ଅଧ୍ୟାୟ ୧୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ବିନା ରକ୍ତ ପାତେ ଯୁଦ୍ଧ ହୁଏ ଏଠି
ନିତି ହୃଦୟ ଭିତରେ।
ନିଜ ସହ ନିଜ ବିବେକ ବିଚାର
ଚେତନାର ଛାତ ତଳେ।ା
ମହାଭାରତ କି ରାମାୟଣ ନାହିଁ,
ଏ ଯୁଦ୍ଧ ନୀରବତାର।
ଧନୁତୀର ଖଣ୍ଡା ଲୋଡ଼ା ନାହିଁ ଏଠି
ବାଣ ହିଁ ପ୍ରଶ୍ନର ଧାର।ା
ଘାଇଲା ହେଉଛି ମନ ବାରମ୍ୱାର
ନିଜ ସହ ଯୁଦ୍ଧ କରି।
ଲେଖା ହେବ ସତେ ଆଉ ଏକ ଗପ
ସମୟ ଯାଉଛି ସରି।ା
ମଣିଷ କେମିତି ଜଳେ ନିଜେ ନିଜେ
ଝରାଏ ଆଖିରୁ ଲୁହ।
ସେ ଲୁହରେ ଲେଖେ ବେଦନା କାହାଣୀ
ଯେତେଥାଏ ଅନ୍ତର୍ଦାହ।ା
ଛାତିରେ ଅନେକ କୋହର ପାହାଡ଼
ଲୁହରେ କି ବୋହି ଯାଏ!
ମନର ଅନେକ ଅକୁହା କଥା ତ
ଇତିହାସ ହୋଇଥାଏ। ।
ଋତୁର ନା ବର୍ଷା ।ାା ୫୩
ପାଇଗଲି ମୋତିଟିଏ ଜୀବନର
ଅଙ୍କାବଙ୍କା ରାସ୍ତାପରେ।
କେତେ ଯେ ଶାମୁକା ଥିଲେ ବାଲି ଶେଯେ
ମୋତିଟିଏ ଭାଗ୍ୟ ବଳେ।ା
ସବୁ କାହାଣୀର ସମାପ୍ତି କରି ମୁଁ
ଲେଖିବି ଗୋଟେ କାହାଣୀ
ଜୀବନ ବହିରେ ନୂତନ ଅଧ୍ୟାୟ
ଯୋଡ଼ି ଦେବି କିଛି ଆଣି ।ା
ଲେଖିଦେବି କିଛି ଦରଜ ଭରା ଏ
ହୃଦୟ ଅକୁହା କଥା।
କିଛି ଲୁଚିଥିବା ଲୁହ ଲହୁ ପ୍ରେମ
ପ୍ରଣୟର ମଧୁବ୍ୟଥା।ା
ପଢୁ ଏ ଦୁନିଆ ନାରୀ ଇତିହାସ
ଜଳୁଛି ଜୁଇରେ କେତେ।
ଅଦେଖା ସେ ନିଆଁ ଜୀବନ ନାମକ
ପରୀକ୍ଷାରେ ଦିନ ବିତେ।ା
ଏ ଇତିହାସରେ ନାହିଁ ଚଣ୍ଡାଶୋକ
ଧର୍ମାଶୋକ କଥା କିଛି।
କାରୁବାକୀ ଅବା କଳାପାହାଡ଼ର
ବର୍ଣ୍ଣନା ବା ଲେଖାଅଛି।ା
ଏଠି ରହିଅଛି ଅଲେଖା କାହାଣୀ
ଜୀବନର ସବୁ ଯେତେ।
କିଏ ଯଦି କେବେ ପଢ଼ିଦେଲା ଥରେ
ପ୍ରଶାନ୍ତି ମିଳିବ ମୋତେ।ା
ଋତୁର ନା ବର୍ଷା ।ାା ୫୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ