ଅଧ୍ୟାୟ ୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସକାଳ ପ୍ରଣତି ଘେନ ହେ ନାଥ !
ତୁମ ପୟରେ ମୁଁ ସମର୍ପିତ।
ଏ ଜୀବନ ତରୁଡାଳେ ନିତି କାନ୍ଦେ
ଅନ୍ତର କପୋତ ମୋର ବାହୁନି ବାହୁନି।
ଜୀବନ ନଉକାଟିକୁ ଆଗୁସାର କରିବା ନିମିତ୍ତ
କାତମାରି ନାଉରୀଟି ଥକି ସରିଲାଣି।
ବିଷମ ସମସ୍ୟା ଘେରରେ
ଆକ୍ତାମାକ୍ତା ଜୀବନ ମୋହର।
ଉଦ୍ଧାର ବିପଦୁ ବାରେ ପ୍ରଭୁ ଚକ୍ରପାଣି
ତୁମ ବିନା ଆଗକୁ ପଥ ଦିଶୁନାହିଁ
ତୁମେ ମୋର ପଥ ପ୍ରଦର୍ଶକ !
ନିଅ ହାତ ଧରି ଥରେ
ହେ ବିଶ୍ୱ ନାୟକ !
ଭାବ ବନ୍ଧନ ୨୩
ସଂସାର ହାଟରେ ନିତି ତେଲ ଲୁଣ
ସଉଦାର ବୋଝ ବୋହି ବୋହି
ଥକିଲାଣି ପାଦ ମୋର
ଝାଳ ଯାଏ ବହି।
ବନ୍ଧା ପଡ଼ିଛି ଜୀବନ ଏଇ ମୋର
ସଂସାର ହାଟରେ
ମୁକୁଳି ପାରୁନି ପ୍ରଭୁ ପାଦ ବନ୍ଧା
ଜଞ୍ଜାଳ ଜଞ୍ଜିରେ।
ଅଣ୍ଟା ନଇଁ ଗଲାଣି ବୋହି
ତୁମର ଏ ସଂସାରର ଭାର
ଏବେ ପାଞ୍ଚାଳି ପରି ଦୁଇ ହାତ ଟେକି
ଦେଲି ଶ୍ରୀକୃଷ୍ଣ ଉଦ୍ଧାର କର।
ମାୟାର ସଂସାର ଲୋଡ଼ା ନାହିଁ ଆଉ
ବୁଝିଲି ଏ ମିଛ ସଂସାର ତୁମର
ତୁମେ ନ ରଖିଲେ ପ୍ରଭୁ ହେ ଆଉ କିଏ
ନାହିଁ ରଖିବାକୁ ମାନ ମୋର।
ଭାରି କଷ୍ଟ ହୁଏ ଏଇ ଜୀବନର ବୋଝ
ବୋହି ବୋହି ।
ହାଲୁକା କର ମାଧବ ଆତୁରେ
ଡାକୁଅଛି ମୁହିଁ।
ଭାବ ବନ୍ଧନ ୨୪
ନାହିଁ ପୁଣ୍ୟ ବଳ ମୁଁ ଛାର ନାରୀଟିଏ
ତୁମ ଗଢା ଅଳିକ ସଂସାରେ
ଭାଂଗି ଯାଏ ମନ ମୋର ଖଣ୍ଡ ଖଣ୍ଡ ହୋଇ
ଶରଣ ମୁଁ ତୁମରି ଛାମୁରେ।
ପଥ ଦିଶୁନାହିଁ ବୁଦ୍ଧି ଆସୁନାହିଁ
ଆଗକୁ ଯିବାକୁ।
କୁହ ନାଥ ଶରଣ ପଶିଲି
ରଖ ହରି ବାସୁଦେବ
ଏହି ଦୁଃଖିନୀକୁ।
ଭାବ ବନ୍ଧନ ୨୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ