ଅଧ୍ୟାୟ ୨ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଝିପିଝିପି ବର୍ଷା ବରଷି ଯାଉଛି ଆକାଶରୁ। କାହିଁକି କେଜାଣି ଜମା ବର୍ଷା ଛାଡ଼ିବାର
ନାଁ ଧରୁନି। ପାଗଟା ବହୁତ ମାନ୍ଦା କରୁଛି ମନକୁ। ଛମ୍ଛମ୍ ନାଚୁଛି ବର୍ଷା। ଅଗଣାରେ
ଓଳିରୁ ଟପ୍ ଟପ୍ ବର୍ଷା ଟୋପା ପଡ଼ି ସୁଅ ହୋଇ ଚାଲିଯାଉଛି।
ଏମିତି ବର୍ଷାଭିଜା ପାଗରେ ସୁନିତା ଦେବୀ ଚାହିଁଛନ୍ତି ଦୂର ଦିଗନ୍ତକୁ ଏକଲୟରେ।
ଚାରିକାନ୍ଥରେ ଆବଦ୍ଧ କରି ନିଜ ମନକୁ। ଚାହିଁଛନ୍ତି ବାତାୟନ ଦେଇ ବର୍ଷାଭିଜା
ସର୍ପିଳ ରାସ୍ତାକୁ। ସ୍ମୃତିରେ ବତୁରି ଯାଉଛି ମନ।
ଏଇ ବର୍ଷାଭିଜା ରାସ୍ତାରେ ସେ ପିଲାଙ୍କୁ ନେବା ଆଣିବା କରନ୍ତି ବିଦ୍ୟାଳୟରୁ।
କାଖେଇ କୋଳେଇ ବଡ଼ କରିଛନ୍ତି ପିଲାଙ୍କୁ। ଭଲ ମା'ର ପରିଚୟ ପାଇଛନ୍ତି। ଆଜି
କାହିଁକି ଭାରି ମନେପଡ଼େ ସେ ଦିନର କଥା। ପିଲାଙ୍କର ଅଳିଅଝଟ କଥା ସବୁ।
କେତେ ସ୍ୱପ୍ନ ଦେଖିଥିଲେ ସେ! ସେ ଦେଖୁଛନ୍ତି ସତେ ଯେମିତି ସ୍ୱପ୍ନ ସବୁ
ତାଙ୍କର ଭାସିଯାଇଛି ବର୍ଷାପାଣିରେ। ଗଛ ପତ୍ର ମାଟି ପରି ଭିଜି ଯାଉଛି ମନଟା।
ନୀରବତା ସତେ ଯେମିତି ମନରେ ନିଆଁ ଲଗାଇ ଦେଉଛି। ଭାବନାରେ ବୁଡ଼ିଯାଇଛନ୍ତି
ସୁନୀତା ଦେବୀ।
କେଉଁଠୁ ଆସି କେଉଁଠି ପହଞ୍ଚିଲେ ସେ।
ଫେରିଯାଇଛନ୍ତି ଅତୀତକୁ। ସୁନାର ସଂସାର ନିଜ ହାତରେ ଗଢ଼ିଥିଲେ ସେ।
୧୬ ମୁଠାଏ ସ୍ୱପ୍ନ
ହସଖୁସିର ସଂସାରରେ ଫାଟି ପଡୁଥିଲା ଘର। ପିଲାମାନେ ଶଶିକଳା ପରି ବଢ଼ିବାକୁ
ଲାଗିଲେ। ଧୀରେଧୀରେ ବଡ଼ ହେଲେ।
ସତରେ ସମୟଟା ବଦଳିଯାଏ ନା। କେବେ କାହାକୁ ଅପେକ୍ଷା କରେନା। ତା
ଇଚ୍ଛାରେ ବନ୍ଧା ଏ ଜୀବନ ରଥ। ଯୁଆଡ଼େ ଟାଣେ ସିଆଡ଼େ ଯାଏ।
ମଣିଷର ସ୍ୱପ୍ନ ଅନେକ, ସବୁ କିନ୍ତୁ ସଫଳ ହୁଏ ନାହିଁ। କିଛି ସ୍ୱପ୍ନ ବାକି ରହିଯାଏ।
କିଛି କଥା ମନରେ ରହିଯାଏ। କିଛିଟା ଲୁହ ହୋଇ ବୋହିଯାଏ ଚିବୁକ ଦେଇ।
ଆଉ କିଛି ଲୁହ ଆଖି ପିଇଦିଏ।
କେତେ ଝଡ଼ଝଞ୍ଜା ପାରି ହୋଇ ସୁନୀତା ଦେବୀ ନିଜ ହାତରେ ଗଢ଼ିଛନ୍ତି
ଛଣଛପର ଘରେ ସୁନାର ସଂସାରଟିଏ। କାହିଁକି ଆଜି କହିପାରୁନାହାନ୍ତି ମନର କଥା
କାହାକୁ। ମଣିଷ ସୁଖର ସାଥି। ତେଣୁ ମନ କଥା କହିବାକୁ ଭଲ ଲାଗୁନି କାହାକୁ।
ନୀରବରେ ଭିଜୁଛନ୍ତି ଏଇ ବର୍ଷାରେ ଶ୍ରାବଣୀ ସହିତ।
ପିଲାମାନେ ବଡ଼ ହେଲେ, ଚାକିରି କରି ଦୂରରେ ରହିଲେ। ମା’ ମନ କିନ୍ତୁ
ଝୁରିହୁଏ ପିଲାଙ୍କୁ। ଆଜି ରୋଗାକ୍ରାନ୍ତ ଶରୀର। ସ୍ୱାମୀ ସ୍ତ୍ରୀ ଦୁହେଁ କେମିତି ବର୍ତ୍ତିବେ
ପିଲାମାନଙ୍କଠାରୁ ଦୂରେଇ ରହି। ତାଙ୍କ ସମାଜରେ ଏମାନେ ଚଳିବା ବହୁତ କଷ୍ଟକର।
ତେଣୁ ଏକ୍ଲା ରହିଛନ୍ତି। ଧନର ଅଭାବ ନାହିଁ, ଅଛି ମନର ଅଭାବ। ମଣିଷର
ଅଭାବ। ପିଲାମାନଙ୍କର ବି ସମୟ ନାହିଁ ଆସି ବୁଲି ଯିବାକୁ।
ମଲାଜହ୍ନ ପରି ମରିଯାଉଛି ଏ ମନ।
ପୂର୍ଣ୍ଣମୀ ତିଥିରେ ଲୁଚିଯାଇଛି ତୋଫା ଜହ୍ନଟା ଆକାଶ ଛାତିରେ। ଗୁମୁରି କାନ୍ଦୁଛି
କଇଁ ପୋଖରୀ ଭିତରେ। ସମୟ କାହାକୁ କେଉଁଠି ପହଞ୍ଚାଇ ଦିଏ। କାହାକୁ କରେ
ଭିକାରି କାହାକୁ ରାଜା।
ସୁନିତା ଦେବୀ ଜଳି ଜଳି ସରିଯାଇଥିବା ଦୀପଟିଏ।
ଅନ୍ତର୍ଦାହରେ ଜଳେ ଜୀବନ। ମନ ବୋଲି କିଛି ନାହିଁ। ହୃଦୟଟା ବନ୍ଧା
ପଡ଼ିଯାଇଛି କେବେଠୁ ସଂସାର ହାଟରେ।
ସୁନୀତା ଦେବୀ ଭାବନାରେ ମଗ୍ନ, ସତେ ଯୋଗିନୀଟିଏ। ହାରିବା ଜିତିବାର
ହିସାବ ଭିତରେ ହଜିଯାଇଛନ୍ତି ସେ।
ଟିକେ ବର୍ଷା କମିଗଲା। ଚାହିଁଲେ ଆକାଶକୁ। ମଲାଜହ୍ନ ଆକାଶରେ। ନାହିଁ
ତୋଫା ଚାନ୍ଦିନୀ। ଭାରି ଉଦାସ ସେ ଜହ୍ନଟା। ଠିକ୍ ସୁନିତା ଦେବୀଙ୍କ ପରି।
ଆବଶ୍ୟକତା ସରିଗଲେ ଫିଙ୍ଗି ଦିଆଯାଏ ପୁରୁଣା ବସ୍ତ୍ରକୁ। ଠିକ୍ ସେମିତି ସରିଗଲା
ପରିବାର ପାଇଁ କର୍ତ୍ତବ୍ୟ। ଏବେ ନାହିଁ ତାଙ୍କ ପାଖରେ ଆଉ କାମ। ନୀରବତା ତାଙ୍କ
ମୁଠାଏ ସ୍ୱପ୍ନ ୧୭
ମୁଠାଏ ସ୍ୱପ୍ନ ୧୭
ଚାରିପାଖରେ ରାଜୁତି। ଯେମିତି ପୂର୍ଣ୍ଣିମା ପରେ ଆସେ ଧୀରେଧୀରେ ଅନ୍ଧାର। ମଲା
ଜହ୍ନଟା ଖତେଇ ହେଉଛି ସୁନୀତା ଦେବୀଙ୍କୁ। ଆକାଶର ଜହ୍ନ ପରି ସେ ଉଦାସ।
ସତେ ମଲାଜହ୍ନ ଟିଏ... ନାହିଁ ଉଇଁବାର ଅଭୀପ୍ସା। ନାହିଁ ଦେବାରେ ଆନନ୍ଦ।
ପିପାସା ନାହିଁ ମନରେ। ଚାନ୍ଦିନୀ ନାହିଁ, ହେଲେ ଜହ୍ନ ଅଛି ଆକାଶରେ। ମଲା
ଜହ୍ନଟିଏ ହୋଇ ପ୍ରତିବିମ୍ବ ତା'ର ସାଗର ବକ୍ଷରେ...
ସୁନିତା ଦେବୀ ସତ୍ତା ହରାଇ ଦେଇଛନ୍ତି ମଲା ଜହ୍ନ ପରି।
ଓଃ କି ଯନ୍ତ୍ରଣା ସେ ମଲା ଜହ୍ନ ଛାତିରେ...
ଝୁରି ହେଉଛି କୁମାର ପୂର୍ଣ୍ଣିମାରେ ଚାନ୍ଦିନୀକୁ।
ଆଃ ଫୁଟନ୍ତା କି କଇଁ ଏଇ ଗୁମ୍ସୁମ୍ ରାତିର ଛାତିରେ।
କହିଦିଅନ୍ତା ମନ ଖୋଲି ହୃଦୟର କଥା ସବୁ।
ଟିକେ ମିଠା ଆଶ୍ୱାସନାରେ ପୁଣି ଆସନ୍ତା ପୂନେଇଁ ଜହ୍ନ ହୋଇ।
୧୮ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ