ଅଧ୍ୟାୟ ୨୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
ସକାଳ ପ୍ରଣତି ଘେନ ଜଗନ୍ନାଥ
ସମର୍ପିତ ମୁହିଁ ନିତି।
ତୁମରି ନାମର ରସ ପାନ କରି
ଦିନ ଯାଉ ପ୍ରଭୁ ବିତି ।ା
ରାତ୍ରି ଶେଷ ହେଲେ ଆସ ପ୍ରଭାତରେ
ମୁକ୍ତି ମନ୍ତ୍ର ଗାଇ ଧୀରେ।
ତୁମରି ମଧୁର ବଇଁଶୀର ସ୍ୱର
ଭରି ଯାଏ ମହିପରେ ।ା
ସକାଳ ହୋଇଲା ତୁମେ ଆସ ପ୍ରଭୁ
ହୃଦୟ ମନ୍ଦିରେ ମୋର।
ଢାଳିଦିଅ ନାଥ କରୁଣା କଣିକା
ମହକି ଯାଉ ସକାଳ ।ା
ନିଦ ମଳମଳ ଆଖିରେ ଯେବେ ମୁଁ
ତୁମ ଛବି ଦେଖିଦିଏ।
ସକଳ ଚିନ୍ତା ତୁମ ପାଦେ ରଖି
ଦୁଇ ହାତ ଯୋଡି ଦିଏ ।ା
ମାୟାର ପରଦା ହଟିଗଲା ପରେ
ତୁମେ ଦେଖା ଦେଇ ଥାଅ।
ତୁମ ପାଖେ ମନ ରହିଗଲା ପରେ
ସବୁ ଦୁଃଖ ହରି ନିଅ ।ା
ସମର୍ପଣ ।ାା ୬୭
ଚିରା ପଣତରେ କେତେ ଯେ ଗଣ୍ଠି
ମମତାର ରହିଥାଏ।
ମମତାର କେତେ ମୂଲ କେତେ ଯେ ଅମୂଲ୍ୟ
ସଂସାରେ ବୁଝୁଛି କିଏ ?
ଭକତି ଫୁଲର ପସରା ଉପରେ
ଜଳ ସିଞ୍ଚି ଆବେଗର।
ଘୋରି ରଖିଛି ମୁଁ ସ୍ନେହର ଚନ୍ଦନ
ମିଶାଇ ପ୍ରେମ କର୍ପୁର ।ା
ତୁମ ପାଇଁ କେବେ ତୋଳି ରଖେ ମୁହିଁ
ଶବ୍ଦର ଭକତି ଫୁଲ ।
ଦେଇ ପ୍ରଭାତରେ ତୁମରି ଚରଣେ
ମନ ଖୁସି ହୁଏ ମୋର ।ା
ସବୁ ସମ୍ପର୍କର ରଜ୍ଜୁ ଯେବେ ଛିଣ୍ଡେ
ତୁମେ ଆସ ନିରୋଳାରେ।
ଶାନ୍ତିର ମଲମ ଲିପି ଦିଅ ତୁମେ
ଅଶାନ୍ତ ଏ ହୃଦୟରେ ।ା
କାହିଁକି କେଜାଣି କଷି ମୁଁ ପାରୁନି
ମୋ ଜୀବନ ଗଣିତକୁ୍।
ସମାଧାନ ପାଇଁ ହୃଦୟ କନ୍ଦରେ
ଡାକୁଛି ପ୍ରଭୁ ତୁମକୁ ।ା
ଆସ ଆହେ ନାଥ ସକାଳ କିରଣେ
ଉଜ୍ଜଳତା ଭରି ମନେ।
ନିରନ୍ଦ୍ର ତମସା ନାଶ କର ଏହି
ମାଗୁଣି ତୁମ ଚରଣେ ।ା
ମଙ୍ଗଳମୟ ହେ ମଙ୍ଗଳ କର
ଡାକେ ରହି ସଂସାରରେ।
ବାକି ଦିନ ସରିଯାଉ ପ୍ରଭୁ ତୁମ
ନାମ ଅମୃତ ପାନରେ ।ା
ସମର୍ପଣ ।ାା ୬୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ