କବିତା · ଅଗଷ୍ଟ ୭, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ୩୪
ସ୍ମୃତି ତୁମେ ..!
ସାଗର କୂଳେ ସନ୍ଧ୍ୟାର
ମୋ ଓଦା ପାଦ ଚିହ୍ନ
କୁଆଁରୀ ଆଖିର କୁଆଁର
ପୂନେଇ ଜହ୍ନ....
ତୁମେ ମନ ଅଗଣାର
ଝରା ସେ ଗୋଲାପ ଫୁଲ..
ଦେଇ ହୁଏନା ଯା,ର ମୂଲ
ସ୍ମୃତି ତୁମେ ଶ୍ରାବଣୀ ର
ଶିରି ଶିରି ଛୁଆଁ
ଓଦା ମନେ ଦିଅ ନିଆଁ
ତୁମେ ଜୀବନ ର ଅଙ୍କା ବଙ୍କା
ନଈ ଧାର
ଅନାବନା ଭାବନା ଏ ମନର
ସ୍ମୃତି ତୁମେ..
ସନ୍ଧ୍ୟା ର ଏକ ନିରବ ମୂର୍ଚ୍ଛନା
ହୃଦୟ ର ବିରହ ଵେଦନା
ତୁମେ ଚିହ୍ନା ଚିହ୍ନା ଏକ ସ୍ୱର
ନୀରବତାକୁ କ୍ଷତାକ୍ତ କର
ସ୍ମୃତି ତୁମେ...!
ଅଫେରା ଫଗୁଣ ମୋର
ସମୟର ଲୁଚାଛପା ଖେଳ
ଜୀବନ ର...
ତୁମେ ମହୁଲ ଫୁଲର ବାସ
ଯା ଵାସ ଚହଟଇ ଚଉପାଶ
ସ୍ମୃତି ତୁମେ...!
କାହିଁ କେତେ ଦୂରେ
ଆଜିବି ଆଖି ଓଦା କରେ...
ତୁମେ ସତେ ଛୋଟ ଛୁଆ ଟିଏ
ମନକୁ ପଛକୁ ଟାଣି ବାକୁ ଅଳି
କରୁଥାଏ ଯିଏ..
ସ୍ମୃତି ତୁମେ...!
ଅତିଥି ମୋର ଭଗ୍ନ ପାନ୍ଥଶାଳା ର
ଅବଶୋଷ ଏ ଜୀବନର...
ଲିଭିଯାଏନା ମନୁ କିଛି କଥା
ରହିରହି ଦିଏ ବ୍ୟଥା....
ସ୍ମୃତି ତୁମେ ଜ୍ୱଳନ ଏ ମନର
କାମନା ଏ ଦେହର..
କ୍ଷତାକ୍ତ ହୃଦୟ ଟିଏ ଶରୀର ର
ନିତି ଲହୁ ଝରୁଥାଏ ଝରଝର
ସ୍ମୃତି ତୁମେ..
ମୋ ମନ ପଞ୍ଜୁରୀ ର ଶାରୀଟିଏ
ନିତି ଅତିତ କୁ ଗାଉ ଥାଏ ଯିଏ
ମନ ପଞ୍ଜୁରୀ ରେ ତୁମ ବନ୍ଧା
ଜୀବନ କୁ ପଢି ଥାଅ ମୋର ଅଧା...
ସ୍ମୃତି ତୁମେ ...
ଏ ମନରେ ସ୍ମୃତି ତୁମେ
ଅଧା ନିଦରେ ଅଧା ସ୍ୱପ୍ନ ରେ
ସକାଳର କଅଁଳ ଖରାରେ
ଜୀବନ ର ଧୁ ଧୁ ଖରା ଵେଳରେ
ସନ୍ଧ୍ୟା ର ନୀରବ ଵେଳାରେ
ତୁମେ ଖାଲି ତୁମେ....
ସ୍ମୃତି ତୁମେ.............. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ