ଅଧ୍ୟାୟ ୨୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
ତୁମ ପାଦେ ତୁମେ ଦେବା ହାତେ
କରୁଛି ମୁଁ ପ୍ରଣିପାତ ।ା
ସକାଳୁ ସକାଳୁ କଳା ବଦନକୁ
ଚାହିଁ ଦେଲେ ଥରେ ସଖି।
କାହିଁକି କେଜାଣି ମନ ଆକାଶରୁ
ଯାଏନା ସେ ଜହ୍ନ ଲିଭି ।ା
କହି ପାରିବକି ଥରେ ମୋର ସଖି!
କି ଯାଦୁ ରଖିଛି ସିଏ ?
ପଡିଗଲେ ଥରେ କାଳିଆ ଭାବରେ
ସବୁ ଭୁଲି ହୋଇ ଯାଏ ।ା
ତାଙ୍କ ଆକର୍ଷଣ ନିଆରା ଅଲିଭା
ଏଇ ହୃଦୟ କାନ୍ଥରେ।
ଥରେ ହଜିଗଲେ କାଳିଆ ପ୍ରେମରେ
ଆଉ କି ଲୋଡା ସଂସାରେ ।
ଭାବକୁ ନିକଟ ଅଭାବକୁ ଦୂର
ଭାବ ପ୍ରିୟ ନିଳଗିରି।
ଭାବରେ ଡାକିଲେ କାଳିଆ କାଳିଆ
ନିଅନ୍ତି କୋଳେ ଆଦରି ।ା
ପକାଇ ଅଛନ୍ତି ମାୟା ବନ୍ଧନରେ
କେହି ତ କାହାର ନୁହେଁ ।
ସମର୍ପଣ ।ାା ୫୬
ଆସିଅଛୁ ଏକା ଫେରିବୁ ତୁ ଏକା
କେହି ଯିବେନି ସାଥୀରେ ।ା
ଭଜିଲେ ଜପିଲେ ତାଙ୍କୁ ଧ୍ୟାନ କଲେ
ପାଖରେ ରୁହନ୍ତି ସେହି।
ତାଙ୍କ ପରି ଆଉ କେହି ନୁହେଁ ସଖି
ଉଦ୍ଧାର କରିବା ପାଇଁ ।ା
ସବୁ ମିଛ ସଖି ମିଛ ଏ ଜୀବନ
ମିଛ ଏ ସଂସାର ଖେଳ।
ଫେରିଯିବୁ ତୁହି ଫେରିବି ବି ମୁହିଁ
ଆସିଲେ ଫେରିବା ବେଳ ।ା
ବଡ଼ ଦାରୁଣ ସେ ଦଇବ ବୁଝିବନି
କେବେ ମୋହର ବନ୍ଧନ।
ବାଛି ନେବ କଞ୍ଚା ରଖିବ ପାଚିଲା
ଦେବ ସେ ଦୁଃଖ ଦାରୁଣ ।ା
ଯେତେ ପାର ସଖି କାଟିଦେ ଆଜିଠୁ
ଏଇ ମାୟାର ବନ୍ଧନ।
ତାଙ୍କରି ବନ୍ଧନେ ବାନ୍ଧିଦେ ମନକୁ
ଜୀବନ ହୋଇବ ଧନ୍ୟ ।ା
ସେଇ ଏକା ସିନା ସବୁରି ମୂଳରେ
ଆନ କେ ନାହିଁ ସଂସାରେ।
ତେଣୁ ହେ ସଖୀ ମୋ ଭଜରେ ଗୋବିନ୍ଦ
ସାହା ହେବେ ଶେଷ ବେଳେ ।ା
ଲୀଳାମୟ ସେଇ କାଳିଆ ଠାକୁର ସଖି
ବୁଝିବାକୁ ଆମ ମନ।
ଥରେ ଦେଇ ଦେଲେ ତାଙ୍କୁ ନିର୍ବିକାରେ
ହେବୁ ତୁ ନିକଟତମ ।ା
ସମର୍ପଣ ।ାା ୫୭
ଭାବରେ ବାନ୍ଧିଦେ ଭକ୍ତିରେ ବାନ୍ଧି ଦେ
ଆଉ ବନ୍ଧନ ତ ନାହିଁ ।
କାଳିଆ ପ୍ରେମରେ ଉବୁଟୁବୁ ହେବୁ
ଆନ ଲୋଡ଼ା ହେବ ନାହିଁ ।ା
ଧନ ସମ୍ପଦ ଓ ମାନ ସନମାନ
ସବୁ ମିଛ ପରା ଏଠି।
ଗୋଟିଏ ସତ ସେ ଜଗତର ନାଥ
କରୁଛନ୍ତି ଦିନ ରାତି ।ା
ସକାଳରୁ ସଞ୍ଜ ପର୍ଯ୍ୟନ୍ତ ଜଞ୍ଜାଳେ
ପରୀକ୍ଷା ନିଅନ୍ତି ନିତି।
କରମର ଫଳ ନିଜେ ଦେବାପାଇଁ
ଧରି ଧରମ ନିକିତି ।ା
ଶ୍ରୀ ହରି ଶ୍ରୀପଦେ ସମର୍ପିତ ହେଲେ
ବୁଝିବୁ ମାୟା ଖେଳକୁ।
ଶ୍ରୀ ଚରଣ ତଳେ ଶରଣ ପସିଲେ
ମୁକ୍ତି ମିଳିବ ଆତ୍ମାକୁ।
ସମର୍ପଣ ।ାା ୫୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ