ଅଧ୍ୟାୟ ୧୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
ତୁମେ ପରଂବ୍ରହ୍ମ ତୁମେ ଦାରୁବ୍ରହ୍ମ
ତୁମେ ଜଗତ ଈଶ୍ୱର।
କୋଟିଏ ପ୍ରଣାମ ଅଦେଖା ପାଦରେ
ହେ ସତ୍ୟ ଶିବ ସୁନ୍ଦର ।ା
ଜୀବନର ବୋଝ ଦୂର ହେଉ ମୋର
ଦୟା ହେଉ ମହାବାହୁ।
ତୁମେ ଥାଉ ଥାଉ ପଡ଼ିଲି ବିପଦେ
ରକ୍ଷା କର ବେଳ ଥାଉ ।ା
କୃପାମୟ ହରି ଆହେ ଚକ୍ରଧାରୀ
ଜୀବନ ନାବ ନାବିକ।
ଡାକୁଛି ଆତୁରେ ହେ ବ୍ରଜ ବିହାରୀ
ହେ କୃଷ୍ଣ ବିଶ୍ୱ ନାୟକ ।ା
ବିଶ୍ୱାସ ରହିଛି ତୁମ ଆଗମନେ
ଦୁଃଖ ପଳାଇବ ଦୂରେ।
ସୁଖ ସମ୍ଭାବନା ସକାଳ ଆସିବ
ହାଲୁକା ବଂଶୀର ସୁରେ ।ା
ସେଲାଗି ପ୍ରତ୍ୟେକ ଦିନ ପ୍ରଭାତରେ
ତୁମ ନାମ ଜପୁ ଥାଏ।
ଶୁଭରେ ଆରମ୍ଭ ଦିବସଟି ମୋର
ଧୀରେ ଧୀରେ ସରିଯାଏ ।ା
ସମର୍ପଣ ।ାା ୪୯
କେବଳ ଭାବଇ ତୁଣ୍ଡ ନାମ ଗାଇ
ଦିନ ଗଡ଼ି ଯାଉ ହରି।
ତୁମ ବଂଶୀ ସ୍ୱର ମୋ ପାଇଁ ଓଁକାର
ଶୁଣୁଥାଏ ବଂଶୀ ଧାରୀ ।ା
କିଛି ଲୋଡ଼ା ନାହିଁ ଆଉ କିଛି ନାଥ
ଏହି ପୁଣ୍ୟ ଥାଉ ମୋର।
ପାପ କ୍ଷୟ ହେଉ ଏ ଜୀବନେ ନାଥ
ମଙ୍ଗଳମୟ ଠାକୁର ।ା
ପତିତପାବନ ଏହି ନିବେଦନ
ସତେ କି ରଖିବ ତୁମେ ।
କୂଳରେ ଲାଗିବ ଜୀବନ ନଉକା
ଦିନ ସରିଯିବ ଦିନେ ।ା
ଭାରି ଡର ଲାଗେ ସଂସାର ଝଡକୁ
ସାହା ହୁଅ ଜଗନ୍ନାଥ।
କେତେ ଯେ କଷ୍ଟରେ ଗଢ଼ିଛି ଏ ଘର
ଭାଙ୍ଗିଲେ ହେବି ଅନାଥ ।ା
ହେ କଳା ଠାକୁରେ ସଂସାରୀ ଭାବରେ
ସଂସାର ମମତା ଧରି।
ମାଗି ଦେଲି କିଛି ମନା କରିବନି
ଦିନବନ୍ଧୁ ଦଇତାରୀ ।ା
କ୍ଷମା କର ନାଥ କ୍ଷମାର ସାଗର
କର ଯୋଡ଼ି ମଥାନତ।
ହୋଇ କହୁଥାଏ ପ୍ରତି ମୂହୁର୍ତ୍ତରେ
ଜୟ ଜୟ ଜଗନ୍ନାଥ ।ା
ସମର୍ପଣ ।ାା ୫୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ