ଅଧ୍ୟାୟ ୪୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ମହାପ୍ରଭୁ
ତୁମ ପାଦେ ସମର୍ପିତ ।ା
ତୁମେ ପରଂବ୍ରହ୍ମ ପୁରାଣ ପୁରୁଷ
ପରମାତ୍ମା ଜଗନ୍ନାଥ।
ଅନାଥର ନାଥ ଅଗତିର ଗତି
ତବାଶିଷ ମୁକ୍ତି ପଥ।ା
ତୁମେ ଇଚ୍ଛାମୟ ତୁମରି ଇଚ୍ଛାରେ
ଚରଠୁ ଅଚର ଯାଏ।
ସଂସାରେ ଆସନ୍ତି ରୁହନ୍ତି ଯାଆନ୍ତି
ସୃଷ୍ଟି ସ୍ଥିତି ଲୟ ହୁଏ ।ା
ସବୁ କିଛି ତୁମ ମାୟାର କାରେଣି
ବୁଝି ବି ଅବୁଝା ଜୀବ।
ମୁଁ କିନ୍ତୁ ବୁଝିଛି ବୋଲି ଆଦରିଛି
ପ୍ରାଣ ପ୍ରିୟ ବାସୁଦେବ ।ା
ତୁମରି ଇଚ୍ଛାରେ ଜୀବନେ ଆସିଛି
ହସ ଓ କାନ୍ଦର ଢେଉ।
ସେ ସବୁ ଭିତରେ କେବଳ ଖୋଜିଛି
ତୁମ ମାୟା ମହାବାହୁ ।ା
କେବେ ତ ହୋଇଛି ହସ ମୋ କ୍ଷଣିକ
କ୍ଷଣିକ ହୋଇଛି କାନ୍ଦ।
କେବେ ମୁଁ ବୁଡ଼ିଛି ବିଷାଦ ଜଳରେ
ସବୁ ଜାଣ କଳା ଚାନ୍ଦ ।ା
ସମର୍ପଣ ।ାା ୧୧୮
ଏବେ କି କରୁଣା ଊଣା ହେଲା ପ୍ରଭୁ
ଦୁଃଖ ରାତି ବଡ଼ ଲାଗେ।
ସୁଖର ସକାଳ ଆଶା ରଖିଛି ମୁଁ
କେବେ ହେବ ପୂର୍ବ ଦିଗେ ।ା
ତୁମେ ବସିଅଛ ବଡ଼ ଦେଉଳରେ
ଦାରୁବ୍ରହ୍ମ ରୂପ ନେଇ।
ମୁଁ କାନ୍ଦୁଛି ଏଠି ମୋର କୁଡ଼ିଆରେ
ତୁମେ ନାଥ ଦେଖ ନାହିଁ ।ା
ଆତ୍ମା ସଳିତା ମୋ ଜଳୁଅଛି ନିତି
ଆୟୁ ଘୃତ ଆସେ ସରି।
ଜୀବନ ଦୀପଟି ଲିଭିଯିବ କେବେ
ଜାଣିଥିବ ନୀଳଗିରି ।ା
ଜଳିବାକୁ ବୋଧେ ମୋହରି ଜନମ
ତୁମଗଢ଼ା ଯୋଜନାରେ।
କାହାକୁ ହସାଅ କାହାକୁ କନ୍ଦାଅ
ନିଜ ଇଚ୍ଛା ଅନୁସାରେ।ା
ଦୁଃଖ ନାହିଁ ପ୍ରଭୁ ଦୁନିଆ ମଞ୍ଚରେ
ଦୁଃଖୀ ଅଭିନୟ ସାରି।
ଫେରିବି ତ ଦିନେ ତୁମରି ନିକଟେ
ଆଦରିବ ନୀଳଗିରି ।ା
ସେତିକିରେ ମୋର ମନ ବୁଝିଯିବ
ପଚାରିବିନି ମୁଁ କେବେ।
କାହିଁକି ଧରାରେ ଦୁଃଖୀ କରିଦେଲ
ଶାନ୍ତି ବି ଦେଲେନି ଲଭେ ।ା
ଜୀବନେ ନ ହେଉ ଜୀବନ ପରେ ବି
ତୁମରି ସାନ୍ନିଧ୍ୟ ପାଇ।
ଅମୃତ ପରସେ ଅତୀତକୁ ଭୁଲି
ହସିବି ଜଗତସାଇଁ ।ା
ସମର୍ପଣ ।ାା ୧୧୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ