ଅଧ୍ୟାୟ ୩୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କେବେ ପ୍ରେମ ପୂଜାରିଣୀ
କେବେ ମମତାର ନିର୍ଝରିଣୀ
କେବେ ପୁଣି ଅଭିମାନୀ
କେତେବେଳେ ମତୁଆଲି
କେତେବେଳେ ମାୟାବିନୀ।
କେବେ ଫୁଲେଇ ଫଗୁଣ ପରି
କେବେ କୃଷ୍ଣଚୂଡା ପରି ନାଲି
ଓଢ଼ଣୀ ଦେଇ ଚାଲୁଥାଏ
ସଂସାର ପଥରେ ।
କେବେ ରଙ୍ଗିନ୍ ମନଟିଏ ନେଇ
ଉଡ଼ିଯାଏ ପ୍ରେମ ଚଢେଇ ପରି
ସଂସାର ରଙ୍ଗମଞ୍ଚରେ ଅଭିନୟ
କରୁଥାଏ କେତେ ରୂପରେ
ନାରୀ ତୋର କେତେ ରୂପ
କିଏ ପାରିବ ଜାଣି !
ଛଳନାମୟୀ କେହି ପାରେନି
ଛଳନା କୁ ବୁଝି
କାହା ପାଇଁ କେମିତି
ସନ୍ତାନ ପାଇଁ ସ୍ନେହର ନିର୍ଝରିଣୀ
ପ୍ରେମମୟୀ ଛଳନାମୟୀ
କେତେ ଆଖିରୁ ନିଦ ହଜାଇ ଦିଏ
ସ୍ମିତ ହାସ୍ୟରେ
କେତେ ମନକୁ କିଣିନିଏ
ମିଠା ମିଠା ତା’ କଥାରେ।
ଝୁମ୍ ଝୁମ୍ ପାଉଁଜିରେ
ଛମ୍ଛମ୍ ନାଚୁଥାଏ ବରଷା ପରି
ପ୍ରୀତିର ଫୁଲ ଫୁଟାଇଦିଏ ରୁଣୁଝୁଣୁ
ଚୁଡ଼ି ବଜାଇ।
କେତେ ମନକୁ
ମମତାର ଶିକୁଳିରେ ବାନ୍ଧିଦିଏ।
କେତେ ପାଗଳ ଭ୍ରମର ତା’ ଚାରିପାଖେ
ତା'ର ମତୁଆଲି ଇସାରାରେ
ପ୍ରେମର ରଙ୍ଗୋଲି ଟାଣେ ହୃଦୟରେ
ସେ ଆଉ କିଏ ନୁହେଁ
ନାରୀ ଟିଏ ।
ଫଗୁଣକୁ ପାଖେ ଡାକିଆଣି
ରଙ୍ଗରେ ହଜିଯାଏ
ପ୍ରେମରେ ହଜିଯାଏ ସେ
ଲାଜୁଆ ଆଖିରେ ଇନ୍ଦ୍ରଧନୁର
ସପ୍ତରଙ୍ଗ ଟାଣି ପ୍ରେମର ଇସାରା ଦିଏ
କେତେବେଳେ ସେ
ଅଭିମାନର ନଈଟିଏ ହୋଇ ହୃଦୟର
କୂଳ ଖାଇଯାଏ।
କେତେବେଳେ ଛଳଛଳ କଳକଳ
ଝରଣାଟିଏ ହୋଇ ଗୁଣୁଗୁଣୁ ଗୀତ ଗାଏ
ଯା’ ଓଠରୁ ଝରୁଥାଏ ଅନବରତ ମହୁ
ହସି ଦିଏ ଫିକ୍ କରି କଥା କହୁ କହୁ
ସପନ ମେଞ୍ଚାଏ ଆଖିରେ ବୁଣିଦିଏ
ସେ କିନ୍ତୁ ଲୁହର ଶ୍ରାବଣୀଟିଏ ।
ଶୀତ ଥରଥର ଦେହେ
ଉଷ୍ମତା ଭରିଦିଏ
ସେ ନାରୀଟିଏ
କେତେ ଶିହରଣ ଭରିଦିଏ ଦେହେ
ମାଦକତା ଭରିଦିଏ ମନେ ।
ଲାଜକୁଳି ଲତା ସିଏ
ଛୁଇଁ ଦେଲେ ଲାଜେଇ ଯାଏ
ଟିକିଏ ଦେଖିଦେଇ
ଟିକେ ଲୁଚକାଳି ଖେଳୁଥାଏ
ସତେ ସ୍ୱର୍ଗର ପାରିଜାତଟିଏ
ତା'ର ମହମହ ବାସରେ
ଚଉଦିଗ ମହକୁ ଥାଏ
ସେ ନାରୀଟିଏ ।
କେତେବେଳେ ସଜ ଗୋଲାପଟିଏ
କେତେବେଳେ ଝରା ଶେଫାଳିଟିଏ
ସେ ନାରୀ ଟିଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ