ଅଧ୍ୟାୟ ୪୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ଭଗବାନ
ରହୁ ତୁମରି ଶ୍ରୀ ଚରଣରେ ମନ
ଅବସ ହାତରେ ଲେଖେ ଭଜନ
ଇଛା ମୋର ମିଳିଯାଉ ଧରମ ।
ଫେରିବି କେମିତି ଖାଲି ହାତରେ
ଲାଜ ଲାଗିବ ତୁମରି ପାଖରେ
କେତେ ପାପ ଏଇ ହାତ କରିଛି
ସେଇ ହାତରେ ଭଜନ ଲେଖୁଛି।
ମିଛ ସଂସାରରେ ମିଛର ନାଟକ
ମିଛ ନାଟକରେ ଅନେକ ଦୁଃଖ
ମିଛ ଅଭିନୟରେ ହୋଇଲି କ୍ଳାନ୍ତ
ରଙ୍ଗ ବୋଳି ବୋଳି ଅବଶ ହାତ।
ସତ୍ୟ ପଥ ତୁମରି ଶ୍ରୀ ଚରଣରେ
ଯାଉ ପରାଣ ତୁମ ଅନୁସରଣରେ
ତୁଟିଲାଣି ଧିରେଧିରେ ମନର ମୋହ
ସାତ୍ତ୍ୱିକ ଭାବନାରେ ରଖ ଅହରହ।
ଭାବ ବନ୍ଧନ ୧୦୪
ଯଦି କିଛି ଯିବନି ସାଥିରେ ମଣିଷର
ଅଳିକ ଜୀବନ ପୁଣି କ୍ଷଣିକ ସଂସାର
କାହିଁକି ସଂସାରେ ଏତେ ମୋହ ଭରିଦେଲ
ହୃଦୟରେ ପୁଣି ମମତା ଝରାଇଲ।
ପଡ଼ିଲା କି ରାଧା ପ୍ରେମ ତୁମ ମନରେ
ସେ ପାଇଁ ବିରହ ଭରିଦେଲ ଜୀବନରେ
ପ୍ରେମରେ ଗଢୁ ଗଢୁ ଏଇ ସଂସାରକୁ
ବିରହ ବତୁରା କଲ ସବୁରି ପ୍ରାଣକୁ।
ମଧୁର ବଂଶୀରେ କିପାଇଁ ବିରହ ସ୍ୱର
କହିବ କି ନାଥ କାହିଁକି ଲାଗୁଛି ନିଥର
ସବୁ ଯଦି ତୁମ ଇଛା କାହିଁକି ଏମିତି
ସକାଳୁ ସଞ୍ଜ ମନ ଭାଙ୍ଗୁ ଥାଅ ନିତି।
ଭଲ ମଣିଷ ପାଇଁ ନିତି ରଖ ପରୀକ୍ଷା
ବ୍ୟବଚ୍ଛେଦ କର ମନକୁ ତୁମରି ଇଛା
ତୁମେ ସଂସାରେ ସବୁ ମଣିଷ ନିମିତ୍ତ
କାହିଁକି କଷ୍ଟ ନାଥ ଭରି ପୁଣି ଦେଇଛ।
କହିବାର ଅଛି କିଛି କିନ୍ତୁ କହିବିନି
ଏତିକି କହିବି କଷ୍ଟ ଅଧିକ ଦିଅନି
ଲୁହର ବୋଝକୁ ବୋହି ବୋହି ବେନି ଆଖି
ଆଉ ବୋହି ପାରୁନି ପ୍ରଭୁ ଚକାଆଖି।
ଶରଣପଞ୍ଜର ଶରଣ ଦିଅ ହାତ ପାତେ
ସବୁ ସୁଖ ଦୁଃଖକୁ ଅଜାଡ଼ି ଦିଏ ତୁମ ପାଦେ।
ଭରସା ନାବରେ ବସିଛି ବେସାହାରା ନାରୀ
ପାରି କରିବ କି ଥରେ ହେ କଳା ନାଉରୀ ।
ଭାବ ବନ୍ଧନ ୧୦୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ