ଅଧ୍ୟାୟ ୩୬ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ସାଉଁଟିଲେ କାହିଁ ମିଳେନି ଆନନ୍ଦ
ଆନନ୍ଦ ମିଳେ ଦାନରେ।
ଦକ୍ଷିଣ ହସ୍ତର ନିଃସ୍ୱାର୍ଥ ଦାନଟି
ପୁଣ୍ୟ ଶାସ୍ତ୍ରୀୟ ବିଚାରେ।ା
ଆସକ୍ତିର ଏହି ଜଟିଳ ଶୃଙ୍ଖଳେ
ତ୍ୟାଗ ହିଁ ମୁକ୍ତିର ସ୍ୱର।
ବିସର୍ଜନେ ଥାଏ ସେହି ପରମାର୍ଥ
ହରିନିଏ ପାପଭାର।ା
ଦେଇଥିଲେ କିଛି ହାତ ଟେକି ଦେଇ
ଆତ୍ମ ତୃପ୍ତି ଲାଭ ହୁଏ।
ଯଦି ଚିହ୍ନି ଥିବ କାହାର ହୃଦୟ
କାରୁଣ୍ୟ ଭାବଟି ସିଏ।ା
ଦାନଠାରୂ ବଡ଼ ନାହିଁ ଦୁନିଆରେ
ଆଉ ତ ମହତ କାମ ।
ମଳିନ ମୁହଁରେ ଭରିଦିଏ ହସ
ଦାନୀକୁ କରେ ମହାନ।ା
ଦାନ କର କିନ୍ତୁ ଉଚିତ୍ ପାତ୍ରରେ
ଯେଉଁଠି ଅଛି ଜରୁରୀ।
ଦାନେ ଯଦି ବଂଚି ଯାଏ କା'ଜୀବନ
ଦିଅ ନିଜ ରକ୍ତ କାଢ଼ି।ା
ଋତୁର ନା ବର୍ଷା ।ାା ୯୫
ଉପାସରେ ଯଦି ଡହଳ ବିକଳ
ହେଉଅଛି କିଏ ଜଣେ।
ଅନ୍ନ ଦାନ କର ତୃପ୍ତି ଭର ସେଇ
ଭୁଭୁକ୍ଷୁ ବ୍ୟକ୍ତିର ପ୍ରାଣେ।ା
ବଳକା ରହୁଛି ପୋଷାକ ତୁମର
ଜଣେ ଖାଲି ଦେହେ ଥରେ।
ଦେଇଦିଅ ବସ୍ତ୍ର ଖଣ୍ଡେ ଲୁଚିଯାଉ
ଦେହ ତା' ଆଖି ଆଗରେ।ା
ଜ୍ଞାନ ଦାନ କର ଯଦି ତୁମେ ଜ୍ଞାନି
ହୋଇ ଲଭିଛ ଜନମ।
ସଂସାର ମଙ୍ଗଳ ହେବ ତ ନିଶ୍ଚୟ
ତୁମର ହେବ ହିଁ ପୁଣ୍ୟ।ା
ନିର୍ଭୟତା ଦାନ କର ମଣିଷକୁ
ଯଦି କିଏ ଭୟାତୁର।
ହୁଏତ ନିଶ୍ଚୟ ବଂଚିବ ଜୀବନ
ଭୟ ହୋଇଯିବ ଦୂର।ା
ମାନସିକ ସ୍ତରେ ଭାଂଗିଥିବା ମନେ
ପାରୁଛ ତ ସ୍ନେହ ବୁଣ।
ତା'ଠାରୁ ଦାନ ଏ ସଂସାରରେ ନାହିଁ
ଏଇ ତ ମହତ ଗୁଣ।ା
ଅର୍ଥ ଦେବାପାଇଁ ସାମର୍ଥ ନ ଥିଲେ
ଶ୍ରମଟିକେ ଦାନ କର।
ଅର୍ଥଦାନ ଠାରୁ ବଡ଼ ଶ୍ରମ ଦାନ
ମନରେ ବିଚାର କର।ା
ଋତୁର ନା ବର୍ଷା ।ାା ୯୬
ସାତ୍ତ୍ୱିକ ରାଜସ ତାମସ ଧାରାରେ
ଦାନ ତ ତିନି ପ୍ରକାର।
ନିଃସ୍ୱାର୍ଥ ଭାବରେ ଦାନଟି ସାତ୍ତ୍ୱିକ
ରାଜସ ଖ୍ୟାତି ଆଧାର।ା
ସ୍ୱାର୍ଥ ପାଇଁ ଦାନ କରିଲେ ତାମସ
ଦାନ ଅଟଇ ସେ ଜାଣ।
ଶ୍ରଦ୍ଧା ବିନା ଦାନ ଦେଲେରେ କେବେହେଁ
ମିଳେ ନାହିଁ ଦାନପୁଣ୍ୟ।ା
ପ୍ରତିଦାନ ଆଶା ନ ରଖି ସଠିକ୍
ପାତ୍ରରେ ଦାନ ଯେ କରେ।
ସେ ଦାନ ଗରିମା ଅତ୍ୟନ୍ତ ମହାନ
ପୁଣ୍ୟ ହୁଏ ଏ ସଂସାରେ।ା
ଦାନର ଆକାର ମୂଲ୍ୟ ଦେଖାଯାଏ
ନାହିଁ ଭାବରେ ସେ ରହେ।
ସହୃଦୟ ଭାବେ ଦାନ କରୁଥିଲେ
ଆତ୍ମତୃପ୍ତି ବ୍ୟକ୍ତି ପାଏ।ା
ଦାନ ଦେବା ଏକ ଭଲ ଗୁଣ ଅଟେ
ସଭିଏଁ ପାରନ୍ତି ନାହିଁ।
ଦୟାଶୀଳ ମନ ଯାହାଠାରେ ଥାଏ
ପାରିଥାଏ ସିଏ ଦେଇ।ା
ଦାନଦେବା ଏକ ଭଲ ଗୁଣ ଅଟେ
ଅତି ଦାନେ ବଳି ବଦ୍ଧ।
ଦାନ ଦେଇ ପରା କୁଣ୍ଡଳକୁ କର୍ଣ୍ଣ
ସେଦିନ ହାରିଲେ ଯୁଦ୍ଧ।ା
ଋତୁର ନା ବର୍ଷା ।ାା ୯୭
ଦାନଦେଇ ହରିଶ୍ଚନ୍ଦ୍ର ଜଗିଥିଲେ
ଶ୍ମଶାନ ଘାଟକୁ ଦିନେ।
ପୁତ୍ରକୁ ହରାଇ ପାଇଲେ ସେ ଦୁଃଖୀ
ଦିନଗଲା ଦୁଃଖୀପଣେ।ା
ଦାତାପଣ ମନେ ରହିବାଟା ଭଲ
ଗର୍ବ ମନେ ଆଣନାହିଁ ।
ଯଦି ପାର କିଛି ଦାନ କର ତୁମେ
ନିଜ ସାମର୍ଥ୍ୟକୁ ନେଇ।ା
ଦେଇ ଥିଲେ ପାଇ ନ ଦେଲେ ନ ପାଇ
ତୁମ ପାଇଁ କେହି ନାହିଁ ।
ଯାହା ଅଛି ପାଖେ କିଛି ଦାନ କର
ଖୁସି ହେବେ ନୀଳସାଇଁ।ା
ଭବ ସଂସାରରୁ ଯାହା ପାଇଅଛୁ
ସଂସାରକୁ ଦେଇଯିବା।
କାବ୍ୟମୟ ଏହି ଦାନର ସ୍ରୋତରେ
ଜୀବନ ଧନ୍ୟ କରିବା।ା
ଋତୁର ନା ବର୍ଷା ।ାା ୯୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ