ଅଧ୍ୟାୟ ୨୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ହେ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ମନ ହରି ହରି ବୋଲରେ ତୁ ଥରେ
ହୋଇ ଗଲାଣି ପ୍ରଭାତ।
କରିବେ ସେ ହରି ଭବ ଜଳୁ ପାରି
ଏହିତ ଶାସ୍ତ୍ର ସମ୍ମତ ।ା
ଭକ୍ତ ପରା ତାଙ୍କ ପିତା ମାତା ବନ୍ଧୁ
ଭକ୍ତ ତାଙ୍କ ଜୀବ ଧନ।
ଭକ୍ତ ପାଇଁ ସେହି ଶଙ୍ଖ ଚକ୍ର ଧାରି
ସେ ଅଟନ୍ତି ଭକ୍ତ ପ୍ରାଣ ।ା
ଭକତ ଭଜିଲେ ଗୋବିନ୍ଦ ଗୋବିନ୍ଦ
ନିଦ୍ରାରୁ ଉଠନ୍ତି ହରି।
ଭକ୍ତର ଆନନ୍ଦେ ହୋଇ ଆନନ୍ଦିତ
ବରଷନ୍ତି କୃପା ବାରି ।ା
ତାଙ୍କର ମହିମା ଭକତଙ୍କ ପାଇଁ
ଉଡ଼େ ଫରଫର ନେତ।
ଭକତ ବତ୍ସଳ ପରା ଭକ୍ତବନ୍ଧୁ
ଭକ୍ତ ପାଇଁ ଜଗନ୍ନାଥ ।ା
ଭକତଙ୍କ ଦୁଃଖ ଦୂରେଇବା ପାଇଁ
ଭକତ ଡାକକୁ ହରି ।
ସମର୍ପଣ ।ାା ୭୪
କାନ ଡେରିଥାନ୍ତି ପ୍ରତି ମୁହୂର୍ତ୍ତରେ
ନିଳାଚଳେ ନୀଳଗିରି ।ା
ଚିନ୍ତାମଣି ଚିନ୍ତା ହରଣ କରନ୍ତି
ତାଙ୍କ ପରି କେହି ନାହିଁ।
ଜୀବନ ସକଳ ଚିନ୍ତା ସମର୍ପିଲେ
ଦିଅନ୍ତି ପ୍ରଭୁ ଦୂରେଇ ।ା
ବାଇଆ ମନଟା ନ ବୁଝି କାହିଁକି
ଏଣେ ତେଣେ ଧାଉଁ ଥାଏ।
ହୃଦୟକୁ ଖୋଲି ଭାବରେ ଡାକିଲେ
ନିଶ୍ଚିତ ଶୁଣନ୍ତି ସିଏ ।ା
ଅଦୃଶ୍ୟ ହାତରେ ଆଉଁସି ଦିଅନ୍ତି
ଭକତ ମଥାକୁ ଯେବେ।
ଅମୃତ ପରସେ ଅମୃତ ପ୍ରାପତି
ହୋଇଯାଏ ଆପେ ଭବେ ।ା
ଚୁପିଚୁପି ଆସି କୁହନ୍ତି କାନରେ
କାହିଁକି କରୁଛୁ ଦୁଃଖ।
ମିଛ ପରା ଏଇ ମାୟାର ଜୀବନ
କାହିଁକି ଖୋଜୁଛୁ ସୁଖ ?
ବୁଝାଇ ଦିଅନ୍ତି ସବୁରି ଉପରେ
କେବଳ ତାଙ୍କର ମାୟା।
ଖେଳ ସରିଗଲେ ବାହୁଡ଼ାଇ ନେବେ
ନ ହୋଇବା ପାଇଁ ବାୟା ।ା
କେବଳ ଭଜିଲେ ହୃଦୟରେ ତାଙ୍କୁ
ସେ କରିବେ ଆପଣାର।
ତୋର ଦୁଃଖ ସବୁ ଲାଘବ କରିବେ
ରଜ୍ଜୁ ହାତରେ ତାଙ୍କର ।ା
ସମର୍ପଣ ।ାା ୭୫
ତେଣୁ, ହେ ମନ! ମୋର ବୋଲ କର
ଭଜ ରାଧା ମାଧବଙ୍କୁ।
ସେ କରିବେ ପାରି ନ ହୋଇବ କଷ୍ଟ
ପୁନଶ୍ଚ ପୁନର୍ଜନ୍ମକୁ ।ା
ସବୁ ତାଙ୍କ ମାୟା ତୁହି ଅଟୁ କାୟା
ପରମାତ୍ମା ସେ ଆତ୍ମାର।
ଅଂଶି ଓ ଅଂଶର ସମ୍ପର୍କ ଭିତରେ
ଜନ୍ମ ମୃତ୍ୟୁ ବାରମ୍ବାର ।ା
ଆୟତ୍ତ କରତୁ ଅଣାୟତ୍ତ ମନ
ପାଇବୁ ପରମ ଗତି।
ସେ ହରି ନାମରେ କି ରସ ରହିଛି
ଭଜେ ଯେ ସେହି ଜାଣିଛି ।ା
ମାୟାର ବନ୍ଧନ କଟିଯିବ ଧୀରେ
ମୋହ ସରିବ ମନରୁ।
ପରମଗତି ତ ଲଭିବ ଜୀବନ
ସେହି ଅନନ୍ତ କୃପାରୁ ।ା
ଜୟ ଜଗନ୍ନାଥ ମଙ୍ଗଳ ହେଉ
ସାରା ଜଗତର ନାଥ।
ତୁମ ଦିବ୍ୟ ନାମ ଗୁଞ୍ଜରି ଉଠୁ
ପ୍ରତି ହୃଦୟରେ ନାଥ ।ା
ସମର୍ପଣ ।ାା ୭୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ