ଅଧ୍ୟାୟ ୪୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କିଏ କହେ ଆଜି ରଜନୀ ସରିଛି
ତିମିରର ସ୍ପର୍ଶ ଏବେ ବି ତ ଅଛି
ଶରୀରର ପ୍ରତ୍ୟେକ ଅଙ୍ଗରେ।
ସତ୍ୟଟିଏ ଦେଖିବାକୁ
ଅସମର୍ଥ ଆଖି
କାନ ମଧ୍ୟ ଅସମର୍ଥ ଶୁଣିବାକୁ
ସତ୍ୟ ଉଦ୍ଘୋଷଣା
ଅନୁଭବ ପ୍ରତିକ୍ଷେତ୍ରେ
ଅସତ୍ୟର ଯେବେ
କେମିତି କହୁଛ ତେବେ ସରିଛି ରଜନୀ
ଅନ୍ଧାର ରହିଛି ଯେବେ
ପ୍ରତ୍ୟେକ ଅନ୍ତରେ ।ା
ଏବେ ବି ଆଖିରେ ମୋର
ଅସୁମାରୀ ସପନର ମେଳା
ଏବେ ବି ଜ୍ୟୋତ୍ସ୍ନାରେ ହଜେ
ନିଜକୁ ଭିଜାଇ।
ମଝିରେ ମଝିରେ ଯେବେ
ପଚାରେ ନିଜକୁ, ନିଜ ସ୍ଥିତି ବିଷୟରେ
କିଏ ଜଣେ କହେ କିଆଁ
ହେଲୁ ଏତେ ବାଇ ।ା
ଋତୁର ନା ବର୍ଷା ।ାା ୧୨୬
ଯଦିଓ ଚିଠି ଲେଖୁଛି
ମନ କାଗଜରେ,କଳ୍ପନାର କାଳି
କିନ୍ତୁ ଅଦୃଶ୍ୟ ଲାଗୁଛି।
କଳା କବରୀ ଫିଟିଛି ଘନ ରଜନୀର
ଚାଖି ନାହିଁ କେବେ ବି ସେ ପ୍ରେମର ଅମୃତ,
ସତେ କ’ଣ ସକାଳର ପ୍ରସ୍ତୁତି ହୋଇଛି ।ା
ଆଖିରେ ଆଖିଏ ମାଖି ନିଦର କୁହୁକ
ଆବେଗର ନିଶାରେ ଥିଲା ମତୁଆଲା ମନ।
ଗଙ୍ଗଶିଉଳିର ବାସ୍ନା ଝରୁଅଛି ଧୀରେ
ଅଗଣାରେ ମୋର ଭରୁଅଛି ଶିହରଣ।ା
ନିଶୀଥର ବକ୍ଷେ ଯେତେ ମନର ବାସନା,
ସରିନାହିଁ ହୃଦର ସେ ଆକୁଳ ପ୍ରୀତି।
କାହିଁକି ଆଲୋକ ଦେଲା ପ୍ରତାରଣା ମୋତେ
କେମିତି ଯେ ରାତି ବିତିଗଲା ଆଜି ?
ତିଳେ ହେଲେ ମୁଁ ତ କାହିଁ ଜାଣି ପାରିଲିନି।
ଆୟୁଷର ଏହି ଶାନ୍ତ ଅପରାହ୍ନ ବେଳେ,
ସ୍ମୃତିର ଚିତାରେ ନିତି ମୁଁ ଜଳୁଛି ଯେବେ
କିପରି କହୁଛ ତେବେ ପାହିଛି ରଜନୀ ।ା
ଋତୁର ନା ବର୍ଷା ।ାା ୧୨୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ