ଅଧ୍ୟାୟ ୨୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
ଅଖିଳ ବ୍ରହ୍ମାଣ୍ଡ ପତି ଜଗନ୍ନାଥ
ଘେନ କୋଟିଏ ପ୍ରଣତି ।
ତୁମ ପାଦେ ସମର୍ପିତ ଏ ଜୀବନ
ଦେଖ କିପରି ଜଳୁଛି ।ା
ପରିଚୟ ହୀନ ନାରୀଟିଏ ନିତି
ପରିଚୟ ଟିକେ ମାଗେ।
ଜାଣେନା କାହିଁକି ଜନ୍ମିଛି ସଂସାରେ
ଅଛି କିବା ମୋର ଭାଗ୍ୟେ ।ା
ମନପକ୍ଷୀ ମୋର ବ୍ୟାକୁଳ ହେଲାଣି
ଫେରି ଯିବାକୁ ନୀଡ଼କୁ ।
ପଥହୁଡ଼ା ପକ୍ଷୀ ପଥ ପାଉ ନାହିଁ
ଠିକଣା ମାଗେ ତୁମକୁ ।ା
ତୁମେ ସିନା ଏକା ଜାଣିଛ ତା'ଘର
ବାହୁଡ଼ା ଠିକଣା ପଥ।
ଫେରିବା ରଜ୍ଜୁ ବି ତୁମରି ହାତରେ
ଫେରାଇ ନିଅ ହେ ନାଥ !
ବହୁତ ଯନ୍ତ୍ରଣା ଏ ଜୀବନ ପଥେ
ଚାଲି ଚାଲି ଯାଏ ଥକି।
ଜଞ୍ଜାଳ ଜୀବନ ସମସ୍ୟା ବହୁଳ
ସମାଧାନ ରହେ ବାକି ।ା
ସମର୍ପଣ ।ାା ୮୦
ମିଞ୍ଜି ମିଞ୍ଜି ହୋଇ ଜଳୁଛି ଜୀବନ
ପ୍ରଦୀପ ତୁମରି ପାଖେ।
ତୁମ ଆଶିଷ ଏକାନ୍ତ କାମନା
ଏ ଜୀବନ ଚଲା ପଥେ ।ା
ସକାଳୁ ସକାଳୁ ଢାଳିଦିଅ କୃପା
ଦିନଟି ହେଉ ଚଞ୍ଚଳ।
ଜୀବନ ଯମୁନା ଗତିଶୀଳ ହେଉ
ପାଇ ତୁମ କୃପାଜଳ ।ା
ମଙ୍ଗଳକର ମଙ୍ଗଳମୟ ହେ
ଜଗତ ମଙ୍ଗଳ ହେଉ।
ତୁମରି ନାମରେ ଏଇ ଜଗତରେ
ଶାନ୍ତି ଗଙ୍ଗା ବୋହି ଯାଉ ।ା
ଏ ସକଳ ମହକି ଯାଉ ମହାପ୍ରଭୁ
ଆନନ୍ଦରେ କଟୁ ଦିନ।
ଫୁଲ ଫଗୁଣର ରଙ୍ଗ ଭରି ଯାଉ
ଜୀବନ ହେଉ ରଙ୍ଗିନ ।ା
କୃଷ୍ଣ ନାମ ରାମ ନାମରେ ପବିତ୍ର
ହୋଇ ଯାଉ ତନ ମନ ।
ଜୟ ଜଗନ୍ନାଥ ଧ୍ୱନିରେ ସକଳ
କଳୁଷତା ହେଉ ଚୂର୍ଣ୍ଣ ।ା
ସମର୍ପଣ ।ାା ୮୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ