ଅଧ୍ୟାୟ ୩୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜାଣିଜାଣି ମୁଁ ହାରିଯାଉଛି
ଜୁଆ ରେ ବାଜି ଲଗାଅ
ବା ଅପବାଦରେ ବନସ୍ତକୁ ପଠାଇଦିଅ
ନହେଲେ ହରିଶ୍ଚନ୍ଦ୍ର ପରି ବିକିଦିଅ
ଦାନୀ ହେବା ପାଇଁ ପ୍ରତିବାଦ କରିବିନି
ଚାହିଁବିନି ପୁଣି ନାରୀପାଇଁ
ପୃଷ୍ଠାଟି ଏ ବଢ଼ିଯାଉ ଇତିହାସରେ।
ମୁଁ ତ ସେମିତି
ଅସାଧାରଣନାରୀ ଟିଏ ନୁହେଁ ନା
ଇତିହାସ ସୃଷ୍ଟି କରିବି
ସୁନାର ସଂସାର ଗଢ଼ିବାର ଅଛି ପରା
ଦୁହିତା ଦୁଇ କୂଳକୁ ହିତା
ନାରୀ ମହାନ ଶକ୍ତିର ଅଧିକାରିଣୀ
ହେଲେ, ତା’ ଶକ୍ତି ରହିଯାଏ
ତା’ ସରଳତା ପାଖରେ
ତା’ ମମତାଭରା ହୃଦୟ ପାଖରେ
ସୁନ୍ଦର ନରମ ଫୁଲଟିଏ ହୋଇ ଫୁଟିବାର
ମଜା ସେ ଫୁଲ ହିଁ ଜାଣେ।
ବଗିଚାକୁ ଭୁରୁଭୁରୁ ବାସ୍ନାରେ
ମହକାଇ ଦିଏ
କେତେ ମନକୁ ଶାନ୍ତି ଦେଇପାରେ
ଜଳିବାରେ ଯେତେ ଆନନ୍ଦ
ସେ ଦୀପ ହିଁ ଜାଣେ
ଜଗତର ମଙ୍ଗଳ ପାଇଁ ନାରୀର ସୃଷ୍ଟି
ସେ ତା’ ଧର୍ମକୁ ପାଳନ କରି ଚୁପ୍ ରୁହେ
ମମତାର ଫଲ୍ଗୁ ଝରାଇଦିଏ ହୃଦୟରୁ ।
ସଭିଙ୍କୁ ଆପଣାର କରି ବଞ୍ଚିବାରେ
ଆନନ୍ଦ କେତେ ସେ ନାରୀ ହିଁ ଜାଣେ
ନାରୀଟିଏ କୋମଳ ଫୁଲପରି
କୋମଳ ତା’ ମନ
ଚାନ୍ଦିନୀର ଶୀତଳତା ଥାଏ ତା’ ପଣତରେ
କୁଳୁକୁଳୁ ଝରଣା ପରି
ମିଠା ମିଠାପ୍ରେମର ଝରଣା
ଝରିପଡେ ହୃଦୟରୁ।
ମରୁଭୂମିର ତୃଷାର୍ତ୍ତ ପଥିକ ପରି
ପୁରୁଷକୁ ମିଠାମିଠା ପ୍ରେମର ସାନିଧ୍ୟଦେଇ
ସନ୍ତୁଷ୍ଟକରେ ନାରୀ
ବକ୍ଷରୁ ଅମୃତ ଝରାଇ
ଦିଏ ସନ୍ତାନ ପାଇଁ ।
ତା’ କୋହ ରହିଥାଏ ତା ଛାତି ତଳେ
ପଣତର ଆଢ଼ୁଆଳରେ ତାର ଦୁଃଖ
ଭିତରଟା ଜଳୁଥାଏ ଆଗ୍ନେୟଗିରି ପରି
ଯଦି ସହିବାର ସୀମା ଟପିଯାଏ
ତା’ହେଲେ ଲାଭା ପରି
ପଦାକୁ ଆସିଯାଏ କୋହ,
ସେ କୋହରୁ ଲୁହର ସାଗର,
ସୃଷ୍ଟି ହୁଏ ସୁନାମି
ଭାସିଯାଏ ସବୁ କିଛି ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ