ଅଧ୍ୟାୟ ୧୭ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କେତେ ଯେ ଖାଲି ଖାଲି
ତା'ର ପଣତ କାନି
କେତେ ହତାଶର ଛାଇ
ତା’ ମନ ଆଢୁଆଳେ
ଏକଲାପଣ ତା ଚାରିପଟେ
ଏତେ ଭିଡ଼ରେ ସେ ଏକା
ପୂର୍ଣ୍ଣତା ଭିତରେ ଶୂନ୍ୟତା ।
ସବୁ ଅଛି ସବୁ ମିଳିଛି
ସେ ହଁ ଭିତରେ ନା
ସେ ଅଛି ଭିତରେ ନାହିଁ
ଧନ ମାନ ଜୀବନ ଯୌବନ
ବୁଦ୍ଧି ବିବେକ
ସ୍ୱାଭିମାନ ସନମାନ
ସବୁ ଅଛି ତୁମ ଆଖିରେ।
ହେଲେ ମୁଁ ଅସମ୍ପୂର୍ଣ୍ଣା
କମି ଅଛି ବହୁତ କିଛି
ମଖମଲି ଚାଦର ତଳେ
କ୍ଷତାକ୍ତ ହୃଦୟ
ଆଧୁନିକ ପରିପାଟୀ ଭିତରେ
ବ୍ୟାକୁଳତା
ସେ ଆଭିଜାତ୍ୟର ଗହଣା
ବହୁତ ଓଜନ
ସମ୍ଭାଳି ପାରେନା
ତା’ ଭିତରେ କେତେ ଯେ ଗର୍ବ
କେତେ ଯେ ଅହଙ୍କାର କେତେ
ନାଲି ଆଖିର ଚାବୁକ୍।
ଦେଖିଛ ନାରୀକୁ
ତା'ର ନାରାୟଣୀ ରୂପକୁ
ଦେବୀ ସିଏ
ଯିଏ ଦେବ ଖାଲି ଅନ୍ୟକୁ
ତାକୁ ମାଗିବା ମନା
ସେ କିଛି ଚାହେଁନା
ଖାଲି ମମତାର ଧୂପ
ଭାବର ନୈବେଦ୍ୟ
କାହିଁ ମିଳେ କେଉଁଠି।
ଖାଲି ଦେଖାଣିଆ ଅଭ୍ୟର୍ଥନା
ସେ ଦେବୀ ହେବାକୁ ଚାହେଁନା
ସେ ତ ମାନବୀ,
ରକ୍ତ ମାଂସର ଶରୀର
ସେ ଯାହା ଚାହେଁ ମିଳି ଯାଆନ୍ତା କି
ଟିକେ ସ୍ନେହର ମଲମ
ଟିକେ ନିଜର ପଣିଆ
କାହିଁ ସମୟ ତା’ ଆତ୍ମୀୟ ପାଖରେ ?
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ