ଅଧ୍ୟାୟ ୧୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଶୋଇ ପଡିଛକି ହେ କଳା ଠାକୁର
ଡାକି ଡାକି କଣ୍ଠ ଶୁଖିଗଲା ମୋର
କାଲି ଯାଇଥିଲି ନାଥ ତୁମ ମନ୍ଦିର
ଦୁଃଖ କାହାଣୀ କହିବାକୁ ମୋର।
ହାରିଲି କେତେ ମୁଁ ଜିତିଛି କେତେ
କରିବାକୁ ହିସାବ ଜୀବନ ଅଙ୍କର
ଆପଣାର କିଏ ପର ମୋର କିଏ
ଚିହ୍ନି ପାରିଲିନିତ ସମ୍ପର୍କକୁ ମୋର।
ମନ ଇଛା ଏଣୁ ତେଣୁ କିଛି କହିଲି
ଶୁଣିଲ କିନା ନାଥ ଜାଣି ନପାରିଲି
ସଂସାର ନାବ ଟଳମଳ ହୋଇଲା
ଯନ୍ତ୍ରଣା ଦେହରେ ବଢିବଢି ଗଲା।
ସହି ପାରୁନି ଏଇ ଭାରକୁ ହେ ନାଥ
ହାଲୁକା କର ବୋଝ ହେ ଜଗନ୍ନାଥ
ତୁମେ ଆରମ୍ଭ ପୁଣି ତୁମେ ତ ଶେଷ
ଅନାଥର ନାଥ ତୁମେ ତ ଜଗନ୍ନାଥ ।
ଭାବ ବନ୍ଧନ ୫୩
ତୁମେ ସବୁ ରୋଗର ତ ମହୋଷଧି
ତୁମେ କରୁଣା ସାଗର ହେ କୃପାନିଧି
ତୁମେ ଦୁଃଖିର ପରା ଦୁଃଖ ନାଶନ
କୁଶକ୍ତି ନାଶ କର ହେ ଚକାନୟନ।
ଜୀବନ ଖେଳୁଛି ନାଥ ଚକା ଭଉଁରି
ଘୂରି ଘୂରି ଜୀବନ ହାଲିଆ ହେଲାଣି
ଆଉ ପକାଅନି ନାଥ ତୁମ ମାୟାରେ
ଛଟପଟ ପ୍ରାଣହେଲା ମାୟା ଜାଲରେ।
ଆଖିବୁଜି ଦେଇ କହିଦେଲି ମନକଥା
ଶୋଇପଡିଥିଲକି ହେ ଜଗତକରତା
ଅନନ୍ତ ଶୟନରେ ତୁମେ ଥିଲା ବେଳେ
ଭକ୍ତ ଆତୁର ଡାକ ପରା ଶୁଣ କର୍ଣ୍ଣରେ।
ମୋ ବେଳକୁ କିଆଁ ନିଷ୍ଠୁର ହେ ନାଥ
ତୁମ ବିନା ଆଉ କେହି ପାଖେ ନାହିଁତ
ତୁମେ ମୋର ସଖା ତୁମେ ସହୋଦର
ତୁମେ ନାଥ ମୋର ସମ୍ପର୍କର ଡୋର।
ତେଣୁ କହେ ନିତି ମୋର ମନର କଥା
ତୁମେ ଦୂର କରିଥାଅ ମୋ ସବୁ ବ୍ୟଥା
ହେ ନାରାୟଣ ବାସୁଦେବ ଜଗନ୍ନାଥ
ଦେଖୁଛକି ନାହିଁ ଭକତ ମନର ଦୁଃଖ ।
ଶୋଇ ପଡିଛକି ମୋର କଳା ଠାକୁର
ଆଖି ଖୋଲ ଘେନ କୋଟି ନମସ୍କାର
ଆଖିର ଲୁହରେ ଖୋଲ ତୁମ ନୟନ
ତୁମ ଚରଣରେ ସମର୍ପିତ ଏଇ ଜୀବନ।
ଭାବ ବନ୍ଧନ ୫୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ