ଅଧ୍ୟାୟ ୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଭାବ ବିନୋଦିଆ ହେ କଳା ଠାକୁର
ଭାବେ ପାଶେ ଥାଅ ରହି
ସେଥିପାଇଁ ସିନା ଭକ୍ତ ଡାକୁ ଥାଏ
କଥା ବୁଝ ଭାବଗ୍ରାହୀ।
ଭାଂଗି ଯାଏ ମନ ହୋଇ ଚୁନା ଚୁନା,
ଭକତ ତୁମକୁ ଡାକେ
ତୁଳସୀ ପାଣିରେ ଭିଜିଗଲେ ମନ
ତୁଳସୀ ତୁଳସୀ ବାସେ....।
ଭକ୍ତ ଜନ ଭାବ ପାଖରେ ନିଇତି
ବନ୍ଧା ପଡିଥାନ୍ତି କଳା ଠାକୁର
ଭାବ ପାଇଁ ସିନା ସେ ଭାବର ଠାକୁର
ଜଗତେ ନୀଳ ସୁନ୍ଦର।
ଖୋଲି ଦେଇଛନ୍ତି ସିଂହ ଦୁଆରକୁ
ଭକତ ଦର୍ଶନ ପାଇଁ
ଶଙ୍ଖ ଚକ୍ର ଚିହ୍ନ ତାଙ୍କର କେବଳ
ଏଇ ଭକ୍ତ ଦୀନ ହୀନ ପାଇଁ ।
ଭାବ ବନ୍ଧନ ୨୮
ଏଇଠୁ ଡାକିଲେ ଶୁଣନ୍ତି ସେଇଠି
ହେଉ ପଛେ ଯେତେ ଦୂର
ଅନନ୍ତ ଶୟନୁ ଉଠନ୍ତି ତ୍ୱରିତେ
ଭକ୍ତଜନ ଦୁଃଖହର।
ଭାବ ଥିଲା ବୋଲି ଦାସିଆ ନଡ଼ିଆ
ନେଲେ ସେ ହାତ ବଢ଼ାଇ
ମନର କଥାକୁ ବୁଝନ୍ତି କାଳିଆ
ଅନ୍ତର୍ଯ୍ୟାମୀ ବୋଲି ସେଇ।
ହୃଦୟ ମନ୍ଦିରରେ ପୂଜା ପାଉଥାନ୍ତି
ହୃଦୟ ଦେବତା ହୋଇ
ଆଖିର ଲୁହରେ ପ୍ରଣତି ଢାଳିଲେ
ତରଳି ଯାଆନ୍ତି ସେହି ।
ଚକ୍ରଧର ରଖ ଡାକିଦେଲେ ଥରେ
ରଖନ୍ତି ଚକ୍ର ଆଡରେ
ଭକତ୍ୱନ୍ଧୁ ଡାକି ଦେଲେ ଥରେ
ଭାବରେ ଯେ ବନ୍ଧା ପଡେ।
ପାପି ଡାକୁ ଥାଏ ତପି ଡାକୁ ଥାଏ
ସଭିଙ୍କ ପାଇଁ ସେ ଏକ
ଶରଣ ମାଗିଲେ ପଙ୍କଜ ପଦରେ
ରଖନ୍ତି ଭକତ ଟେକ।
ମଧୁସୂଦନଙ୍କ ମଧୁର ବଂଶୀରେ
ଏ ଜଗତ ମଧୁମୟ
ତାଙ୍କ ପାଇଁ ସିନା ଏ ମଣିଷ ଜନମ
ହେଉଛି ଆନନ୍ଦ ମୟ।
ଭାବ ବନ୍ଧନ ୨୯
ଭକତ ଜନର ବନ୍ଧୁ ସେ କାଳିଆ
ଭକ୍ତ ପାଇଁ କୃପାସିନ୍ଧୁ
ଭାବକୁ ନିକଟ ସେ ଅଭାବକୁ ଦୂର
ଭାବଗ୍ରାହୀ ଭକ୍ତ ବନ୍ଧୁ।
କାଳିଆ ଘୋଡାରେ ଚଢି ଯାଇଥିଲେ
ଭକ୍ତ ପାଇଁ ଯୁଦ୍ଧ କରି
ପାଞ୍ଚାଳି ଲୁହରେ ତରଳି ଯାଇ ସେ
କୋଟି ବସ୍ତ୍ର ଦେଲେ କାଢି।
ଯାହାକୁ ଯେମିତି ମନ ଲାଖି ଫଳ
ଦେଇଥାନ୍ତି ଭାବଗ୍ରାହୀ
ଶରଣ ନିଅନ୍ତି ସେ ପାଦରେ ପାପୀ
ସଂସାରୁ ମୁକତି ପାଇଁ।
କେତେ କେତେ ଉଦାହରଣ ରହିଛି
ଡାକି ଦେଲେ ତାକୁ ଥରେ
କୃପା ନେତ୍ର ଯଦି ପଡ଼ିଲା ତାହାର
ଅଚିରେ ବିପଦ ସରେ ।
ଭାବ ପାଇଁ ସିନା ଆସିଥାନ୍ତି ବୁଲି
ରଥ ଯାତରାରେ ହରି।
ଭକତ ଭାବରେ ବନ୍ଧା ହୋଇଥାନ୍ତି
ଭକ୍ତ ହେଉଥାଏ ଝୁରି।
ଆହାଃ କି ସୁନ୍ଦର ସେ ଚକାନୟନ
ମନ ଝୁରେ ପ୍ରତିକ୍ଷଣ
ଦିନେ ନ ଦେଖିଲେ ମନ ଝୁରେ ସେଇ
କାଳିଆ କଳା ବଦନ।
ଭାବ ବନ୍ଧନ ୩୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ