ଅଧ୍ୟାୟ ୪୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ସକଳ ଘଟରେ ବିଜେ ନାରାୟଣ
ସକଳ ଜୀବନ ଦାତା।
ସକଳ ଅନ୍ତରେ ଅନ୍ତର୍ଯ୍ୟାମୀ ହରି
ସକଳ ଭାଗ୍ୟ ବିଧାତା ।ା
ସକଳ ସୃଷ୍ଟିର ତୁମେ ସୃଷ୍ଟି କର୍ତ୍ତା
ସକଳ ପ୍ରାଣର ପ୍ରାଣ।
ସକଳ ଜୀବନ ନିୟାମକ ନାଥ
ସକଳ ସ୍ଥିତି କାରଣ ।ା
ତୁମରି ଇଚ୍ଛାରେ ଯେବେ ଏ ସଂସାରେ
ସବୁ କିଛି ହେଉ ଥାଏ।
କାହିଁକି ମୋ ଇଚ୍ଛା ପ୍ରକାଶ କରିବି
ମୁଁ ଅବା ଛାର କିଏ ?
ସୁଖ ମାଗିବିନି ଦୁଃଖ କହିବିନି
ଭାବୁଛି ଏବେଠୁ ହରି।
ଆଖିର ଲୁହକୁ ଆଖି ତଳେ ରଖି
ଦିନ ଯାଉ ନାମ ସ୍ମରି ।ା
ମୋ ଜୀବନ ଦୁଃଖ ଯଦି ତୁମ ସୁଖ
ହେଉଥାଏ ଜଗନ୍ନାଥ।
ସମର୍ପଣ ।ାା ୧୩୧
କାହିଁକି କାନ୍ଦିବି କା'ଆଗେ କହିବି
ନିନ୍ଦା ହେବ ଲକ୍ଷ୍ମୀକାନ୍ତ ।ା
ହୁଏତ କା'ଆଗେ ଦୁଃଖ ବଖାଣିଲେ
ସିଏ ଯଦି ପଚାରିବ।
କଳା ସାଆନ୍ତକୁ ଭରସା କରି ତୁ
ପାଇଲୁ କଅଣ ଲାଭ ?
ମୋର ଦୁଃଖ ଠାରୁ ତୁମ ନିନ୍ଦା ମୋତେ
ଅତି କଷ୍ଟ ହେବ ବୋଲି।
କାହାକୁ କହୁନି ଯଦିଓ ଦୁଃଖର
ନିଆଁରେ ଯାଉଛି ଜଳି ।ା
ଭାବି ପାରୁନି ମୁଁ କିମ୍ପାଇଁ ମୋ ହରି
ମୋ ପାଇଁ ହେଲେ କଠୋର।
ଶୁଖିଗଲା କିବା ଅନନ୍ତ କରୁଣା
ପାହାଡ଼ରୁ କୃପା ଝର !
କିବା ଦିବ୍ୟାଶୀଷ ବରଷାର ଧାରା
ଆଉ କାହିଁ ଗଲା ଚାଲି।
କିବା ମୋ କପାଳେ ଅବଶିଷ୍ଟ ଦିନ
ଲେଖା ମୁଁ ଜଳିବି ବୋଲି ।ା
ଜୀବନ ଢଳିଲା ପଶ୍ଚିମ ଆଡ଼କୁ
ସାଆନ୍ତେ ମାଗେ ଶରଣ।
ସହି ହେଉନାହିଁ ବୋଲି କହିଦେଲି
ତେଣିକି ଶୁଣ ନ ଶୁଣ ।ା
ତୁମେ ତ ଗଢ଼ିଛ ପ୍ରତ୍ୟେକର ସୀମା
ତୁମ ଗଢ଼ା ସଂସାରରେ।
ଅଭିମାନ ଲାଗେ କାହିଁକି ମୋ ପାଇଁ
ଦୁଃଖ ରଖିଦେଲ ପୁଳେ ।ା
ସମର୍ପଣ ।ାା ୧୩୨
ଏଇ ମନ ପ୍ରାଣ ତୁମକୁ ଦେଇଛି
ତୁମେ ମୋ ମନ ଠାକୁର।
ଜୀବନ ସମର୍ପି ଦେଇଛି ଶ୍ରୀ ପଦେ
ରକ୍ଷାକର ରକ୍ଷାକର ।ା
ଯନ୍ତ୍ରଣା ଆବଦ୍ଧ ଭିତରେ ଜୀବନ
ସରି ସରି ଯାଏ ନାଥ
ସାହା ହୁଅ ବାରେ ମୋ ପ୍ରାଣ ଦେବତା
ହେଲି ପାଦେ ସମର୍ପିତ।ା
ସମର୍ପଣ ।ାା ୧୩୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ