ଅଧ୍ୟାୟ ୩୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ଦିନ ଗଡ଼ିଯାଏ ବେଳ ସରିଯାଏ
ଜଣାପଡ଼େ ନାହିଁ କିଛି।
ଜଳନ୍ତା ଦୀପରୁ କିପରି ତଇଳ
ଧୀରେ ଧୀରେ କମୁଅଛି ।ା
କଣା ମାଠିଆରୁ ଝରି ଯାଏ ପାଣି
ଜୀବନରୁ ସରେ ଦିନ।
କିନ୍ତୁ, ରହିଥାଏ ଦୁଃଖଟି ଅସରା
ମୋ ପାଇଁ ଚକାନୟନ ।ା
ହେତୁ ପାଇଲାଠୁ ବୁଝିଛି ଜୀବନ
ଅନ୍ୟନାମ ସଂଘର୍ଷର।
ତୁମକୁ ଭରସା କରିଛି ଚାଲିଛି
ଆଗକୁ ନୀଳ ସୁନ୍ଦର ।ା
ଅଜଣା ରାସ୍ତାରେ ପାଦ ପକାଇବା
ପୂର୍ବରୁ ତୁମର ନାମ।
ଉଚ୍ଚାରଣ କରି ସାହସ ସହିତ
କରିଛି ମୁଁ ଅତିକ୍ରମ ।ା
ତୁମେ ମୋ ସାହସ ତୁମେ ମୋ ଶକତି
ତୁମେ ମୋର ସଫଳତା।
ସମର୍ପଣ ।ାା ୧୦୨
ତୁମେ ମୋର ପ୍ରାଣ ତୁମେ ମୋର ପ୍ରେମ
ତୁମେ ମୋ ଧୈର୍ଯ୍ୟ ସଂହିତା ।ା
ତୁମ ପାଇଁ ମୁହିଁ ନ ମାଗି ପାଇଛି
ଅନେକ ଜୀବନ ଧାରେ।
ଯେତେବେଳେ କିଛି ହରାଇ ବସିଛି
ତୁମେ ଆସ ନିବୃତ୍ତରେ ।ା
କାନରେ କହିଛ ସହିବାର ମନ୍ତ୍ର
କହିଛ ଚାଲ୍ ଆଗକୁ ।
ପୁଣି ଆଗେଇଛି ଆଗ୍ରହ ସହିତ
ଧରି ତୁମର ନାମକୁ ।ା
ପ୍ରତ୍ୟେକ ସକାଳ କଟିଛି କେବଳ
ତୁମରି ନାମ ଜପରେ।
ସାରିଛି ସମୟ ତୁମ ସେବା ପୂଜା
ଅନାୟାସେ କରିବାରେ ।ା
ଯାହା ବି ପାଇଛି ଯାହା ହରାଇଛି
ସବୁ ତୁମ ମାୟା ଖେଳ।
ଏ ବୟସେ ଆସିଲାଣି ଅପରାହ୍ନ
ତୁମେ ଜାଣ ମହାକାଳ ।ା
ତୁମରି ଇଚ୍ଛାରେ ସୂର୍ଯ୍ୟ ଚନ୍ଦ୍ର ଗତି
ହେଉଛି ଯଦି ସଂସାରେ।
ଜନମ ମରଣ ଜୟ ପରାଜୟ
ଘଟୁଛି ତୁମ ମାୟାରେ ।ା
ଏବେ ତ ନିଜକୁ ଭାବୁଛି କାଳିଆ
ଶ୍ରୀ ହସ୍ତେ କଣ୍ଢେଇ ପରି।
ହଜାଇ ଦେଲିଣି ସମସ୍ତ ଆବେଗ
ଭାବେ ଦିନ ଯାଉ ସରି ।ା
ଜୀବ ଗଲା ବେଳେ ତୁମରି ନାମଟି
ରହୁ ମୋ କ୍ଷୀଣ ସ୍ୱରରେ।
ସମର୍ପଣ ।ାା ୧୦୩
ଆହେ ଦୟାମୟ ମଙ୍ଗଳ ଆଳୟ
କରୁଣା କରିବ ଥରେ ।ା
ତୁମରି ଦୟାରେ ମୋ ଜୀବନ ଦୀପ
ଜଳୁଜଳୁ ଲିଭି ଯାଉ।
ତୁମରି ନାମର ପରମ ପ୍ରଭାବେ
ଅନ୍ତର ପବିତ୍ର ହେଉ ।ା
ଆହେ ନାରାୟଣ ମଦନ ମୋହନ
କୃପାର ଅମାପ ଖଣି।
ଜଗତର ନାଥ କାଳିଆ ସାଆନ୍ତ
ନୀଳାଚଳେ ନୀଳମଣି ।ା
ପ୍ରଭୁ ଦୟାମୟ ମଙ୍ଗଳ ଆଳୟ
ପ୍ରାର୍ଥନା ରଖିବ ମୋର।
ମରଣ କାଳରେ ଦରଶନ ଦେବ
କଳାମୁଖ କଳାକର ।ା
ସମର୍ପଣ ।ାା ୧୦୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ