କବିତା · ଅଗଷ୍ଟ ୯, ୨୦୨୩ · ୨ ମିନିଟ୍ ପଢ଼ା
ବେଳାଭୂମି ୧୪
ମୋ ଜୀବନ ବେଳାଭୂମି ରେ
ଆଜି କେତେ ଯେ ଲହରୀ
ମଥା ପିଟି ଫେରି ଯାଏ
କେତେ ଯେ ଅଲିଭା ସ୍ମୃତି ପୁଣି
ଏ ହୃଦୟରେ ରହି ଯାଏ।
ସହି ପାରୁ ନାହିଁ ଲହରୀ ମାଡକୁ
ମୁଁ ଯେ କ୍ଷତାକ୍ତ ବେଳାଭୂମି ଟିଏ
ଗଣି ପାରୁ ନାହିଁ କେତେ ପାଦ ଚିହ୍ନ
ଓଦା ଓଦା ଏଇ ଦେହେ।
ଅନେକ ପାଦ ଚିହ୍ନ ଅସ୍ପଷ୍ଟ ଦିଶେ
ଏଇ ବାଲୁକା ରାଶିରେ
କେବେ ଦିନେ ଚାଲି ଥିଲେ କିଛି
ମୋହରି ସାଥି ରେ।
ସବୁ ଚିହ୍ନ ଲିଭିଲା ପରେ ହୃଦୟେ
ତୁମ ଚିହ୍ନ ସାଥି ରହିଗଲା
ମନ ବେଳାଭୂମି ରେ କେତେ ଯେ
ଲହରୀ ପିଟି ପୁଣି ଫେରିଗଲା।
କାହିଁକି ଏମିତି ତୁମ ଛୁଆଁ ଲାଗିଲା
ଶ୍ରାଵଣୀର ଛୁଆଁ ପରି
ଭାରି ମିଠା ଲାଗିଲା ଦେହକୁ ମୋ
ଶୀତଳତା ଦେଲା ଭରି।
ସାଗରେ ତଟିନୀ ହରାଇଲା ସତ୍ତା
ଲୁଣି ଜଳ ପିଇଯାଇ
ହଜିଗଲି ମୁଁ ତୁମରି ଭିତରେ ସାଥି
ତୁମ ସାନିଧ୍ୟତା ପାଇ ।
ଅନେକ ସ୍ମୃତି ର ଶାମୁକା ଏଇଠି
ମନ ବେଳାଭୂମି ରେ ପଡ଼ିଥାଏ
ସାଉଁଟିଲା ପରେ କେତେ ଶାମୁକା
ଗୋଟିଏ ମୁକ୍ତା ମିଳିଲା ହାୟ।
ସ୍ୱାତୀ ନକ୍ଷତ୍ର ରେ ମିଳେ ସିନା
ଶାମୁକା ଭିତରେ ମୁକ୍ତା...
ଆଜି ମୁଁ ଚାହିଁଛି ଅବୁଝା ମନେ
ଲହରୀ ଦେଉଛି ବ୍ୟଥା ।
ଓଦା ଓଦା ବାଲି ରେ ଓଦା ହେଲା
ଆଖିର ସପନ ମୋର
ଲହରୀ ମାଡ଼ରେ କ୍ଷତାକ୍ତ ହେଲା
ଆଜି ଏ ଅବୁଝା ମନ...
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ