ଅଧ୍ୟାୟ ୩୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ପୁଣି ଜନନୀ, ଜାୟା, କନ୍ୟା, ଭଗିନୀ
ଏକା ରକ୍ତ, ମାଂସରେ ଗଢ଼ା ତୁ ନାରୀ
କେମିତି ପାରୁଛୁ ସମ୍ପର୍କକୁ
ତିନି ଭାଗ କରି ।
ଜନନୀ !
ଜନନୀ ତୁ ମମତାମୟୀ ଗର୍ଭଧାରିଣୀ
ଦଶମାସ ଗର୍ଭ ଧରି ତୁ ଚିର ବନ୍ଦନୀୟା
ବାତ୍ସଲ୍ୟ ମମତାର ଅଧିକାରିଣୀ
ତୋ ସନ୍ତାନ ଆଗେ ତୁଚ୍ଛ ସବୁ ସୁଖ
ତା’ ଖୁସିରେ ଭରିଯାଏ ତୋ’ର ସ୍ୱପ୍ନ
ଚିର ନମସ୍ୟା ତୁ ଜନନୀ ରୂପେ ନାରୀ ।
ଜାୟା !
ନାରୀ ତୁ ଜାୟା ପ୍ରେମ ପୂଜାରିଣୀ
ତୁ ପୁଣି ଅର୍ଦ୍ଧାଙ୍ଗିନୀ ସୁଖ ଦୁଃଖର ସଙ୍ଗିନୀ
ତୋ’ ବିନା ନ ଥାଏ ସଂସାରର ସ୍ଥିତି
ତୋ’ ପ୍ରେମ ନିଶାରୁ ପୁରୁଷ ପାଏନା ମୁକ୍ତି
ତୋ’ ପ୍ରେମ ଫାଶରେ ଏ ସଂସାରତ ବନ୍ଦୀ
ତୋ’ ମାୟା ଜାଲରୁ କେହି ଆଜି ଯାଏ
ପାଇନି ମୁକ୍ତି
ମୋହିନୀରେ ଭରା ତୋ’ ଶକ୍ତି।
ଭଗିନୀ !
ଭଗିନୀ ତୁ ମମତାର ନିର୍ଝରିଣୀଟିଏ
ନିଃସ୍ୱାର୍ଥପର ଜଳଧାରାପରି ବାଣ୍ଟୁ ସ୍ନେହ
ସ୍ନେହ-ମମତାର ରଜ୍ଜୁ ତୋର ମଜବୁତ୍
ପବିତ୍ର ତୋ ସମ୍ପର୍କ ଅତୁଟ ତୋ ବନ୍ଧନ
ଭାଇର ସୁଖ ତୋର ଏକାନ୍ତ କାମ୍ୟ ।
ପୁଣି ତୁ ଦୁହିତା, ଦୁଇ କୁଳକୁ ହିତା
ସଭିଙ୍କ ମଙ୍ଗଳ ସଦା ମନାସୁଥାଉ
ଜନ୍ମରୁ ମୃତ୍ୟୁ ଖାଲି ଘାଣ୍ଟି ହେଉଥାଉ
ଏ ସଂସାର ପାଇଁ
ଖାଲି ଜଳୁଥାଉ ହୋଇ ଏକ ଦୀପ
ଧନ୍ୟ ତୁ ନାରୀ
ଧନ୍ୟ ତୋର ଭିନ୍ନ ରୂପ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ