କବିତା · ଅଗଷ୍ଟ ୧୦, ୨୦୨୪ · ୨ ମିନିଟ୍ ପଢ଼ା
୩ଜୟ ଜଗନ୍ନାଥ 🙏🏼
ଶୀର୍ଷକ "ଆବାହନ"
ପାହିଲା ରଜନୀ ହେଲା ପ୍ରଭାତ
କୋଟି ପ୍ରଣତି ରେ ନାଥ ହେ
ତୁମ ପାଦେ ହେଲି ସମର୍ପିତ।
ସୁନ୍ଦର କର ପ୍ରଭୁ ଶ୍ୟାମ ସୁନ୍ଦର
ତୁମର ସୃଷ୍ଟିକୁ ତୁମେ ସୁନ୍ଦର କର
ହସି ଉଠୁ ଏ ସକାଳ ଆନନ୍ଦ ଭର
ମଣିଷ ହୃଦୟକୁ ସରଳତା କର ।
ଆନନ୍ଦମୟ ହେ!
ଭରି ଦିଅ ପ୍ରାଣେ ଅଫୁରନ୍ତ ପୁଲକ
ହସି ଉଠୁ ପ୍ରଭାତରୁ ସବୁ ଜୀଵନ
ତୁମ କରୁଣା ବଳରେ ହେ ଜଗନ୍ନାଥ
ଜ୍ୟୋତିମୟ ହେଉ ଏଇ ପ୍ରଭାତ।
ହେ ଜଗତ ନାଥ!
ଖେଳୁ ଫୁଲରୁ ମହକ ଚତୁଃପାର୍ଶ୍ଵେ
ହସି ଉଠୁ ଫୁଲ ପ୍ରସ୍ଫୁଟିତ ହୋଇ
ସମୀର ବୋହି ଆଣୁ ସୁଗନ୍ଧ ମହକ
ଵାସିଉଠୁ ଜୀବନ ମଧୁମୟ ହେଇ।
ଅଖିଳ ବ୍ରହ୍ମାଣ୍ଡପତି ହେ! ଫେଡ଼ ଦୁର୍ଗତି
ପାହି ଯାଉ କାଳରାତ୍ରି ହେ ଗ୍ରହାଧିପତି
ଅବସାନ ହେଉ ଦୁଃଖ ,ଯନ୍ତ୍ରଣା, କ୍ଲାନ୍ତି
ଆନନ୍ଦ ମୁଖରିତ ହେଉ ତୁମ ଏ ସୃଷ୍ଟି।
ପକ୍ଷୀ କାକଳିରେ ଭରୁ ମଧୁର ଗୁଞ୍ଜରଣ
ଦେଇଛ ସବୁଠି ସବୁ ଭରି ନାରାୟଣ
ଶଙ୍ଖ ଘଣ୍ଟ ଶବ୍ଦ ରେ ହେଉ ତୁମ ଆଗମନ
ଓଁକାର ଶବ୍ଦ ରେ ତୁମେ ଆସ ଭଗବାନ।
କି ଦେଇ ପୂଜିବି ପ୍ରଭାତ ରେ ମୁଁ ତୁମକୁ
ହେ ପ୍ରାଣର ଠାକୁର ମୋର
କି ଅବା ଅଛି ମୋ ପାଖରେ ମୁଁ ପରା
ସୃଷ୍ଟି ତୁମର।
ତୁମ ହାତ ଗଢ଼ା ନାରୀ ନିତି ପ୍ରଣତି ଢାଳେ
ହୃଦୟର କୋହରେ ଆତ୍ମା ପ୍ରଦୀପ ଜଳେ
ଆଞ୍ଜୁଳାଏ ଭକ୍ତି ଫୁଲରେ କଲି ପ୍ରଭାତରେ
ତୁମ ଆବାହନ
ଘେନା କରିବ ଠାକୁର ଯୋଡି ହସ୍ତେ ସାଷ୍ଟାଂଗ
ପ୍ରଣତି ମୋର। ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା/ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ