ଅଧ୍ୟାୟ ୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ।
ତୁମ ପଦ୍ମପାଦରେ ଅଧମା ଏ ନାରୀ
ନିତି ହୁଏ ସମର୍ପିତ।
ତୁମେ ଆସ ନାଥ ପୂରୁବ ଆକାଶେ
ସକାଳ ସୂରୁଯ ହୋଇ।
ସୁପ୍ତ ଚେତନାକୁ ଜାଗ୍ରତ କରାଅ
କଅଁଳ ପରସ ଦେଇ ।ା
ସକାଳ ଆସେ ତୁମରି ନାମରେ
ଦେଇ ଦିନର ସୂଚନା।
ଅପବିତ୍ର ମନ ପବିତ୍ର ହୁଅଇ
ତୁମ ନାମ ଗାଇ ସିନା ।ା
ପାପୀ ମଣିଷଟି ଜାଣେନା ପୁଣ୍ୟ
ତାହା ଠାରୁ କେତେ ଦୂରେ।
ସଂସାର ସାଗର ପାରି ହୋଇଯାଏ
ନାମକୁ ଜପି ନିଷ୍ଠାରେ ।ା
ଦୁଃଖ ସୁଖ ସବୁ ତୁମ ଅବଦାନ
ଆଦରି ନିଏ ଯେ ନର।
ତୁମେ ହିଁ ସାହସ ଶକତି ଦାନରେ
କର ତାକୁ ବଳିୟାର ।ା
ମୋ ପରି ପାପୀ କି ବୁଝିବ ପୁଣ୍ୟର
ପଥ କେତେ ସୁମଧୁର ।
ସମର୍ପଣ ।ାା ୨୮
ସ୍ୱାର୍ଥର ବେଉସା ଭିତରେ ଜୀବନ
ହୋଇଗଲା ଛାରଖାର ।ା
ମୁଁ ପରା ଅଧମା ନାରୀଟିଏ ହରି
ବୁଝିଛି କି ତୁମ ନାମ ?
ବିନା ଏ ସଂସାରେ ସକାଳ ଆସେନି
ପୂର୍ଣ୍ଣ ନୋହେ ମନସ୍କାମ ।ା
ଆହେ ଦୟାମୟ କରୁଣା ସାଗର
ପତିତ ଜନର ବନ୍ଧୁ।
ଭକତ ବତ୍ସଳ ହେ ମଧୁସୂଦନ
ତୁମେ ପରା କୃପା ସିନ୍ଧୁ ।ା
ତୁମେ ପରା ଦିବ୍ୟ ଜ୍ଞାନ ଦିବ୍ୟ ଜ୍ୟୋତି
ଅଜ୍ଞାନ ତିମିର ପାଇଁ।
ତୁମେ ଧରି ନିଅ ହାତ ସଖା ପ୍ରାୟ
ସାଧନା କ୍ଷେତ୍ରେ ଗୋସାଇଁ ।ା
କେତେ ମିଠା ଲାଗେ ତୁମର ନାମକୁ
ଲେଖିଲେ ପାପୀ ହାତରେ।
କାହିଁ କେତେ ଦୂର ପୁଣ୍ୟର ପଥ
ଦେଖି ହୁଏ ଏ ଆଖିରେ ।ା
ଅନୁଭବ ତୀରେ ତୁମେ ଆସ ନାଥ
ହୃଦୟକୁ ନିତି ଛୁଇଁ।
ପରାଣେ ପୁଲକ ଆପେ ଖେଳିଯାଏ
ଦୁଃଖରାତି ଯାଏ ପାହି ।ା
ଜୀବନ ଦେଇଛ ଯନ୍ତ୍ରଣା ଦେଇଛ
ଦିଅ ମିଠା ଅନୁଭବ।
ଦୁଃଖ ସୁଖ ସବୁ ମିଶାଇ ପରୀକ୍ଷା
ନ କର ପ୍ରିୟ ମାଧବ ।ା
ସମର୍ପଣ ।ାା ୨୯
ହାରି ନାହିଁ କେବେ ଜୀବନ ଯୁଦ୍ଧରେ
ଅଛ ଯେବେ ହୃଦୟରେ।
ଚାଲିଛି ଚାଲିବି ପଥ ହେଉ ଦୂର
ଭରସା ଅଛି ଠାକୁରେ ।ା
ଚାହିଁଥାଅ ମୋତେ ଫେରି ଯିବା ଯାଏ
ଶୁଦ୍ଧ ନାରୀଟିଏ କରି।
ଜୀବନର ପାପ ସବୁ ଧୋଇ ଯାଉ
ନିତି ତୁମ ନାମ ଧରି ।ା
ପାରି କର ମୋତେ ହେ କଳା ନାଉରୀ
ନାବ ହେଲା ଟଳମଳ।
ଅଥଳ ସିନ୍ଧୁରେ ଭାସୁଛି ଜୀବନ
ମାଧବ ଉଦ୍ଧାର କର ।ା
ସମର୍ପଣ ।ାା ୩୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ