଼େ ଟାଣେ ସିଆଡେ ଯାଏ।
ମଣିଷ ର ସ୍ୱପ୍ନ ଅନେକ ସବୁ କିନ୍ତୁ ସଫଳ ହୁଏ ନାହିଁ
କିଛି ସ୍ୱପ୍ନ ବାକି ରହିଯାଏ। କିଛି କଥା ମନରେ ରହିଯାଏ।କିଛିଟା ଲୁହ ହୋଇ ବୋହିଯାଏ ଚିବୁକ୍ ଦେଇ। ଆଉ କିଛି ଲୁହ ଆଖି ପିଇଦିଏ।
କେତେ ଝଡ ଝଞ୍ଜା ପାରି ହୋଇ ସୁନୀତା ଦେଵୀ ନିଜ ହାତରେ ଗଢ଼ିଛନ୍ତି ଛଣଛପର ଘରେ ସୁନାର ସଂସାରଟିଏ।କାହିଁକି ଆଜି କହିପାରୁନାହାନ୍ତି ମନର କଥା କାହାକୁ।ମଣିଷ ସୁଖର ସାଥି ତେଣୁ ମନ କଥା କହିବାକୁ ଭଲ ଲାଗୁନି କାହାକୁ। ନୀରବରେ ଭିଜୁଛନ୍ତି ଏଇ ବର୍ଷା ରେ ଶ୍ରାବଣୀ ସହିତ ।
ପିଲା ମାନେ ବଡ଼ ହେଲେ ଚାକିରି କରି ଦୂରେ ରହିଲେ
ମା ମନ କିନ୍ତୁ ଝୁରୁହୁଏ ପିଲାଙ୍କୁ।ଆଜି ରୋଗାକ୍ରାନ୍ତ ଶରୀର ସ୍ୱାମୀ ସ୍ତ୍ରୀ ଦୁହେଁ କେମିତି ଵନ୍ଚିବେ ପିଲା ମାନଙ୍କଠାରୁ ଦୂରେଇ ରହି।ତାଙ୍କ ସମାଜରେ ଏ ମାନେ ଚଳିବା ବହୁତ କଷ୍ଟକର। ତେଣୁ ଏକଲା ରହିଛନ୍ତି। ଧନର ଅଭାବ ନାହିଁ ଅଛି ମନର ଅଭାବ। ମଣିଷର ଅଭାବ। ପିଲାମାନଙ୍କର ବି ସମୟ ନାହିଁ ଆସି ବୁଲି ଯିବାକୁ।
ମଲାଜହ୍ନ ପରି ମରି ଯାଉଛି ଏ ମନ। ପୂର୍ଣ୍ଣମୀ ତିଥିରେ
ଲୁଚି ଯାଇଛି ତୋଫା ଜହ୍ନଟା ଆକାଶ ଛାତିରେ।
ଗୁମୁରି କାନ୍ଦୁଛି କଇଁ ପୋଖରୀ ଭିତରେ।
ସମୟ କାହାକୁ କେଉଁଠି ପହଞ୍ଚାଇ ଦିଏ। କାହାକୁ କରେ ଭିକାରି କାହାକୁ ରାଜା।
ସୁନିତା ଦେବୀ ଜଳି ଜଳି ସରିଯାଇଥିବା ଦୀପ ଟିଏ।
ଅନ୍ତର୍ଦାହ ରେ ଜଳେ ଜୀବନ।ମନ ବୋଲି କିଛି ନାହିଁ
ହୃଦୟ ଟା ବନ୍ଧା ପଡ଼ିଯାଇଛି କେବେଠୁ ସଂସାର ହାଟରେ।ସୁନୀତା ଦେଵୀ ଭାବନାରେ ମଗ୍ନ ସତେ ଯୋଗିନୀ ଟିଏ।ହାରିବା ଜିତିବାର ହିସାବ ଭିତରେ ହଜିଯାଇଛନ୍ତି ସେଟିକେ ବର୍ଷା କମିଗଲା। ଚାହିଁଲେ ଆକାଶକୁ।
ମଲାଜହ୍ନ ଆକାଶ ରେ। ନାହିଁ ତୋଫା ଚାନ୍ଦିନୀ
ଭାରି ଉଦାସ ସେ ଜହ୍ନଟା।ଠିକ୍ ସୁନିତା ଦେବୀ ପରି .. ଆବଶ୍ୟକ ସରିଗଲେ ଫିଙ୍ଗି ଦିଆଯାଏ ପୁରୁଣା ବସ୍ତ୍ର କୁ ଠିକ୍ ସେମିତି ସରିଗଲାପରିବାର ପାଇଁ କର୍ତ୍ତବ୍ୟ।ଏବେ ନାହିଁ ତାଙ୍କ ପାଖରେ ଆଉ କାମ। ନୀରବତା ତାଙ୍କ ଚାରିପାଖରେ ରାଜୁତି। ଯେମିତି ପୂର୍ଣ୍ଣିମା ପରେ ଆସେ ଧୀରେ ଧୀରେ ଅନ୍ଧାର। ମଲା ଜହ୍ନ ଟା ଖତେଇ ହେଉଛି ସୁନୀତା ଦେଵୀଙ୍କୁ। ଆକାଶର ଜହ୍ନ ପରି ସେ ଉଦାସ।
ସତେ ମଲାଜହ୍ନ ଟିଏ.. ନାହିଁ ଉଇଁ ବାର ଅଭିପ୍ସା। ନାହିଁ ଦେବାରେ ଆନନ୍ଦ। ପିପାସା ନାହିଁ ମନରେ।ଚାନ୍ଦିନୀ ନାହିଁ ହେଲେ ଜହ୍ନ ଅଛି ଆକାଶରେ ମଲା ଜହ୍ନ ଟିଏ ହୋଇ ପ୍ରତିବିମ୍ବ ତା'ର ସାଗର ବକ୍ଷରେ...
ସୁନିତା ଦେବୀ ସତ୍ତା ହରାଇ ଦେଇଛିନ୍ତି ମଲା ଜହ୍ନ ପରି।
ଓଃ କି ଯନ୍ତ୍ରଣା ସେ ମଲା ଜହ୍ନ ଛାତିରେ.....
ଝୁରି ହେଉଛି କୁମାର ପୂର୍ଣ୍ଣିମା ରେ ଚାନ୍ଦିନୀକୁ।
ଆଃ ଫୁଟନ୍ତା କି କଇଁ ଏଇ ଗୁମ୍ ସୁମ୍ ରାତିର ଛାତିରେ।
କହି ଦିଅନ୍ତା ମନ ଖୋଲି ହୃଦୟର କଥା ସବୁ।
ଟିକେ ମିଠା ଆଶ୍ୱାସନା ରେ ପୁଣି ଆସନ୍ତା ପୂନେଇ ଜହ୍ନ ହୋଇ......ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା/ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ