ଅଧ୍ୟାୟ ୬୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ମିଛ ସଂସାର ମାୟାର ବନ୍ଧନ
କେହି ନୁହେଁ କାହାର
ତଥାପି
ମୋ ବଗିଚାର ମାଳୀଟିଏ ମୁଁ
ସବୁଦିନେ ସଂସାର ରୂପକ ଗଛରେ
ପାଣିଦିଏ ।
ବଢ଼ିଯାଏ ଗଛସବୁ
ସବୁଜିମାରେ ଭରିଯାଏ ବଗିଚା
ସୁନ୍ଦର ଫୁଲ ଫୁଟେ ଫଳ ଧରେ
ଖୁସିହୁଏ ମାଳିଟି
ତା’ ପରିଶ୍ରମର ଫଳ ଦେଖିଲେ
ଆନନ୍ଦରେ କୁରୁଳିଉଠେ ମନ
ସତରେ ବଗିଚାଟି ସୁନ୍ଦର
ମାଳୀ ବି ଫଳ ଖାଇବା ପାଇଁ ଇଛା କରେନି
ତା'ର ଆତ୍ମତୃପ୍ତି କେବଳ ସୁନ୍ଦର ବଗିଚା !
ମାଳୀ ଜାଣି ପାରେନି ସମୟ ଗଡିଥାଏ
ବଗିଚାର ଯତ୍ନ ନେବାରେ
ବାର୍ଦ୍ଧକ୍ୟ ଆସିଯାଏ ସ୍ୱପ୍ନ ଦେଖି ହୁଏନା
ଆଖିରେ ପରଳ ପଡ଼େ
ଯୌବନରେ ଭାଙ୍ଗ ପଡ଼େ
ଲୋଚାକୋଚା ହୁଏ ମନ ଆଉ ଦେହ !
ସେତେବେଳେ ସେ ଖୋଜେ
ସମ୍ପର୍କର ମାନେ
ହସୁଥାଏ ଫୁଲ ବନ
ହସୁଥାଏ ସଂସାର ସତେ
ବଗିଚାରେ ଫଗୁଣ ରଙ୍ଗ ଭରିଦିଏ
ହେଲେ, ମାଳୀ ପାଏ କଣ ?
ଖାଲି ଆତ୍ମତୃପ୍ତି ନା ଆଉ କିଛି !
ଏଇ ଗଛ ତଳେ
ମାଳୀ ଶୋଇ ପାରିବି ତ!
ନା ଫୁଲର ଫଗୁଣରେ
ରଙ୍ଗର ମେଲଣରେ
ତା'ର ଫିକାଫିକା ଦେହଟି ଲୁଚିଯିବ ?
ଯଦି ଫୁଲ ସହ ଫଗୁଣ
ଯଦି ରଙ୍ଗ ସହ ମହକ
ଗଛ ସହ ଫଳଫୁଲର ସମ୍ପର୍କ
ତା’ହେଲେ ବେଳେବେଳେ
ବଗିଚା ବୈଶାଖୀ ଝାଞ୍ଜିରେ ଜଳି ଯାଏ କାହିଁକି ?
ମାଳୀ କ’ଣ ପାଣି ଦିଏନି ବୈଶାଖରେ
ଗଛ ଝାଉଁଳିଯାଏ କ’ଣ ପାଇଁ?
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ