ଅଧ୍ୟାୟ ୮୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କିଏ ଛଳନାରେ ଗେଇ
ତ କିଏ ସ୍ୱାର୍ଥରେ ।
କିଏ ସମ୍ପର୍କକୁ ନେଇ
ପ୍ରତାରଣା କରେ
କିଏ ହୃଦୟରୁ ମମତା ଦେଇ
ତିଆରି କରେ
ତା'ର ରକ୍ତର ପ୍ରତି ବିନ୍ଦୁରେ
ତା’ ସ୍ପନ୍ଦନ ଧକ୍ଧକ୍ ରେ
ଖୋଜେ ସମ୍ପର୍କକୁ ।
କ୍ଷଣସ୍ଥାୟୀ ମିଛ ସମ୍ପର୍କ
ସତ୍ୟ ଦିନେ ସାମ୍ନାକୁ ଆସେ
ମିଛ ସମ୍ପର୍କର ତାଜମହଲଟା
ଭାଙ୍ଗି ଖଣ୍ଡଖଣ୍ଡ ହୋଇ ଯାଏ।
ସେଇଠି ମରେ ମମତାର ଗଛଟି
ଝାଉଁଳିପଡ଼େ ବିଶ୍ୱାସର ଫୁଲଟି
ଭାଙ୍ଗିଯାଏ ସରଳ ହୃଦୟଟା
ବିନା ଶବ୍ଦରେ
ପିଇଯାଏ ଗରଳ ଅଜାଣତରେ
ବିଷ ଜ୍ୱଳାରେ ଛଟପଟ ହୁଏ ମନ ।
ଆଶାର ବୈତରଣୀ ଶୁଖିଯାଏ
ଦୋହଲିଯାଏ ବିଶ୍ୱାସର ଗଛ
ମନର ତୃଷ୍ଣା ମରିମରି ଯାଏ
ଜୀନ ହତାଶାରେ ଭରିଯାଏ।
ସମ୍ପର୍କ !
ଆସେ ହୃଦୟରୁ, ମନର ବିଶ୍ୱାସରୁ
ଛାତିର ଶୂନ୍ୟତାକୁ ପୂର୍ଣ୍ଣ କରେ
କ୍ଷତାକ୍ତ ମନକୁ ସ୍ନେହର ମଲମ ଦିଏ
ମନର ଭାଷାକୁ ପଢ଼ିଯାଏ ଅଚିରେ
କହିବା ଆଗରୁ ବୁଝିଯାଏ ସବୁକୁ
ମାଗିବା ଆଗରୁ ଦିଏ ହୃଦୟକୁ।
ସମ୍ପର୍କ ତୁମ ମୋ ଭିତରେ
ସତେ ଜହ୍ନ ଆଉ କଇଁର
ଅଦୃଶ୍ୟରେ ଗାରଟିଏ ଟାଣିଦେଲ
ସମ୍ପର୍କର ନାମ ଦେଇ
କେମିତି ହଜିଗଲା ମନ ତୁମ ପାଖରେ
ସେ କଥା ଜଣି ନାହିଁ।
ନାରୀଟିଏ ବୋଲି
ପ୍ରୀତିର ରଜ୍ଜୁରେ ବାନ୍ଧି ଦେଲି ତୁମକୁ
ସମ୍ପର୍କର ଦ୍ୱାହି ଦେଇ
ମା’ଟିଏ ହୋଇ ବାନ୍ଧିଦେଲି ମମତାର
ରଜ୍ଜୁରେ ସନ୍ତାନକୁ
କନ୍ୟାଟିଏ ହୋଇ
ମିଠା କଥାରେ ବାନ୍ଧି ଦେଲି
ପରିବାରକୁ
ରାକ୍ଷୀର ଡୋରିରେ ବାନ୍ଧିଦେଲି
ଭାଇ ଭଉଣୀର ସମ୍ପର୍କକୁ
ସମ୍ପର୍କ ତ ଏମିତି
କେଉଁ ଗୋଟିଏ ଡୋରିରେ ବନ୍ଧା ।
ବୟସର ଅପରାହ୍ନରେ
ହୃଦୟର ଖୋଲା ଆକାଶେ
ସମ୍ପର୍କର ପକ୍ଷୀଟି
ଡେଣା ଝାଡି ଉଡୁଥାଏ ଏଣେ ତେଣେ
ସମ୍ପର୍କର ମାନେ କିଏ ବୁଝେନି
ସମ୍ପର୍କ ଗଢିଉଠେ ହୃଦୟରୁ
ଆନ୍ତରିକତାରୁ ବିଶ୍ୱାସରୁ ଭରସାରୁ
ମମତାରୁ ଆବେଗରୁ ।
ସମ୍ପର୍କର ସେତୁ ତିଆରି ହୁଏ
ମମତାର ବାଲି ସିମେଣ୍ଟରେ
ଆଉ ସଂପର୍କ ମଜବୁତ ହୁଏ
ପରସ୍ପର ପ୍ରତି ଆପଣାପଣରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ