ଅଧ୍ୟାୟ ୨୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସୁନ୍ଦର ଫୁଲଟିଏ
ସ୍ରଷ୍ଟାର ଅନବଦ୍ୟ ସୃଷ୍ଟି
ମୋହିନୀ ସେ ରୂପର
ମାଧୁରିମାରେ ମୋହିନିଏ
ସାରା ଜଗତକୁ।
କଳକଳ ଛଳଛଳ ତଟିନୀ
ଶାନ୍ତିର ସେ ବାରିଧାରା
ସତେ ବେଗମତୀ ନଦୀଟିଏ
ଧାଏଁ ସାଗର ସଙ୍ଗମ ପାଇଁ ।
ଚଳଚଞ୍ଚଳ ସେ
ଅନବରତ କର୍ତ୍ତବ୍ୟ ଡୋରୀରେ
ବନ୍ଧା ତା’ ଜୀବନ ।
ନାରୀ !
ଜଳେ ଯିଏ
ଜନମ ଜୁଇରୁ ମରଣ ଜୁଇ
ଯନ୍ତ୍ରଣାସିକ୍ତ ଜୀବନ ଯା’ର
ଆରମ୍ଭରୁ ଶେଷ ଯାଏଁ
ଜୀବନ ଯା’ର ଜଳେ
କୁହୁଳା ନିଆଁରେ
ଖାଲି ଯନ୍ତ୍ରଣା ଆଉ ଯନ୍ତ୍ରଣା
ସତେ ଲେଖା ତା'ର ଭାଗ୍ୟରେ।
ନୁହେଁ ସେ କାହାର
ନାହିଁ ତାପାଇଁ
କାହାର ସମୟ
ସମସ୍ତେ କିନ୍ତୁ ନିଜର ତା'ର
ପଢ଼ିହୁଏନା ତା’ ଜୀବନ ଡାଏରୀ
ନିତି ପଢୁଥାଏ ସେ ସଭିଙ୍କ ମନ।
ନାରୀଟିଏ !
ସ୍ୱପ୍ନ ଯା’ର ଆଖିରୁ ସରେନା
ଲହୁ ଲୁହରେ ଗଢ଼ା ଯା’ ଜୀବନ
ସ୍ରଷ୍ଟାର ସର୍ଜନାରେ ଖୁବ୍ ସୁନ୍ଦର
ରୂପ ଗୁଣରେ ନାହିଁ ତା’ କଳନା
ପିନ୍ଧିବାକୁ ପଡ଼େ ତାକୁ
ଛଳନାର ଗହଣା ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ