କବିତା · ଜାନୁଆରୀ ୧୦, ୨୦୨୫ · ୨ ମିନିଟ୍ ପଢ଼ା
ବେଳାଭୂମି ୧୯
ତୁମେକି ବୁଝିବ ସାଗରର ଦୁଃଖ
ତା ଛାତିର ସେ କୋହ
ଅନ୍ତର୍ଦାହ ହୃଦୟର ଲଵଣାକ୍ତ
ପିଇ ପିଇ ଲୁଣି ଲୁହ।
ଖାଲି ଗରଜନ ପିଟି ପିଟି ମଥା
କୁହେନି ସେ ନିଜ କଥା
ଗଭିରତା ମାପିବା ନୁହେଁ ସହଜ
ଗହନ ତା'ର ମନ ଵ୍ୟଥା।
ତା'ର ବ୍ୟଥାରେ ସେ ସିନା ବ୍ୟଥିତ
ଦିଏନି ଅନ୍ୟକୁ କଷ୍ଟ
ନିଜ ଲୁହ ପଛେ ନିଜେ ପିଇ ଯାଏ
ସେଥିରେ ଆତ୍ମ ତୃପ୍ତ।
ରଖିଵନି କିଛି ସେ କାହା ଠାରୁ ତ
ସେପାଇଁ କୂଳକୁ ଆସେ
ଯିଏ ଯାହା ଦିଏ ସେମିତି ତାକୁ ସେ
ପୁଣି ତ ଫେରାଇ ଦିଏ।
ବାଣ୍ଟି ଚାଲେ ଖୁସି ନ ଥାଏ ଭାବନା
ତା'ର ନିଜ ପାଇଁ କେବେ
ତା ବେଳାଭୂମି ସୁନ୍ଦର ସିନା ତା'ର
ଲହରୀ ପାଇଁ ଦିଶେ।
ପୂର୍ଣ୍ଣମୀ ତିଥିରେ ଜହ୍ନ ଆସିଗଲେ
ଦେଖାଇ ଦିଏ ତା ଛାତି
ନ ଆସିଲା ଯଦି ଆନ କେଉଁ ଠାରେ
ନ ଥାଏ ତା'ର ପ୍ରୀତି।
ତା ଧର୍ମ ଵିଶାଳ ହୃଦୟ ସଭିଙ୍କୁ
ଆଦରେ ଆଦରି ନିଏ
କେତେ ଛୋଟ ବଡ଼ ଜୀବଜନ୍ତୁ ସେ
ତା କୋଳରେ ରଖି ଥାଏ।
ବଡ଼ ସାନ ନାହିଁ ସାଗର ବିଶାଳ
ସେମିତି ହେଉ ହୃଦୟ
ନିଜ ଲୁହ ପିଇ କଷଟି ପଥରେ
କଷି ହେଉ ଜୀବନ ।
ଜୀବନ ବେଳାଭୂମିକୁ କେତେ ସୁଖ
ଦୁଃଖର ଲହରି ଛୁଏଁ
କିଛି ଲହରୀ କିଛି ତ ଦେଇ ଥାଏ
ଆଉ କିଛି ଫେରି ଯାଏ।
ମୋ ଜୀବନ ବେଳାଭୂମି ଓଦା କରେ
ସ୍ମୃତିର ଜୁଆର ଆସି
ଏକା ଏକା ବୁଲୁଥାଏ ବେଳାଭୂମି ରେ
ଅସ୍ପଷ୍ଟ ପାଦ ଚିହ୍ନ ଖୋଜି।
ଆସିବନି ଜାଣିଛି ଫେରି ସବୁ ହଜି
ଗଲା ପରେ ପରେ ଆଜି
ତଥାପି କାହିଁକି ଵ୍ୟାକୂଳ ଏ ମନ
ତାକୁ ଖୋଜିବାରେ ଖୁସି।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା /ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ