ଅଧ୍ୟାୟ ୭୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଦୁଇଟି ହୃଦୟର
ବିଶ୍ୱାସର ମଞ୍ଜିଟିଏ
ବିରାଟ ମହାଦ୍ରୁମପାଇଁ
ଗୋଟିଏ ହୃଦୟର ପ୍ରତିଛବି
ଅନ୍ୟ ହୃଦୟର ମନ କାନ୍ଭାସରେ ।
ସମ୍ପର୍କ !
ମିଠାମିଠା ଭାରି ମିଠା ସେ
ଅନୁଭବୀ ଜାଣେ
କୁଆଁର ପୂନେଇଁ ଜହ୍ନଠୁ ସଫା
ଶରତ ଆକାଶ ପରି ନିର୍ମଳ
ହୃଦୟର ପରିଭାଷା ।
ସମ୍ପର୍କ !
ସମୁଦ୍ରର ନୀଳ ଢେଉ ପରି
ନୀଳ ନୀଳ
ଗୋଲାପଠୁ ଆହୁରି ସୁନ୍ଦର
ଆହୁରି ଲାଲ୍
ଏକ ମନର ଆବେଗ
ଟାଣି ନିଏ ବହୁ ଦୂର
ଆଲୋକର ଗତିଠୁ ଆହୁରି କ୍ଷିପ୍ର
ଦୁଇଟି ଆତ୍ମାର ଆବେଗ
ସମ୍ପର୍କ !
ଭାରି କୋମଳ ସିଏ
ଜୋର କରି ଧରିଲେ
ଚାପି ହୋଇଯାଏ
ଆସ୍ତେ ଧରିଲେ ଖସିଯାଏ
ମମତାର ରଜ୍ଜୁରେ ବାନ୍ଧିଲେ
ସାରା ଜୀବନ ରହିଯାଏ ।
ସମ୍ପର୍କ !
ମମତାର ଫଲ୍ଗୁ
ସ୍ନେହର ଝରଣା କୁଳୁକୁଳୁ ବୋହିଯାଏ
ଉଭୟଙ୍କ ମନ ଅଗଣାରେ
ପ୍ରୀତିର ସାଗରଟିଏ
ଯାହାର ଗଭୀରତା ମାପି ହୁଏନା
ଆକାଶ ପରି ଉଦାର ।
ସମ୍ପର୍କ !
ଭିନ୍ନ ଏକ ସ୍ୱର
ଦୁଇଟି ହୃଦୟର
ଏକ ଭାଷା ଦୁଇଟି ମନର
ଦୁଇଟି ମନର ମିଳନ ସେ ।
ସମ୍ପର୍କ ଛିଡ଼ିଯାଏ
ଟିକେ ଆଘାତରେ
ଅବିଶ୍ୱାସରେ ଧୋକାରେ
ଈର୍ଷାରେ ପରଶ୍ରୀକାତରତାରେ
ଟିକେ ଅନାଦରରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ