ଅଧ୍ୟାୟ ୪୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସାମାନ୍ୟ ଶୁଖିଲା ପତ୍ରର ଖଡ୍ଖଡ୍ ଶବ୍ଦରେ
କୋହଲା ପବନର ହାଲ୍ କା ଶୀତରେ
ହଠାତ୍ ଅଦିନିଆ ଝଡ଼ ତୋଫାନରେ
ଝିପିଝିପି ବର୍ଷାରେ ବି ଜୀବନ
ଓଦା ସରସର ହୋଇଯାଏ
ଆଖିର ଲୁହ ତ ବୋହି ବୋହି
ଆପେ ଆପେ ଶୁଖିଯାଏ ।
ମନର କୋହ ଜମାଟ ବାନ୍ଧି
ଆପେ ଆପେ ବରଫ ପାଲଟିଯାଏ
ଛାତିରେ ବରଫର ପାହାଡ଼ ଠିଆହୁଏ
ଟିକେ ଟିକେ ଯନ୍ତ୍ରଣା ଦେଇଚାଲେ
ମୁହୂର୍ତ୍ତ ମୁହୂର୍ତ୍ତ
ଜୀବନ ଏମିତି ବି ହଠାତ୍ ବଦଳିଯାଏ
ଭାବି ନ ଥିବା ଭାବନା ଆସି
ଆଖି ସାମ୍ନାରେ ଠିଆ ହୋଇଯାଏ ।
ରଙ୍ଗୀନ ଡେଣା ଝାଡି ବୁଲୁଥିବା
ପ୍ରଜାପତିର ହଠାତ୍ ଡେଣାଟା କଟିଯାଏ
ଅସହାୟ ତା’ ଜୀବନ
ଏଇତ ନାରୀର ଜୀବନ ।
କେତେବେଳେ ପତର ତଳେ ତ
କେତେବେଳେ ପଥରତଳେ
ହାୟରେ ଜୀବନ
କେତେ ଜାଳିପାରୁ
ଶୁଖିଲା କାଠ ପରି ହୁତୁହୁତୁ କରି
ଜଳାଇଦେଉ ସେ ନିଆଁ ଭିତରେ
ଅସହାୟ ଆତ୍ମାଟିଏ
ଛଟପଟ ହୁଏ !
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ