ଅଧ୍ୟାୟ ୬୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଟାଣି ନିଏ ଅନେକ ଦୂରକୁ
ଛୁଇଁ ଯାଏ ଢେଉଟିଏ ପରି
ହୃଦୟ ବେଳାଭୂମିକୁ ।
ଭାବ ବିହ୍ୱଳିତ କରିଦିଏ
ମନର ଆବେଗକୁ
ମିଠା ମିଠା କରିଦିଏ ଏଇ
ଜୀବନକୁ ।
ଶବ୍ଦର ଚୁମ୍ବକ ଟାଣି ନିଏ
ଏକ କରେ ଦୁଇଟି ହୃଦୟ
ମମତାର ବାରିଧିରେ
ପ୍ଲାବିତ କରେ ଜୀବନକୁ ।
ନଥାଏ ମାନ ଅଭିମାନ
ଈର୍ଷା କି କାତରତା
ଖାଲି ଥାଏ ମନରେ ପ୍ରେମ
ଦୁଇଟି ଖିଆଲି ମନ
ଭାସିଯାଏ ମିଠା ମିଠା
ଆବେଗରେ।
ଆଖି ଆଇନାରେ ଖାଲି
ସେଇ ଗୋଟିଏ ଛବି
ହୃଦୟ କାନ୍ଥରେ ଲେଖା
ଗୋଟିଏ ନାଁ
ସତରେ ଭଲ ଲାଗେ
ସେଇ ଶବ୍ଦଟି।
ଏଇତ ସମ୍ପର୍କ ତୁମ ବିନା
ମୁଁର ମାନେ ନାହିଁ
ମୋ ବିନା ତୁମେ ଅଧୁରା ନୁହେଁ କି?
ଜୀବନର ଯା’ ଆସ ରାସ୍ତାରେ
କେତେ ଯେ ଆସନ୍ତି ଆଉ
ଫେରିଯାଆନ୍ତି
ହୃଦୟରେ ରହିଯାଏ ଜଣେ
ସେ ତ ତୁମେ !
ମୋ ମନ ପରଦାରେ,
ଏଇ ଆଖି ଆଇନାରେ
ଅଚିହ୍ନା ଏଇ ସହରରେ ସେଇ
ଚିହ୍ନା ମୁହଁଟିଏ ଥାଏ
ମୋ ପାଖେ ପାଖେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ