ଅଧ୍ୟାୟ ୨୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଭାବଗ୍ରାହୀ ହେ !
ଭାବର ଠାକୁର ବୋଲି ମୋ’
ଭାବନାରେ ନିତି ଆସୁଥାଅ
ମୋ ଚିନ୍ତା ଚେତନାରେ ରହି
ହୃଦୟ ସିଂହାସନେ ବସିଥାଅ।
ଭାବରେ ଡାକିଲେ ତୁମେ ଆସି
ଯାଅ ଭକତ ପାଖେ
ଭକ୍ତିର ପୁଷ୍ପାଞ୍ଜଳି ନିଅ ଭକତ ହସ୍ତେ।
ଭାବରେ ଡାକିଲା ବୋଲି
ଯୁଗେ ଯୁଗେ ଭକ୍ତର ହେଲ
ନିଜର ଅନନ୍ତ ଶୟନରୁ ଉଠିଯାଅ
ଭକତ ଉଦ୍ଧାର ପାଇଁ ଜନାର୍ଦ୍ଦନ।
ହୃଦୟ ଖୋଲି ଦୁଇ ହାତ ଟେକି
ସମର୍ପିତ ହେଲା ବୋଲି ପାଞ୍ଚାଳି
ମାନ ରଖିଲ କୋଟି ବସ୍ତ୍ର ଦେଇ
କୁରୁ ସଭା ତଳେ ତାହାରି
ଧର୍ମର ଜୟ କର ବୋଲି ତୁମେ
ରହିଲ ଧର୍ମ ପାଖେ
ଅଧର୍ମର ବିନାଶ ପାଇଁ ଚକ୍ର ପେଶି
ନାଶ ପାପି ଜନେ।
ଭାବ ବନ୍ଧନ ୬୬
କହିବ କି କଳା ଠାକୁର ଥରେ!
କାହିଁକି ଭକତକୁ ଦିଅ ତୁମେ ଦୁଃଖ ସବୁବେଳେ
ବୁଝିପାରେନା ଏକି ମାୟା ତୁମର
ଏଥିରେ କି ମଙ୍ଗଳ ଭକତର।
ଭାବ ବୁଝ ବୋଲି ତୁମେ ଭାବଗ୍ରାହୀ
ଦୁଃଖିର ଦୁଃଖ କି ଦେଖିପାର ନାହିଁ
ଚାହିଁ ଦିଅ ଥରେ ବଡ଼ ଦାଣ୍ଡ ଆଡ଼େ
କେତେ ଦୁଃଖିଙ୍କର ଲାଗିଛି ଭିଡ
ତୁମେ ବସିଛ ଗମ୍ଭିରୀ ଭିତରେ
ଶୁଭୁନି କି ଆଜି ଭକତ ଡାକ।
ତୁମ ଭାବକୁ ମୁଁ ବୁଝି ପାରୁ ନାହିଁ
କି ଭାବ ଅଛି ଭକତ ଆଉ ତୁମ ଭିତରେ
ଏତେ ବିଶ୍ୱାସରେ ଭକତ ଡାକେ
ତୁମକୁ ବଡ଼ଦାଣ୍ଡରେ
ସେଇଠୁ ଆଶିଷ ଝରୁ କୃପାନିଧି
କୃପା ନ ହେଉ ଊଣା।
ବିଶ୍ୱାସରେ ପରା ତୁମେ ଜଗନ୍ନାଥ
ବିଶ୍ୱାସ ନ ହେଉ ତୁମର ଛଳନା
ଅନୁଭବର ଠାକୁର ତୁମେ
ଅନୁଭବରେ ଆସି ଯାଅ
ଭକତ ଆଖିର ଲୁହ ଅଦୃଶ୍ୟ
ହାତେ ପୋଛି ଦିଅ।
ଭାବର ଠାକୁର ହେ ଭାବଗ୍ରାହୀ
ଭାବରେ ଥାଅ ରହି
ଅନୁଭବ ଠାକୁର ଅନୁଭବରେ
ଦିଅ ସବୁ କହି ।
ଭାବ ବନ୍ଧନ ୬୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ