ଅଧ୍ୟାୟ ୨୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ଜଗନ୍ନାଥ
ଆତ୍ମା ପରମାତ୍ମା ପାଖରେ ସମର୍ପିତ
କଳିରେ ପ୍ରତ୍ୟକ୍ଷ ଦେବତା ହେ ନାଥ
ପାପି ନାରୀଟି ଖୋଜୁଛି ପୁଣ୍ୟର ପଥ।
ବେଳୁ ବେଳୁ ଜୀବନଟା ଯନ୍ତ୍ରଣା ଦିଏ
ତୁମ ନାମାମୃତରେ ଆତ୍ମା ଶାନ୍ତି ହୁଏ
ମରିଚିକା ପଥରେ ଧାଇଁ ମନ ହାଲିଆ
ଶାନ୍ତିର ତୁଳସୀ ପାଣି ମିଳୁହେ କାଳିଆ।
ଚୋରା ବାଲିରେ ପୋତି ହେଲା ପାଦ
ଚାଲିବାକୁ ସଂସାର ପଥରେ ବଳନାହିଁ ତ
କ୍ଷୀଣ ହେଲା ଶରୀର ଉଦାମତା ନାହିଁ
ତୁମ ବିନା ମନ ଆଉ କିଛି ଚାହେଁ ନାହିଁ।
ଧନ ଦରକାର ଥିଲା ଯୌବନ ବେଳରେ
ଜପାମାଳୀ ଦରକାର ବାର୍ଦ୍ଧକ୍ୟ ବେଳରେ
ରାମ ନାମ ହରି ନାମ ଭାରି ମିଠା ଲାଗେ
ତେଣୁ ରାତି ପାହିଲେ ତୁମ ନାମକୁ ଲେଖେ।
ଭାବ ବନ୍ଧନ ୭୮
ସପନ ସରି ଗଲା ନିଦ ଭାଂଗିଲା ଆଖିରୁ
ମାୟା ର ପରଦା ହଟିଲା ଦେଖେ ତୁମକୁ
ମିଛ ସୈାଦା ସରିଲା ନାଥ ଏ ମିଛହାଟରୁ
ସତ୍ୟ ହାଟ ଖୋଜେ ସତ ସୌଦା କିଣିବାକୁ।
ଏପାରିରେ ନାଥ ହେ ସତ୍ୟର ହାଟ ଦିଶୁନି
ଆରପାରିରେ ଦେଖୁଛି ସତ୍ୟ ହାଟ ବସିଛି
କେହି ଠକୁନି କାହାକୁ ତୁମର ଆଦେଶ ଅଛି
କେମିତି ଯିବି ଅଥଳ ସାଗର ଆଗରେ ଅଛି।
ତୁମେ ଦୟାର ସାଗର ନିଅ ହେ ନାବ କୂଳକୁ
ସେପାରିରେ ମାପିଦେବ ଟିକେ ମୋ ପୁଣ୍ୟକୁ
ପାଲା ଉପରକୁ ଗଲେ ଦେବ ଆଶିଷ ଢାଳି
ପାପ କମିଯିବ ବଢ଼ିଯାଉ ନାଥ ପୁଣ୍ୟର ଥଳି।
ବଡ଼ ସୌଦାଗର ତୁମେ ଧରିଛ ଧର୍ମ ନିକିତିକୁ
କଳା ନାଉରୀହେ ପାରିକର ସଂସାର ନାଆକୁ
ଜୟ ଜଗନ୍ନାଥରେ ସଭିଙ୍କର ମଙ୍ଗଳକର ନାଥ
ତୁମ ପାଦପଦ୍ମରେ ଏ ଜୀବନ କଲି ସମର୍ପିତ।
ଭାବ ବନ୍ଧନ ୭୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ