ଅଧ୍ୟାୟ ୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ଶ୍ରୀ ପଦାରବିନ୍ଦେ ଅଳି ମହାପ୍ରଭୁ
ଶୁଭେ ଯାଉ ଦିନ ସରି।
ଆହେ ଦୟାମୟ କରୁଣା ସାଗର
ସରୁ ଦିନ ନାମ ସ୍ମରି ।ା
ନାମ ସ୍ମରଣରେ ସଞ୍ଜ ସକାଳରେ
ମନରେ ପୁଲକ ଭରି।
ଈଶ୍ୱରମନସ୍କ ହୁଏ ମୋ ଭାବନା
ସଂସାରକୁ ପଛ କରି ।ା
ମନ ହୁଏ କିଛି ଲେଖିବା ପାଇଁକି
ତୁମର ମହିମା ଗୁଣି।
କଲମ ମୋହର ହୁଏ ମଧୁସ୍ରାବି
କୃପା ତବ ନୀଳମଣି ।ା
ଆହେ ଇଛାମୟ ତୁମରି ଇଛାରେ
ଶବ୍ଦ ସିନା ଆସି ଥାଏ।
ତୁମେ ନ ଚାହିଁଲେ ତୁମ ଦୁନିଆଁରେ
ମୁଁ ଅବା ଛାର କିଏ ?
ତୁମ ଦେବା ଶବ୍ଦ ହେଉ ତୁମ ପାଇଁ
ଶବ୍ଦ ଫୁଲ ଭକତିର।
ଅନୁରାଗ ମୋର ଭବମୟ ହେଉ
ବିନତୀ ନୀଳ ସୁନ୍ଦର ।ା
ସମର୍ପଣ ।ାା ୧୧
ଶବ୍ଦରେ ଆଙ୍କିବି ଜୀବନର ଛବି
ଯାହା ମୋ ଅନୁଭବରେ।
ହେତୁ ପାଇଲାଠୁ ସାଇତି ରଖିଛି
ମୋର ସ୍ମୃତି କରାଟରେ ।ା
ଯେବେ ମୁହିଁ ତୁମ ପାଦେ ସମର୍ପିବି
ମୋର ଜୀବନ ଛବିକୁ।
ମନ କହୁଛି ମୋ ନିଶ୍ଚୟ ଭାବିବ
କେତେ ସହିଛି କଷ୍ଟକୁ !
ସତ କହୁଛି ମୁଁ ପରାଣ ଦେବତା
ବୟସ ଅପରାହ୍ନରେ।
ଆଉ ସହି ହେଉ ନାହିଁ ପୁର୍ବପରି
ଆଖିରୁ ଲୋତକ ଝରେ ।ା
ମିଛ ଦୁନିଆଁରେ ମିଛ ଅଭିନୟ
ଯେଣୁ କରି ଶିଖି ନାହିଁ ।
ବାରମ୍ବାର ହାରିବାକୁ ବାଧ୍ୟ ହୁଏ
କହିବି କା'ଆଗେ ଯାଇ ।ା
ପର ଲୋକ ଆଗେ ଦୁଃଖ ବଖାଣିଲେ
କାଳେ ତୁମ ନିନ୍ଦା ହେବ।
ସେ ଲାଗି ରହୁଛି ନୀରବ ବ୍ରତରେ
ଜାଣିଥିବ ତ ମାଧବ ।ା
ମନ ବୁଝିଲାନି ବୋଲି ତୁମ ଆଗେ
ସତ ସବୁ କହିଦେଲି।
ବିଶ୍ୱାସ ରହିଛି ତୁମେ ଇଚ୍ଛା କଲେ
ଦୁଃଖ ଦୂର ହେବ ବୋଲି ।ା
ହେ କଳା ମଣିମା ନିରାଶ ନ କର
ଶରଣ ଆଗତ ମୁହିଁ।
ଶରଣ ରକ୍ଷଣ ବାନା ଟେକ ରହୁ
ଅନନ୍ତ ସମୟ ପାଇଁ ।ା
ସମର୍ପଣ ।ାା ୧୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ