ଅଧ୍ୟାୟ ୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଓଦାଓଦା ଦେହେ ଭିଜାଭିଜା ମନେ
ରିମ୍ଝିମ୍ ଗୀତ ଗାଇ।
ଧରାକୁ ଓହ୍ଲାଇ ଆସେ ଯେ' ଲଳନା
ସବୁଜିମା ଭରି ଦେଇ।
ନାଁଟି ତାହାର ବର୍ଷା।
ଛଅ ଋତୁ ଛଅ ଭଉଣୀ ପରିକା
କାହାଠି ନାହିଁ କା' ଈର୍ଷା ।ା
ଜଣେ ପରେ ଜଣେ ଆସନ୍ତି ଧରାରେ
କ୍ରମେ ଆଗ ପଛ ହୋଇ ।
ପ୍ରତ୍ୟେକ ଆପଣା ସ୍ୱଭାବ ଗୁଣରେ
ଅଭିନୟ ସାରି ଦେଇ।
ଫେରନ୍ତି ଜାଣି ନ ହୁଏ
ହଠାତ୍ ଦେଖିଲା ବେଳକୁ ଧରାରେ
ଆଉ ଜଣେ ଆସିଥାଏ ।ା
ବୈଶାଖ ମାସରେ ଗ୍ରୀଷ୍ମ ଆଗମନେ
ଉତ୍ତାପ ନ ହୁଏ କଳି।
ଝାଞ୍ଜି ବାଆ ଦିଏ କେତେ ଯେ ଯନ୍ତ୍ରଣା
ଦେହ ଯାଏ ସତେ ଜଳି।
ଶୁଖିଯାଏ ସବୁ କିଛି
କିନ୍ତୁ ସୃଷ୍ଟି କରେ ବର୍ଷା ସମ୍ଭାବନା
ଯା'ପାଇଁ ଜୀବନ ଅଛି ।ା
ଋତୁର ନା ବର୍ଷା ।ାା ୨୨
ଗ୍ରୀଷ୍ମ ପ୍ରବାହକୁ ପ୍ରଶମିତ କରି
କୁଆଁରୀ ବରଷା ଯେବେ।
ଛମ୍ଛମ୍ ନାଚେ ମାଟି ମଣ୍ଡପରେ
ବାସ ଚହଟଇ ସେବେ।
ମହମହ ବସୁମତୀ
ସବୁଜଶାଢ଼ିରେ ଅଙ୍ଗକୁ ସଜାଏ
ନିଜେ ହୋଇ ଲାଜବତୀ ।ା
ଆକାଶୁ ଓହ୍ଲାଏ ବର୍ଷା ଯେତେବେଳେ
ଶୀତଳ ସମୀର ସହ।
ଅନୁଭବେ ଆସେ ଶାନ୍ତ ମନ୍ଦାକିନୀ
ପୁଲକି ଉଠଇ ଦେହ।
ଏପରିକି ସ୍ରୋତସ୍ୱିନୀ
ଆନମନା ହୋଇ ସାଗର ଦିଗରେ
ଧାଏଁ ଶୁଣି ଆବାହନୀ ।ା
ଶୁଖିଲା ନଦୀରେ ଆସେ ଯେ ଲହରୀ
ସାଗର ସଙ୍ଗମ ପାଇଁ
ତୁଷ୍ଟ ହୁଏ ମହି ଉତାପ ସରଇ
ଶୀତଳତା ଦିଏ ଛୁଇଁ।
ତରୁଲତା ପଲ୍ଲବିତ
ହୁଅନ୍ତି ସଭିଏଁ ବରଷା ପରସେ
ହସି ଉଠେ ଶସ୍ୟ କ୍ଷେତ ।ା
ଋତୁର ନା ବର୍ଷା ।ାା ୨୩
କଦମ୍ବ ଫୁଲର ସୁବାସିତ ଛୁଆଁ
ପୁଲକିତ କରେ ମନ।
ଚାଷୀର ମୁହଁରେ ଖୋଲା ହସ ପାଇଁ
ବର୍ଷା ଅଟେ ଶ୍ରେଷ୍ଠ ଧନ।
ଚାତକର ତୃଷ୍ଣା ସରେ
କେକୀ ନାଚେ ଢଳି ବର୍ଷା ଦରଶନେ
ଆନନ୍ଦରେ ବନାନୀରେ ।ା
ବରଷା ଆସିଲେ ଆସଇ ଅନେକ
ପରବ ପର୍ବାଣୀ ଧରି।
ରଜ ମଉଜଠୁ ରାକ୍ଷୀ ଓ ଝୁଲଣ
ଆନନ୍ଦ ପଡ଼ଇ ଝରି।
ବିଭୋର ହୁଏ ଜୀବନ
ଆଖିରେ ନ ଥାଏ କ୍ଳାନ୍ତି ଅବା ଶ୍ରାନ୍ତି
ଥାଏ ସବୁଜ ସପନ ।ା
ଧନ୍ୟ ତୁମେ ବର୍ଷା ସଂସାର ନିମନ୍ତେ
ନିଶ୍ଚିତ ମଙ୍ଗଳମୟୀ।
ତୁମେ ତ ଦେଇଛ ଧରାକୁ ଜୀବନ
ସବୁ କିଛି ତୁମ ପାଇଁ।
ରାହା ତୁମେ ଆନନ୍ଦର
ଯିଏ ଦେଇଛନ୍ତି ତୁମର ନାମକୁ
ନିଶ୍ଚେ ଜଣେ ଜାଣିବାର ।ା
ଋତୁର ନା ବର୍ଷା ।ାା ୨୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ