ଅଧ୍ୟାୟ ୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ପାପି ବୋଲି ଦେଖା ନଦେଲ ନାହିଁ
ସପନରେ ଥରେ ଆସ
ଧନ୍ୟ ହେଉ ଲଭି ମଣିଷ ଜନମ ପାଇ
ତୁମ ଦିବ୍ୟ ପରଶ।
ବୁଝିଯାଉ ଏ ଅବୁଝା ମନଟା ନାଥହେ
ହୃଦୟ ସିଂହାସନରେ ବସ
ଦୁଃଖ ଚାଲିଯାଉ ଦୁଃଖର ବାଟରେ
ଦୁଃଖ ନାଶନ ହେ ଥରେ ଆସ।
ସ୍ୱପ୍ନରେ ତୁମେ ଆସ ହେ ଜଗନ୍ନାଥ
ତୁଳସୀ ବାସକୁ ନେଇ
ମହକି ଯାଉ ଏଇ ମନର ଅଗଣା ମୋ
ତୁମରି ସାନ୍ନିଧ୍ୟ ପାଇ।
ଭାବ ବନ୍ଧନ ୩୪
ଆସ ନାଥ ତୁମେ ପିନ୍ଧି ପିତାମ୍ୱରୀ
ଚନ୍ଦନ ଚର୍ଚ୍ଚିତ ବେଶ ହୋଇ
ତୁମ ରୂପର ମାଧୁର୍ଯ୍ୟରେ ଆଖି ହେଉ ଧନ୍ୟ
ପବିତ୍ର ହେଉ ଜୀବନ ତୁମରି ପାଇଁ।
ମନର ଆବେଗରେ ତୁମେ ଆସ ନାଥ
ସାଇତିଛି ମଲ୍ଲି ମାଳ
ନୁହେଁ ମୁଁ କୁ୍ୱୁଜା ତଥାପି ନିତି ଘୋରୁଛି
ଚନ୍ଦନ ରଖିଛି ତୁଳସୀ ହାର।
ଆସ ଥରେ ନାଥ ଅତିଥି ଭାବରେ ମୋର ଘରକୁ
ବିଦୁର ନୁହେଁ ତଥାପି ରଖିଛି ଶାଗ ଭଜା
ଦେବା ପାଇଁ ତୁମକୁ।
ସୁଦାମା ପରି କାନିରେ ବାନ୍ଧି ରଖିଛି ଖୁଦ ଭଜା
ଭେଟି ଦେବାକୁ ତୁମ ପାଇଁ।
ଦେଇ ପାରିବିନି ଷାଠିଏ ପଉଟି ଭୋଗ
ରାଗିବେନି ଭାବଗ୍ରାହୀ।
ଧନ୍ୟ ହେବି ଦେଖି ତୁମକୁ ପାଖରେ
ହେ ଜଗନ୍ନାଥ।
ପାଦ ତଳେ ତୁମ ସମର୍ପିତ ହେବି ଆଖିର
ଲୁହରେ ପାଦ ଧୋଇ ଦେଇ।
ପଚାରିବି ନାଥ କେଉଁ ଜନ୍ମର କଷ୍ଟ ରଖି
ଥିଲ ଏଇ ଜନମରେ ଦେବାପାଇଁ।
ଭାବ ବନ୍ଧନ ୩୫
ବୋହି ଯାଉ ସବୁ ଲୁହ ତୁମକୁ ଦେଖି ମୋ
ଏମନ ପରା କୋହର ବରଫ ଘର
ତରଳି ଯାଉ ଲୁହ ହୋଇ ତୁମ ପାଦ ତଳେ
ଦେଖି ତୁମକୁ ମନ ହେଉ ସ୍ଥିର।
ମଧୁସୂଦନ ହେ ମଧୁର ମଧୁର ତୁମରି ନାମ
ମଙ୍ଗଳମୟ ହେ ମଙ୍ଗଳ ହେଉ ଲଭି ତୁମ
ଦିବ୍ୟ ଦର୍ଶନ।
ପଙ୍କିଳ ପଥରୁ ଉଦ୍ଧାର କର ହେ ଜଗତ ସାଇଁ
ତୁମ ନାମଧରି ଦିନ ସରିଯାଉ
ଏତିକି କାମନା ଜଗତ ସାଇଁ।
ଭାବ ବନ୍ଧନ ୩୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ