ଅଧ୍ୟାୟ ୨୪ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ସ୍ୱାମୀ ବି ସିଫ୍ଟ ସାରି ଘରକୁ ଫେରିଲେ। ଗେଟ୍ର ଶବ୍ଦ ଶୁଣି କନକ ଉଠିପଡ଼ିଲା
ବିଛଣାରୁ। ସେ ଗାଉଁଲି ଝିଅଟିଏ। ବୋହୂ ହୋଇ ଆସିଛି ସହରକୁ ସ୍ୱାମୀଙ୍କ ସହିତ।
ଉଚ୍ଚଶିକ୍ଷିତା, ହେଲେ ପରମ୍ପରା ସଂସ୍କାରକୁ ଜାବୁଡ଼ି ଧରିଥିବା ନାରୀଟିଏ।
ସ୍ୱାମୀ ନ ଖାଇଲେ ସେ ଖାଏନାହିଁ। ତେଣୁ ଉପାସରେ ଅପେକ୍ଷା ପତିଙ୍କୁ। ପତିଙ୍କ
ଆସିବା ଶବ୍ଦରେ ଚାଲିଗଲା ଦୁଆରମୁହଁକୁ। ହଠାତ୍ ଦେଖାଗଲା ଆକାଶର ସେଇ
ଫାଳିକିଆ ଜହ୍ନ। ସତେ କଣେଇ ଚାହିଁଛି ତାକୁ ଦେଖି।
ସତେ ତ, କନକ ବି ଜହ୍ନ ପରି କ୍ଷୟ ହୋଇ ଚାଲିଛି ଧୀରେଧୀରେ। ମନ
ମରିମରି ଯାଉଛି। ହସ ହସ ମୁହଁରେ ସତେ ବାଦଲ ଢାଙ୍କି ଦେଇଛି। ଯେମିତି ବାଦଲ
ଜହ୍ନକୁ ଲୁଚାଇ ଦେଉଛି ତା’ ଫାଙ୍କରେ।
ରାତି ୧୧ଟା ବେଳେ ଆକାଶକୁ ଚାହିଁଲା କନକ।
ସତେ ଜହ୍ନ ହସ ଲିଭି ଲିଭି ଆସୁଛି ଠିକ୍ ତା’ ଓଠର ହସ ପରି। ଜହ୍ନର ଜହ୍ନିଫୁଲ
ହସ ଚାନ୍ଦିନୀ ରାତି। ଆଉ ଚାନ୍ଦର ଚାନ୍ଦିନୀ ସତେ ଯେମିତି ସରିସରି ଆସୁଛି। ଚେନାଏ
ଜହ୍ନ ହସୁଛି ଆକାଶ ଫାଙ୍କରେ ସତେ କଳାକୁ ଚାହିଁ।
ସ୍ୱାମୀଙ୍କ ଡାକରେ ପ୍ରକୃତିସ୍ଥ ହେଲା କନକ।
“ଆରେ ଆସ, ଖାଇବା ବାଢ଼! ଭୋକ ହେଲାଣି ପରା।”
୮୪ ମୁଠାଏ ସ୍ୱପ୍ନ
କନକ ଆସି ଖାଇବା ବାଢ଼ିଲା ଟେବୁଲ୍ ଉପରେ। ନିଜର ଖାଇବା ମଧ୍ୟ। କିନ୍ତୁ
ଖାଇ ପାରୁନଥାଏ ଭାବୁଥାଏ କାହିଁକି ଲାଗିଲା ଜହ୍ନ ତାକୁ ଚାହିଁ ହସୁଛି।
ସ୍ୱାମୀ ପଚାରିଲେ, “କ’ଣ ହେଲା ଖାଉନ।”
“ହଁ ଖାଉଛି। କିଛି ନାହିଁ ଯେ। ଦେଖୁନା କେମିତି ଆମ ଦୁଆରକୁ ଚାହିଁ ସେ
ଫାଳିକିଆ ଜହ୍ନଟା ମୁରୁକି ହସୁଥିଲା। କାହିଁକି ଯେ...।”
ସ୍ୱାମୀ ବୁଝାଇଦେଲେ, “ଆରେ ସେ ଜହ୍ନ ସରିଆସୁଛି। କାଲି ପରା ପୁଣି ପୂର୍ଣ୍ଣିମା
ହେବ। ନୂଆ ଜହ୍ନ ହସି ଉଠିବ। ଚାନ୍ଦିନୀ ଆସିବ। ଶେଫାଳି ପୁଣି ଝରକା ସେପଟେ
ହସିବ। ତେଣୁ ତୁମେ ବୁଝୁନା କାହିଁକି ଏଇ ସରିଲା ଜହ୍ନ ପରି ଆମର ଦୁଃଖ ଦିନ ସରି
ଆସୁଛି। ପୁଣି ନୂଆ ସକାଳ ଆସିବ। ଏ ଘର ହସି ଉଠିବ ତୁମ କୋଳ ପୂରି ଉଠିବ।
କିଛି ଭାବନି ଶୋଇପଡ଼ିବା ଚାଲ।”
ହେଲେ କାହିଁକି କେଜାଣି ଆଜି ରାତିରେ ଜହ୍ନଟା କନକକୁ କଣେଇ ଚାହୁଁଥିଲା।
ଆଉ ଫୁଲେଇ ହୋଇ କିଛି କହୁଥିଲା।
ସରି ଆସୁଛି ତୋର ଦୁଃଖ ରାତି ପରେ ସକାଳ ଯେମିତି ଅମାବାସ୍ୟା ପରେ
ପୂନେଇଁ। ଏଇ ତ ନିୟମ ସମୟର। କେବେ ଦୁଃଖ ଦିଏ କେବେ ସୁଖ।
ପାଞ୍ଚବର୍ଷ ହେଲା ବିବାହ। ପିଲାଟିଏ ନାହିଁ। ମନର ସରାଗ ଏମିତି ମରିମରି
ଆସୁଛି। ବାର ଲୋକଙ୍କ ବାର କଥା। କୋଳଶୂନ୍ୟ ଭଲ ଲାଗୁନି କନକକୁ।
ଜହ୍ନ ପରି କଳଙ୍କକୁ ଲୁଚାଇ ହସୁଛି ମଳିନ ହସ। ପୂର୍ଣ୍ଣିମା ପରି ତୋଫା ଜହ୍ନର
ତୋଫା ହସ କାହିଁ ଯେ। ମନ ତଳେ କେତେ ସ୍ମୃତି ଖିନଭିନ କରୁଛି ସବୁ ସ୍ୱାମୀଙ୍କୁ
କହି ହେଉନି। ଏକା ଏକା ବୋହି ଚାଲିଛି ମନର ବୋଝକୁ। କ’ଣ କହିବ ଯେ
ତାଙ୍କ ସ୍ୱାମୀଙ୍କର ସାବତ ମା’ ଚାହୁଁନାହାଁନ୍ତି ସେ ମା’ ହେଉ ବୋଲି। ଏତେ ଶୀଘ୍ର
ମା’ ହେଲେ ଏକୋଇ ରୋଜଗାରିଆ ପୁଅ ଆଉ ଘରକୁ ଅନାଇବନି। ଏମିତି ଅନେକ
କଥା ସେଦିନ ଶାଶୁ କହି ଦେଇଛନ୍ତି ଏତେ ଶୀଘ୍ର ବିବାହ କଲୁ ସତ; କିନ୍ତୁ ମା’
ଏତେ ଶୀଘ୍ର ହେବୁନି। ଶାଶୁକୁ କଥା ଦେଇଛି କନକ ପାଞ୍ଚ ବର୍ଷ ପରେ ପିଲା ମୁହଁ
ଦେଖିବ। ତୁମର ପିଲା ସବୁ ବଡ଼ ହେଲା ପରେ ମୁଁ ମା’ ହେବି? ଏବେ ସମୟ ପୂରି
ଆସୁଛି ସତେ ଆକାଶର ସେ ଫାଳିକିଆ ଜହ୍ନ କହୁଛି ଏବେ ମୋର ପରି ତୋର
ଅମାବାସ୍ୟାର ଅନ୍ଧକାର ସରି ଆସୁଛି। ଏବେ ହସର ଫଗୁଣ ଆସିବ ପୂର୍ଣ୍ଣିମା ବି
ଆସିବ ଆଉ ତୋଫା ଜହ୍ନ ତୋ’ ଅଗଣାରେ ପଡ଼ିବ ମାସକୁ ପନ୍ଦର ଦିନ। ଦୁଃଖ ତ
ଆସେ ପୁଣି ଫେରିଯାଏ କିଛି ସୁଖ ଦେଇ।
ତୁ ବ୍ୟସ୍ତ ହେବୁନି ମୋ ପରି ସରି ଆସୁଛି ତୋ ଦୁଃଖ। ଦେଖୁନୁ କେମିତି ମୁଁ
ମୁଠାଏ ସ୍ୱପ୍ନ ୮୫
ମୁଠାଏ ସ୍ୱପ୍ନ ୮୫
ଉଦାସ ଦେଖାଯାଉଛି। ମୋ ରୂପରେ କ୍ଷୟ ହେଉଛି। ପୁଣି ପୂର୍ଣ୍ଣିମାରେ ମୁଁ ହସିବି
ତୋଫା ତୋଫା ଆଲୁଅ ଦେବି। ମୋ ଚାନ୍ଦିନୀରେ ରାତି ପିନ୍ଧିବ ହୀରାର ମୁକୁଟ।
କଇଁ ଖିଲି ଖିଲି ହସିବ ପ୍ରୀତିରେ ବିଭୋର ହୋଇ।
ମିଳନ ଗୀତରେ ମୁଖରିତ ହେବ ଏ ରାତି।
ତୋର ଦୁଃଖ ଚାଲିଯିବ ତୁ ମା’ ହେବୁ। ନୂତନ ଆଶା ଭରସାରେ ବାଟ ଚାଲିବୁ
ପଛ କଥା ଆଉ ମନେ ରହିବନି?
କନକ ଆଖିରୁ ଲୁହ ପୋଛିଦେଲା ଟିକେ ହସିଦେଲା ଆଉ ଧନ୍ୟବାଦ ଦେଲା
ସେ ଉଦାସୀ ଜହ୍ନକୁ। ଶାନ୍ତିରେ ଆଖି ବୁଜିଲା ଆସନ୍ତାକାଲିର ସ୍ୱପ୍ନରେ ବିଭୋର
ହୋଇ। ସ୍ୱାମୀଙ୍କୁ ଚାହିଁ ଟିକେ ହସିଦେଇ...
୮୬ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ