ଅଧ୍ୟାୟ ୨୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ରକ୍ତାକ୍ତ ଯାହାର ପାଦ
ଧୈର୍ଯ୍ୟର ପାହାଡ଼ ଯା’ ଛାତିରେ
ଲଦିଥାଏ ବିହି
ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଯିଏ ।
ଦେବୀ ସିଏ ତା’ ଘର ଦେଉଳରେ
ମମତାର ନିଝରିଣୀ ସ୍ନେହର ମନ୍ଦାକିନୀ
କୁଳୁକୁଳୁ ହୋଇ ବହିଯାଉଥିବା
କୁଆଁରୀ ଝରଣା
ଛଳଛଳ ତା'ର ପ୍ରେମ
ଉଛୁଳା ନଈଟିଏ ।
ପୁଣ୍ୟର ଗଙ୍ଗା
ଧର୍ମରେ ଗଢା ଯା’ର ଜୀବନ
ଘରେ ସେ ଜୀବନ୍ତ ଲକ୍ଷ୍ମୀ ପ୍ରତିମା
ସଂସ୍କାର ସଂସ୍କୃତି ସବୁକୁ
ଜାବୁଡି ଧରିଥାଏ ଅନବରତ।
କିଏ ଦେଇ ପାରେନା ତା'ର ପାଉଣା
ସତେ ବଣ ମଲ୍ଲିଟିଏ
ବାସ ତା'ର ମହକୁଥାଏ
ଚାରି କାନ୍ଥ ଭିତରେ
ଜୀବନ ତା'ର କଟିଯାଏ
ରୁଟିନ୍ ବନ୍ଧା କର୍ମ ଭିତରେ ।
ସଭିଏଁ କୁହନ୍ତି ଯଥେଷ୍ଟ ଗୁରୁତ୍ୱ ତା'ର
ହେଲେ ଅନାବଶ୍ୟକ
ତା'ର କର୍ତ୍ତବ୍ୟ ସରିଗଲା ପରେ
ଭଙ୍ଗା ଆଇନାଟିଏ
ଭାଙ୍ଗି ଗଲେ ସ୍ଥାନ ତା’ର
ଅଳିଆ ଗଦାରେ।
କିଏ ବୁଝେ ତା'ର କୋହକୁ
କିଏ ଦିଏ ତା’ର ମମତାର ମୂଲ
ସେମିତି ସେ ମଉଳି ଯାଏ
ଝରା ଶେଫାଳୀ ପରି
ଅନ୍ତର୍ଦାହରେ ଜଳୁଥାଏ ନାରୀଟିଏ
ଅଦେଖା ଜୁଇରେ ଅହରହ ଜଳେ
ତା’ ଜୀବନ ।
କାହାପାଇଁ ସେ ଖେଳଣା
କା’ ପାଇଁ ସେ ଗହଣା
କାହାପାଇଁ ସେ ଜରୁରୀ
ପୁଣି କାହାପାଇଁ ସେ ବୋଝ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ