ଅଧ୍ୟାୟ ୧୯ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ହଁ, ମୁଁ ଏକବିଂଶ ଶତାବ୍ଦୀର
ଆଧୁନିକ ନାରୀଟିଏ
ଉଗ୍ର ଆଧୁନିକତାର ଆବରଣ
ଭିତରେ ମୁଁ ।
ମୋ ହାତପାହାନ୍ତାରେ ସବୁ
ମୁଁ ଆଜି ସବୁଠି ପହଞ୍ଚି ପାରିଛି
ସ୍ଥାନ, ମାନ, ଶିକ୍ଷା, ଯଶସବୁ ଅଛି
ତଥାପି
ତଥାପି କିଛି ନାହିଁ
କିଏ ଦେଖିଛି କୁହୁଳା ହୃଦୟକୁ
ବୁଝିଛି ତା’ ଅସହାୟତାକୁ
ଶୁଣିଛି ଅନ୍ତରର ବିଳାପକୁ
କେଉଁଠି ନା କେଉଁଠି
ମୁଁ ପରାଧୀନ ମୋ ଅନ୍ତରାତ୍ମାରେ
ଅନ୍ଧାରରେ ଭୟଭୀତ ମୁଁ
ବାଟ ଚାଲିବାପାଇଁ ପାଦଟିଏ
ଲୋଡ଼ା ମୋତେ
ହଁ,
ମୁଁ ଏକବିଂଶ ଶତାବ୍ଦୀର ନାରୀଟିଏ।
ଶତ ଯନ୍ତ୍ରଣାର ରାଗିଣୀ ତୋଳୁଥିବା
କ୍ଷୁଦ୍ର ବୀଣାଟିଏ
ଜଳିଜଳି ଆଲୋକ ବାଣ୍ଟୁଥିବା
କ୍ଷୁଦ୍ର ଦୀପ ଶିଖାଟିଏ ।
ଶତ ବେଦନା ସ୍ୱରରେ
ଝଙ୍କୃତ ହେଉଥିବା ସଙ୍ଗୀତଟିଏ
ମୁଁ ଅମାବାସ୍ୟାର ମଲା ଜହ୍ନଟିଏ
ଶତଶତ ପଦ ପ୍ରହାରରେ
ପଡ଼ିଥିବା ବେଳାଭୂମିଟିଏ
ମରିମରି ପୁଣି ବଞ୍ଚି ଯାଉଥିବା
କାଉଁରୀ କନ୍ୟାଟିଏ ।
ପଶାଖେଳରେ ହାରି ଯାଇଥିବା
ଗୋଟିଟିଏ ମୁଁ
ଶରବିଦ୍ଧ ଯନ୍ତ୍ରଣାରେ
ଛଟପଟ ଆହତ କପୋତୀ ମୁଁ
ସଂସାର ପଞ୍ଜୁରୀରେ
ବନ୍ଦୀ ଶାରୀଟିଏ ମୁଁ ।
କୁଢ଼ କୁଢ଼ କରି
ମମତାକୁ ବାଣ୍ଟି ପାରିବା
ନାରୀଟିଏ ମୁଁ
ସମାଜ ଆଖିରେ
ବର୍ଣ୍ଣବୋଧର ଆହା ପଦଟିଏ
ହଁ,
ତଥାପି ମୁଁ
ଏକବିଂଶ ଶତାବ୍ଦୀର ନାରୀଟିଏ !
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ