ଅଧ୍ୟାୟ ୩୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
ସକାଳ ପ୍ରଣତି କରୁଛି ନାଥ ହେ
ଦିନ ଶୁଭମୟ ହେଉ।
ତୁମରି ଆଶିଷେ ଦୁଃଖ ଯାଇ ଦୂରେ
ଜୀବନ ଆନନ୍ଦ ହେଉ ।ା
ଯାହା ତୁମ ଇଚ୍ଛା କର ମହାପ୍ରଭୁ
ଲାଗୁ ସୁଖ ଅବା ଦୁଃଖ ।
ଅଭିମାନ ଆଉ କାହିଁକି କରିବି
ଚିକ୍କଣ କଳା ଶ୍ରୀ ମୁଖ ।ା
କେବେ ମନ ଝୁଲେ ଫୁଲର ଦୋଳିରେ
କେବେ ଲାଗେ ନିଆଁ ଝୁଲ।
ସଂସାର ଭିତରେ କିଏ ତ ପାଏନା
କେବେ ମମତାର ମୂଲ ।ା
ଯୁଗେ ଯୁଗେ ଅଛ ଭକ୍ତର ତୁମେ
ଏକା ଭଗବାନ ହୋଇ।
ସମ୍ପର୍କ ଡୋରିରେ ବାନ୍ଧିଛ ଭକ୍ତକୁ
ସଦା ତା'ର ସାଥେ ରହି ।ା
ଆଶା, ତୁମ ଡୋରି ଲାଗିଥାଉ ପ୍ରିୟ
ସଦା କାଳେ ତୁମ ପାଖେ।
ଜୀବନ ମୋହର ହସୁ ଥାଉ ତୁମ
ଆଶିଷ ଥାଉ ମୋ ସାଥେ ।ା
ସମର୍ପଣ ।ାା ୯୪
ତୁମରି ନାମରେ ଜୀବନ ଯନ୍ତ୍ରଣା
ସରିଯାଉ ଜଗନ୍ନାଥ।
ତୁମରି ନାମରେ ଏ ସକାଳ ଆଣୁ
କିଛି ନୂତନ ସନ୍ଦେଶ ।ା
ତୁମରି ନାମରେ ସର୍ବପାପ କ୍ଷୟ
ହେଉ ମଣିଷ ଜୀବନେ।
ଆହେ ଜଗନ୍ନାଥ ରଖ ସଦା ତୁମ
ଭୁଜ ତଳେ ସର୍ବ ଜନେ ।ା
ମୁଁ କିଏ ଜାଣେନା କାହିଁକି ଆସିଛି
କେଉଁ କାମ ଏଠି ମୋର?
ତଥାପି ଠାକୁର ତୁମରି ଇଚ୍ଛାରେ
ବଞ୍ଚିଛି ଜୀବନ ଛାର ।ା
ଶରୀରଟେ ବୋଲି ଯାହାକୁ କହୁଛି
ସେ ଅଟେ ମାଟି କଣ୍ଢେଇ।
ମନ ବୋଲି ଯାହା ଦେଇଛ ତ ସିଏ
ନୀଳ ଆକାଶ ଚଢ଼େଇ ।ା
ହସ ବୋଲି ଯାହା ଦେଇଛ ତ ସିଏ
ମିଛ ହସ ଏ ସଂସାରେ।
ଆଖି ବୋଲି ଯାହା ଦେଲ ଜଗନ୍ନାଥ
ଲୁହର ପୋଖରୀ ସିଏ ।ା
ସେ ପୋଖରୀ ଜଳେ ନିତି ଧୋଉ ଥାଏ
ତୁମ ପଦ ଜଗନ୍ନାଥ।
କରୁଣା ଟିକିଏ ପାଇଁ ମୁଁ ସକାଳୁ
ପାତେ ତୁମ ଆଗେ ହାତ ।ା
ନିରାଶ କରନି ଆଶାର ଠାକୁର
ଦିଅ ଥାଳ ମୋର ଭରି।
ହସ ଫୁଲ ସବୁ ଫୁଟାଇ ଦିଅ ହେ
ନାମକୁ ସାର୍ଥକ କରି ।ା
ସମର୍ପଣ ।ାା ୯୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ