ଅଧ୍ୟାୟ ୪୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି କରେ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ସକାଳ ପ୍ରଣାମ କରୁଛି ନାଥ ହେ
ଦିନ ହେଉ ଶୁଭମୟ ।
ତୁମରି ଆଶିଷ ଅମୃତ ପରସେ
ସତ୍ୟର ହେଉ ଜୟ ।ା
ଯଦିଓ ସଂସାରେ ତୁମରି ଇଚ୍ଛାରେ
ସୂର୍ଯ୍ୟ ଚନ୍ଦ୍ର ଆତଯାତ।
ଜୀବନର ସବୁ ସୁଖ ଦୁଃଖ ତୁମ
ହାତଲେଖା ସୂଚିପତ୍ର ।ା
ସେ ଲାଗି ଦୁଃଖରେ ପଡ଼ିଲେ ଠାକୁରେ
ଅଭିମାନ ଲାଗେ ଟିକେ।
କାହିଁକି ମୋ ପାଇଁ ଏତେଗୁଡାÿ ଦୁଃଖ
ପୃଷ୍ଠା ରଖିଲ ସାଆନ୍ତେ ।ା
ଜୀବନ ବହିର ଆରମ୍ଭରୁ ଖାଲି
ସଙ୍ଘର୍ଷ କାହାଣୀ ରଖି।
କେତେ ଯେ ପରୀକ୍ଷା କର ଜଗନ୍ନାଥ
ଦାରୁବ୍ରହ୍ମ ଚକାଆଖି ।ା
ଆଉ କେତେ ପୃଷ୍ଠା ଅଛି ମୋ ଜୀବନ
ପୁସ୍ତକେ ତୁମେ ହିଁ ଜାଣ।
ତୁମେ ତ ଲେଖକ ତୁମେ ନିର୍ଦ୍ଦେଶକ
କହିଛି ଶାସ୍ତ୍ର ପୁରାଣ ।ା
ସମର୍ପଣ ।ାା ୧୦୯
ମାନୁଛି ଝୁଲିଛି ଫୁଲର ଦୋଳିରେ
କିଛି ଦିନ ପାଇଁ ଏଠି।
ଭାବି ନ ଥିଲି ମୁଁ ମୋ ପାଇଁ ପ୍ରସ୍ତୁତ
ହୋଇଅଛି ଦୁଃଖ କୋଠି ।ା
ମୋ ଦୁଃଖ କାରଣ ଜାଣୁଛି ଯଦିଓ
କହି ପାରୁନି କାହାକୁ।
ଅଜାଗା କ୍ଷତକୁ ଅନୁଭବି ହୁଏ
ଦେଖି ହୁଏ ନାହିଁ ତାକୁ ।ା
ନିଜେ ତ ପାରୁନି ଦେଖି ଯେତେବେଳେ
କିପରି ଅନ୍ୟକୁ ମୁହିଁ।
ଦେଖେଇ ପାରିବି କୁହ ଜଗନ୍ନାଥ
ନୀଳ କନ୍ଦର ଗୋସାଇଁ ।ା
ଅନେକ ସମୟେ ନିଜକୁ ବୁଝାଏ
ଆଜିର ସଂସାର ଯାହା।
କିଏ ପାଉଛି କି ମମତାର ମୂଲ
କିଏ କାହା ପାଇଁ ସାହା ?
ସବୁଠି ଚାଲିଛି ଛଳନାର ଖେଳ
ସ୍ୱାର୍ଥ ପ୍ରିୟ ହେଲେ ସବୁ।
ରକତ ବୁଝୁନି ରକତ ସମ୍ପର୍କ
ଦିନ ସରେ ଭାବୁ ଭାବୁ।ା
କେବଳ ବୁଝିଛି ଯୁଗେ ଯୁଗେ ତୁମେ
ଭକତର ଭଗବାନ।
ଭାବର ଡୋରିରେ ବାନ୍ଧିଛ ଭକ୍ତକୁ
ସାଥେ ରହି ନାରାୟଣ ।ା
ସେ ଲାଗି ପ୍ରାର୍ଥନା ତୁମ ଡୋରି ମୋର
ହୃଦୟରେ ଲାଗିଥାଉ।
ବାହାର ସମ୍ପର୍କ ଲୋଡ଼ା ନାହିଁ ମୋର
ମନକଥା ମହାବାହୁ ।ା
ସମର୍ପଣ ।ାା ୧୧୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ