ଅଧ୍ୟାୟ ୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଏମିତି ବର୍ଷାଋତୁ ଆସୁଥିବ ଆଉ ଯାଉଥିବ
ତୁମେ ଅଛ, ମୁଁ ବି ଅଛି
କିନ୍ତୁ ସେଦିନ ପରି ଆଉ ନ ଥିବ
ସେ ଅନୁଭବ କି ଶିହରଣ।
ସେଦିନ ସେ ବର୍ଷା ଭିଜାଇ ଦେଇଥିଲା
କୁଆଁରୀ ଦେହକୁ ଜୁଡ଼ୁବୁଡ଼ୁ କରି
ପ୍ରୀତିର ଛିଟାଦେଇ ଅଙ୍ଗେ ଅଙ୍ଗେ...
ଆମେ ଥିଲେ ଗୋଟିଏ ଛତାତଳେ
ଭିଜୁଥିଲେ ଖୁବ୍ ନୀରବରେ।
ମୁଁ ଡରିଯାଇ ଜାବୁଡ଼ି ଧରୁଥିଲି ତୁମକୁ
ଘଡ଼ଘଡ଼ିର ଗର୍ଜନରେ
ଆଉ ତୁମେ ଭିଜିଯାଉଥିଲ ବର୍ଷାରେ
ପ୍ରାଣଖୋଲା ହସ ଆଉ ଖୁସିରେ।
ସେଦିନ ଆକାଶର ମେଘ ଖୁବ୍ ବରଷିଗଲା
ମାଟିକୁ ଆପଣାର କରି
ଠିକ୍ ଆମରି ପରି ତୁହାକୁ ତୁହା
ପ୍ରୀତି ଛିଟାରେ ଓଦା କରି।
କଳାହାଣ୍ଡିଆ ମେଘରେ ଚିକ୍ମିକ୍ ବିଜୁଳି
ଟିକିଏ ଆଲୁଅରେ ତୁମର ଓଦା ଥରିଲା ଓଠ
ଭାରି ଇଚ୍ଛା ହେଉଥିଲା ଚୁମିଯିବାକୁ
ଠିକ୍ ବର୍ଷା ମାଟିକୁ ଆଲିଙ୍ଗନ କଲା ପରି।
ଋତୁର ନା ବର୍ଷା ।ାା ୨୯
ସେଦିନ ଏମିତି ବି ବର୍ଷା ହେଉଥିଲା
ସେଇ ପାହାଡ଼ ସେପାଖେ
ଆମେ ବସିଥିଲେ କଦମ୍ୱ ମୂଳେ
ସତେ ଯେମିତି କାଦମ୍ୱିତ ଋତୁଟିଏ
ହାତଠାରି ଡାକୁଥିଲା ଭିଜିବା ପାଇଁ।
ହେଲେ ତୁମେ ମନା କଲ...
କାହିଁକି କେଜାଣି ମୁଁ ବୁଝିପାରିଲିନି!
ମୋତେ ତ ଭଲଲାଗେ ବର୍ଷା..!
ମୁଁ ହାତଠାରି ଡାକିଲି ମୟୂରୀ ପରି ନାଚିନାଚି
ଜାଣିଛ; ସେ ବର୍ଷା ବରଷିଗଲା ଖୁବ୍ ଜୋର୍ରେ
ଆଉ ଶେଷରେ ତୁମେ ବି ଭିଜିଲ ମୋ ସାଥେ...।
ଆଉ ଦିନେ ମୁଁ ଆନମନା ହୋଇ
ବୁଲୁଥିବା ବେଳେ ବର୍ଷା ଆସିଲା ଚୁପିଚୁପି
ପାଦରୁ ମସ୍ତକ ଯାଏ ଚୁମି ନେଇ ଫେରିଗଲା
କହିଲା ‘ମୁଁ ତ ଏମିତି ଆସୁଥିବି ଯାଉଥିବି
କିନ୍ତୁ ତୁ ଆଉ ଭିଜିବୁ କି ନାହିଁ କହିଦେ?’
ତୁମେ ତ ଚାଲିଯାଇଥିଲ ଦୂରକୁ
ସେଠି ବର୍ଷା ହେଉଥିଲା କି ନା ମୁଁ
କେମିତି ଜାଣିବି ଯେ..!
ମୁଁ କେମିତି ବା ହଁ କହିଥାନ୍ତି?
ମନା କଲି ମୁଁ ଭିଜିବିନି ଆଉ ଏକାଏକା...
ଆଜି ବି ଆସିଛି ବର୍ଷା
ହେଲେ ତୁମେ ନାହଁ
ମୁଁ ଏକାକୀ ଏଇ ନୀରବ କୋଠରୀରେ
ଭିଜିଯାଉଛି ଲୁହର ବର୍ଷାରେ।
ସେଦିନ କଦମ୍ୱ ଫୁଟିଥିଲା ସତ
କିନ୍ତୁ କଦମ୍ୱିତ ଋତୁଟିଏ ନ ଥିଲା ବୋଧେ
ସେଥିପାଇଁ ବର୍ଷା ଆଉ ବାସୁନଥିଲା ମହମହ ହୋଇ...।
ଋତୁର ନା ବର୍ଷା ।ାା ୩୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ