ଅଧ୍ୟାୟ ୧୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ।
ତୁମ ନାମରେ ସକାଳ ଆରମ୍ଭ
ହେଲା ଆହେ ଜଗନ୍ନାଥ !
ତୁମ ନାମରେ ଶୁଭ ହେଉ ଦିନ
ହର ହରି ସବୁ ଦୁଃଖ।
ନିଷ୍କପଟ ମୋର ମାନସ ପଟରେ
ତୁମେ ଆସ ପଦ୍ମମୁଖ ।ା
ନ ରହୁ ମନରେ ଆନ କେଉଁ ଭାବ
କଳା ମୁହଁ ଦିଶୁଥାଉ।
ଚକାନୟନରେ ମୋର ଆଖି ଲାଖି
ଦିନ ସରୁ ମହାବାହୁ ।ା
ତୁମ ଚାପା ହସ ଦେଖି ମୋର ଓଠ
ହସୁ ଥାଉ ହୃଷୀକେଶ।
ତୁମରି ମଧୁର ବଇଁଶୀର ସୁର
ଶୁଭୁଥାଉ ପିତବାସ ।ା
ସକାଳୁ ସକାଳୁ ଗୁଞ୍ଜରିତ ହୋଇ
କର୍ଣ୍ଣ ମୋ ପବିତ୍ର ହେଉ।
ଦିଅ ନାଥ ତୁମ ଦିବ୍ୟଶକ୍ତି ମୋତେ
ତୁଣ୍ଡ ତୁମ ନାମ ଗାଉ ।ା
ମନ ଖୋଜୁଥାଉ ତୁମକୁ ନାଥହେ
ନିତି ସଞ୍ଜ ସକାଳରେ।
ସମର୍ପଣ ।ାା ୩୯
ହଜି ଯାଉ ଭିଜି ଯାଉ ମନ ତୁମ
ପବିତ୍ର ନାମ ରସରେ ।ା
କାମନା ବାସନା ହରି ନିଅ ହରି
ତୁମ ପାଦେ ସମର୍ପିତ।
ମିଛର ସଂସାରେ ମାୟାର ବନ୍ଧନ
କଟିଯାଉ ଜଗନ୍ନାଥ ।ା
ତୁମକୁ ଡାକୁଛି ବିକଳେ ଆଜି ମୋ
ଜୀବନ ଅପରାହ୍ନରେ।
ଅନାଥର ନାଥ ସନାଥ କରିବ
ସୂରୁଯ ନଇଁଲା ବେଳେ ।ା
ଜାଣି ନ ଥିଲି ଜୀବନ ଏମିତି
ଅଙ୍କା ବଙ୍କା ରାସ୍ତା ବୋଲି।
ବାଟ ଦିଅ ହରି କରୁଛି ଗୁହାରି
ଶ୍ରୀ ପଦେ ଶରଣ ଗଲି ।ା
ତୁମେ ଏକା ମୋର ଭାଗ୍ୟ ରେଖା ପ୍ରଭୁ
ବଦଳାଇ ଦେଇ ପାର।
ତୁମ ନାମରେ ଅର୍ଘ୍ୟ ସଜାଡୁଛି
ପ୍ରଭୁ ହେ କରୁଣାକର !
ସମର୍ପଣ ।ାା ୪୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ